ETV Bharat / sports

ଆଇସିସି ଟେଷ୍ଟ ମାନ୍ୟତା: ମ୍ୟାଚ୍‌ ନଖେଳି ଚମକିଲେ କୋହଲି, ଲମ୍ବ ଡିଆଁ ମାରିଲେ ଓଲି ପୋପ୍‌

author img

By ETV Bharat Odisha Team

Published : Jan 31, 2024, 5:07 PM IST

Latest ICC Mens Test Rankings
Latest ICC Mens Test Rankings

Latest ICC Mens Test Rankings: ପ୍ରାକାଶ ପାଇଛି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତା । ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ନଖେଳି ମଧ୍ୟ ଚମକିଲେ କୋହଲି । ବୋଲିଂରେ ବୁମ୍‌ରାଙ୍କୁ ଫାଇଦା । ସେପଟେ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ହିରୋ ସାଜିଥିବା ଓଲି ପୋପ୍‌ ଲମ୍ବ ଡିଆଁ ମାରି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପ୍ରଥମ ଟେଷ୍ଟ ନଖେଳି ମଧ୍ୟ ଚମକିଲେ ବିରାଟ କୋହଲି । ଇଂଲଣ୍ଡ ପାଇଁ ହିରୋ ସାଜିଥିବା ଓଲି ପୋପ୍‌ ଟେଷ୍ଟ ରାଙ୍କିଙ୍ଗ୍‌ରେ ମାରିଲେ ଲମ୍ବ ଡିଆଁ । ଆଜି ଆଇସିସି ଦ୍ବାରା ଏହାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି । ତେବେ ଏଥିରେ ଟେଷ୍ଟ ଓ ଦିନିକିଆ ମାନ୍ୟତାରେ ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ଉଭୟ ଫର୍ମାଟ୍‌ରେ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି । ସେପଟେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ଶୀର୍ଷକୁ ଉନ୍ନୀତ ହୋଇପାରିନାହିଁ ଟିମ୍‌ ଇଣ୍ଡିଆ । ଆଇସିସି ଟିମ୍‌ ମାନ୍ୟତାରେ ୧୧୭ ପଏଣ୍ଟ ସହ ଦ୍ବିତୀୟରେ ରହିଛି ଭାରତ । ୧୧୭ ପଏଣ୍ଟ ଅଷ୍ଟ୍ରେଲିଆ ଏବେ ବି ପ୍ରଥମ ସ୍ଥାନରେ ରହିଛି ।

ଟେଷ୍ଟ ମାନ୍ୟତା:

ବ୍ୟାଟର- ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ୮୬୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଇଂଲଣ୍ଡର ଜୋ ରୁଟ ୮୩୨ ପଏଣ୍ଟ ସହ ୨ୟରେ ରହିଥିବା ବେଳେ ୮୧୮ ପଏଣ୍ଟ ପାଇ ୩ୟରେ ରହିଛନ୍ତି ଷ୍ଟିଭ ସ୍ମିଥ । ସେହିଭଳି ଡାରିଲ ମିଚେଲ୍‌ (୭୮୬) ୪ର୍ଥ ଓ ବାବର ଆଜମ (୭୬୮) ୫ମରେ ରହିଛନ୍ତି । ତେବେ ଟେଷ୍ଟ ପୁରୁଷ ବ୍ୟାଟର ମାନ୍ୟତାରେ ଏକମାତ୍ର ଭାରତୀୟ ବ୍ୟାଟର ବିରାଟ କୋହଲି ଶୀର୍ଷ ୧୦ରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ସେ ୭୬୭ ପଏଣ୍ଟ ସହ ସିଧାସଳଖ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବିରାଟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନଖେଳି ମଧ୍ୟ ଆଇସିସି ମାନ୍ୟତାରେ ଉନ୍ନତି ଆଣିବାରେ ସଫଳ ହୋଇଛନ୍ତି । ତେବେ ଏହି ତାଲିକାର ଦ୍ବାଦଶ ସ୍ଥାନରେ ରୋହିତ ଶର୍ମା ଓ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦଳରୁ ବାହାରେ ଥିବା ଋଷଭ ପନ୍ତ ଏବେ ମଧ୍ୟ ୧୩ ତମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ସାଜିଥିବା ଓଲି ପୋପ୍‌ ନିଜ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି । ରାଜୀବ ଗାନ୍ଧୀ ଷ୍ଟାଡିୟମରେ ତାଙ୍କର ୧୯୬ ରନର ପାଳି ପାଇଁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏଥର ଆଇସିସି ମାନ୍ୟତାରେ ୩୫ତମ ସ୍ଥାନରୁ ଲମ୍ଫ ମାରି ସିଧାସଳଖ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି ପୋପ୍‌ ।

ବୋଲର- ଆଇସିସି ଟେଷ୍ଟ ମାନ୍ୟତାରେ ଟପ୍‌ ୧୦ରେ ୩ ଭାରତୀୟ ବୋଲର ସ୍ଥାନ ପାଇଛନ୍ତି । ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୮୫୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ଯଶପ୍ରୀତ ବୁମ୍‌ରା ୮୨୫ ପଏଣ୍ଟ ପାଇ ୪ର୍ଥରେ ପହଞ୍ଚିଥିବା ବେଳେ ରବୀନ୍ଦ୍ର ଜାଡେଜା (୭୫୪) ୬ଷ୍ଠ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ମହମ୍ମଦ ସିରାଜ ୧୯ ଓ ମହମ୍ମଦ ଶାମି ୨୦ତମ ସ୍ଥାନରେ ରହିଛନ୍ତି ।

ଅଲରାଉଣ୍ଡର- ଆଇସିସି ଅଲରାଉଣ୍ଡର ମାନ୍ୟତାରେ ମଧ୍ୟ ଭାରତୀୟ ଖେଳାଳୀଙ୍କ ଦବଦବା ଦେଖିବାକୁ ମିଳିଛି । ରବୀନ୍ଦ୍ର ଜାଡେଜା (୪୨୫) ଓ ରବିଚନ୍ଦ୍ର ଅଶ୍ବିନ (୩୨୮) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ୨୯୦ ପଏଣ୍ଟ ସହ ଅକ୍ଷର ପଟେଲ ଗୋଟିଏ ସ୍ଥାନ ଖସି ୬ଷ୍ଠରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଆଚରଣ ସଂହିତା ଉଲ୍ଲଂଘନ କଲେ ବୁମରା

ନଜର ପକାନ୍ତୁ ଦିନିକିଆ ଓ ଟି୨୦ରେ ରହିଥିବା ଭାରତୀୟ ଖେଳାଳିଙ୍କ ରାଙ୍କିଂ ଉପରେ...

ଦିନିକିଆ:

ବ୍ୟାଟର- ଆଇସିସି ଦିନିକିଆ ମାନ୍ୟତାରେ ୮୨୪ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ୧ମ ସ୍ଥାନରେ ଥିବାବେଳେ ୨ୟ, ୩ୟ ଓ ୪ର୍ଥ ସ୍ଥାନ ଭାରତୀୟଙ୍କ ଦ୍ବାରା ସୁରକ୍ଷିତ ରହିଛି । ଯୁବ ଭାରତୀୟ ବ୍ୟାଟର ଶୁଭମନ ଗିଲ୍‌ (୮୦୧) ୨ୟ, ବିରାଟ କୋହଲି (୭୬୮) ୩ୟ ଓ ରୋହିତ ଶର୍ମା (୭୪୬) ୪ର୍ଥ ସ୍ଥାନରେ ରହିଛନ୍ତି । ଶ୍ରେୟସ ଆୟର ଦ୍ବାଦଶ ଓ କେଏଲ୍‌ ରାହୁଲ ଏହି ମାନ୍ୟତାରେ ୧୭ତମ ସ୍ଥାନରେ ରହିଛନ୍ତି ।

ବୋଲର- ଆଇସିସି ବୋଲିଂ ରାଙ୍କିଂର ଶୀର୍ଷ ୧୦ରେ ମଧ୍ୟ ୩ ଭାରତୀୟ ବୋଲର ରହିଛନ୍ତି । ମହମ୍ମଦ ସିରାଜ ୬୭୮ ପଏଣ୍ଟ ସହ ୩ୟ ସ୍ଥାନରେ ରହିଥିବାବେଳେ ୬୬୫ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି ଯଶପ୍ରୀତ ବୁମ୍‌ରା । ସେହିଭଳି ୬୪୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ଚାଇନା ମ୍ୟାନ୍‌ ବୋଲର କୁଲଦୀପ ଯାଦବ ରହିଛନ୍ତି । ମହମ୍ମଦ ଶାମି ଦ୍ବାଦଶ ସ୍ଥାନରେ ଅଛନ୍ତି ।

ଅଲରାଉଣ୍ଡର- ଦିନିକିଆ ଅଲରାଉଣ୍ଡର ମାନ୍ୟତାରେ କିନ୍ତୁ କୌଣସି ଭାରତୀୟ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇନାହାନ୍ତି । ତେବେ ରବୀନ୍ଦ୍ର ଜାଡେଜା ୨୦୯ ପଏଣ୍ଟ ସହ ୧୧ତମ ସ୍ଥାନରେ ରହିଥିବାବେଳେ ୧୮୫ ପଏଣ୍ଟ ପାଇ ୧୮ତମ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଟି୨୦:

ବ୍ୟାଟର- ଆଇସିସି ଟି୨୦ ବ୍ୟାଟର ମାନ୍ୟତାରେ ଟପ୍‌ ୧୦ ଭିତରେ କେବଳ ୨ଜଣ ଭାରତୀୟ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ୮୬୧ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଥିବାବେଳେ ୭୧୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି ଯଶସ୍ବୀ ଜୟସ୍ବାଲ । ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାଏକ୍‌ୱାଡ୍‌ ୬୫୪ ପଏଣ୍ଟ ପାଇ ଦ୍ବାଦଶ ସ୍ଥାନରେ ରହିଛନ୍ତି ।

ବୋଲର- ଟି୨୦ ବୋଲିଂ ମାନ୍ୟତାରେ କେବଳ ୫ମ ଓ ୬ଷ୍ଠ ସ୍ଥାନରେ ଦୁଇ ଭାରତୀୟ ସ୍ଥାନ ସୁରକ୍ଷିତ ରଖିଛନ୍ତି । ୬୬୦ ପଏଣ୍ଟ ସହ ଅକ୍ଷର ପଟେଲ ୫ମ ସ୍ଥାନରେ ରହିଥିବାବେଳେ ୬ଷ୍ଠ ସ୍ଥାନରେ ରହିଥିବା ରବି ବିଷ୍ଣୋଇ ୬୫୯ ପଏଣ୍ଟ ରଖିଛନ୍ତି ।

ଅଲରାଉଣ୍ଡର- ଟି୨୦ ଅଲରାଉଣ୍ଡର ମାନ୍ୟତାରେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ୧୮୫ ପଏଣ୍ଟ ସହ ୬ଷ୍ଠରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ (୧୨୪) ୧୬ତମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.