ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ: ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬୭/୧, ପ୍ରଥମ ବିଜୟ ଲକ୍ଷ୍ୟରେ ଭାରତ

author img

By ETV Bharat Odisha Team

Published : Feb 4, 2024, 5:56 PM IST

୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬୭/୧
୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬୭/୧

IND vs ENG 2nd Test Day 3 Stumps: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୨ୟ ଟେଷ୍ଟର ୩ୟ ଦିନର ଖେଳ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ପାଳିରେ ଗୋଟିଏ ୱିକେଟ ହରାଇ ୬୭ ରନ କରିଛି । ଭ୍ରମଣକାରୀ ଦଳ ହାତରେ ଆଉ ୯ ୱିକେଟ୍‌ ବାକି ରହିଥିବାବେଳେ ବିଜୟ ପାଇଁ ଆହୁରି ୩୩୨ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

ବିଶାଖାପାଟଣା: ଦ୍ବିତୀୟ ଟେଷ୍ଟରେ ପଛରେ ପଡ଼ିଛି ଇଂଲଣ୍ଡ । ବିଶାଖାପାଟଣାରେ ଖେଳାଯାଉଥିବା ଭାରତ- ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ୩ୟ ଦିନ ଖେଳ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୬୭ ରନ କରିଥିବାବେଳେ ଗୋଟିଏ ୱିକେଟ୍‌ ହରାଇଛି । ରବିଚନ୍ଦ୍ରନ ଅଶ୍ବିନ ଭାରତକୁ ପ୍ରଥମ ସଫଳତା ଦେବା ପାଇଁ ବେନ୍‌ ଡକେଟ୍‌ (୨୮)ଙ୍କୁ ପାଭିଲିୟନ ଫେରାଇଛନ୍ତି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ବିନିମୟରେ ଇଂଲଣ୍ଡର ସ୍କୋର ୬୭ । ବିଜୟ ପାଇଁ ଦଳକୁ ଆବଶ୍ୟକ ଆହୁରି ୩୩୨ ରନ ।

ଦ୍ବିତୀୟ ପାଳିରେ ଭାରତ ସ୍କୋରବୋର୍ଡରେ ୨୫୫ ରନ ଯୋଡ଼ିଥିଲା । ପୂର୍ବରୁ ୧୪୩ ରନ ଲିଡ୍‌ ସହିତ ଇିଂଲଣ୍ଡକୁ ବିଜୟ ପାଇଁ ୩୯୯ ରନ ଟାର୍ଗେଟ୍‌ ଦେଇଥିଲା ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ଦ୍ବିତୀୟ ପାଳିରେ କୌଣସି ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାକୁ ସକ୍ଷମ ହୋଇନଥିଲେ । ରୋହିତ ଶର୍ମା ୧୩ ଓ ଯଶସ୍ବୀ ଜୟସ୍ବାଲ ୧୩ ରନ କରି ଆଉଟ୍‌ ହୋଇଥିଲେ । ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍‌ ବହୁ ଗୁରୁତ୍ବପୂର୍ଣ୍ଣ ସମୟରେ ବହୁ ପ୍ରତିକ୍ଷିତ ଶତକ ହାସଲ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ସେ ୧୪୭ ବଲରୁ ୧୦୪ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲରାଉଣ୍ଡର ଅକ୍ଷର ପଟେଲ ଦ୍ବିତୀୟ ସର୍ବାଧିକ ୪୫ ରନର ପାଳି ଖେଳିଥିଲେ । ଶ୍ରେୟସ ଆୟର ଓ ରବିଚନ୍ଦ୍ରନ ଅଶ୍ବିନ ୨୯ ରନ ଲେଖାଏଁ ସ୍କୋର କରି ଭାରତୀୟ ସ୍କୋରକୁ ୩୯୮ରେ ପହଞ୍ଚାଇଥିଲେ ।

ଇଂଲଣ୍ଡ ପକ୍ଷରୁ ଏହି ପାଳିରେ ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ପୂର୍ବ ଟେଷ୍ଟର ଇଂରାଜୀ ହିରୋ ଟମ୍‌ ହାର୍ଟଲେ ସର୍ବାଧିକ ୪ ୱିକେଟ୍‌ ଅକ୍ତିଆର କରିଥିବାବେଳେ ରେହାନ ଅହମ୍ମଦ ୩ଟି ୱିକେଟ୍‌ ହାସଲ କରିଥିଲେ । ଅଭିଜ୍ଞ ପେସର ଜେମ୍ସ ଆଣ୍ଟରସନ୍‌ ୨ଟି ଓ ଶୋଏବ ବଶିର ଗୋଟିଏ ୱିକେଟ୍‌ ନେଇ ଭାରତୀ ବ୍ୟାଟିଂ କ୍ରମକୁ ଭାଙ୍ଗି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଗିଲ୍‌ଙ୍କ କମ୍‌ବ୍ୟାକ୍‌ ସେଞ୍ଚୁରି; ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌

ଏହାପରେ ଦ୍ବିତୀୟ ପାଳିରେ ୩୯୯ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଷ୍ଟୋକ୍ସ ବାହିନୀ । ଦଳକୁ ଦୁଇ ଓପନର ଜ୍ୟାକ୍‌ କ୍ରାଓଲେ ଓ ବେନ୍‌ ଡକେଟ୍‌ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ହେଲେ ଆକ୍ରାମକ ଆରମ୍ଭ କରିଥିବା ଡକେଟ ଭାରତୀୟ ଅଭିଜ୍ଞ ସ୍ପିନର ଅଶ୍ବିନଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସେ ୨୭ ବଲରୁ ୬ ଚୌକା ବଳରେ ୨୮ ରନ କରି ଅଶ୍ବିନଙ୍କ ଶିକାର ପାଲଟିଥିଲେ । ବର୍ତ୍ତମାନ ଜ୍ୟାକ୍‌ କ୍ରାଓଲେ ୨୯ ଓ ରେହାନ ଅହମ୍ମଦ ୯ ରନ କରି ପିଚ୍‌ରେ ମହଜୁଦ ରହିଛନ୍ତି । ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ୍‌ ହରାଇ ୬୭ ରନ କରିଛି । ଅର୍ଥାତ ଖେଳ ଆହୁରି ଦୁଇ ଦିନ ବାକି ଥିବାବେଳେ ଇଂଲଣ୍ଡ ହାତରେ ୯ ୱିକେଟ୍‌ ରହିଛି । ମ୍ୟାଚ୍‌ ବିଜୟ ପାଇଁ ଇଂଲଣ୍ଡକୁ ଆହୁରି ୩୩୨ ରନ ଆବଶ୍ୟକ ।

ବ୍ୟୁପୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.