ETV Bharat / sports

ରାଉରକେଲାରେ ଭାରତର ଧୂଆଁଧାର ବିଜୟ, ଅଷ୍ଟ୍ରେଲିଆକୁ ହରାଇଲା ନେଦରଲ୍ୟାଣ୍ଡ

author img

By ETV Bharat Odisha Team

Published : Feb 25, 2024, 11:08 PM IST

FIH Pro League
FIH Pro League

FIH Pro League: ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଦୁଇଟି ହାଇ ଭୋଲ୍ଟେଜ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ ଦେଇଛି ନେଦରଲ୍ୟାଣ୍ଡ । ଦ୍ବିତୀୟ ମ୍ୟାଚ୍‌ରେ ଆୟରଲ୍ୟାଣ୍ଡକୁ ୪-୦ ଗୋଲରେ ପରାସ୍ତ କରିଛି ଘରୋଇ ଭାରତ । ଅଧିକ ପଢ଼ନ୍ତୁ

FIH Pro League

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଶେଷ ହୋଇଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ତେବେ ଆଜି ପଞ୍ଚମ ଦିନରେ ଦୁଇଟି ହାଇ ଭୋଲ୍ଟେଜ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ ଦେଇଛି ନେଦରଲ୍ୟାଣ୍ଡ । ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଆୟରଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବିଜୟ ହାସଲ କରିଛି ଭାରତ । ଆୟରଲ୍ୟାଣ୍ଡକୁ ୪-୦ ଗୋଲରେ ପରାସ୍ତ କରିଛି ଘରୋଇ ଭାରତ ।

ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ: ଆଜି ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଅଷ୍ଟ୍ରେଲିଆକୁ ଏକ ପାଖିଆ ଭାବେ ହରାଇଛି ନେଦରଲ୍ୟାଣ୍ଡ । ଅଷ୍ଟ୍ରେଲିଆ ଖେଳ ଆରମ୍ଭରୁ ନେଦରଲ୍ୟାଣ୍ଡ ଉପରେ ଆକ୍ରାମକ ଢଙ୍ଗରେ ଖେଳିଥିଲା । ଏହାର ଫାଇଦା ନେଇ ଅଷ୍ଟ୍ରେଲିଆ ପକ୍ଷରୁ ଜେକବ ଆଣ୍ଡରସନ୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ଏହାର ଉତ୍ତରରେ ନେଦରଲ୍ୟାଣ୍ଡ ମଧ୍ୟ ଏକ କଡା ଜବାବ ଦେଇଥିଲା । ମ୍ୟାଚର ପ୍ରଥମ କ୍ବାର୍ଟରରେ ହିଁ ନେଦରଲ୍ୟାଣ୍ଡ ଖେଳାଳି ଦୁକୋ ତେଲେଙ୍କାମ୍ପ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଏବଂ ଦ୍ବିତୀୟ ଗୋଲ ମାରି ନେଦରଲ୍ୟାଣ୍ଡକୁ ଆଗୁଆ ରଖିଥିଲେ । ତେବେ ଏଥିରେ ଚାପଗ୍ରସ୍ତ ହୋଇ ପଡିଥିଲା ଅଷ୍ଟ୍ରେଲିଆ । ଲଗାତାର ନେଦରଲ୍ୟାଣ୍ଡ ଦଳ ନିଜର ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଆଜି ପରାସ୍ତ କରିଛି । ନେଦରଲ୍ୟାଣ୍ଡର ସମ୍ପୂର୍ଣ୍ଣ ଟିମ ଆଜି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ୫ ଗୋଲ କରିବାରେ ସଫଳ ହୋଇଥିଲା । ଅଷ୍ଟ୍ରେଲିଆ ଯଦିଓ ୩ ଗୋଲ କରିବାରେ ସଫଳ ହୋଇଥିଲା, ହେଲେ ୫-୩ ଗୋଲରେ ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସୁପର ସନ୍‌ ଡେ'ରେ ସୁପର ଫାଇଟ୍‌, ଭାରତକୁ ସମର୍ଥନ କରିବାକୁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ

ଭାରତ ବନାମ ଆୟରଲ୍ୟାଣ୍ଡ: ଆଜି ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଓ ଆୟରଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ । ପ୍ରଥମ କ୍ବାର୍ଟରରେ ଦୁଇଟି ପେନାଲଟି ପାଇଥିଲା ଆୟରଲ୍ୟାଣ୍ଡ । ହେଲେ ଏହାକୁ ଗୋଲ କରିବାକୁ ଦେଇନଥିଲେ ଭାରତୀୟ ଗୋଲ କିପର । ଭାରତୀୟ ହକି ଦଳ ମଧ୍ୟ ଆରମ୍ଭ ଆଜି ଆକ୍ରାମକ ରୂପେ କରିଥିଲା । ପ୍ରଥମ କ୍ବାର୍ଟରରେ ଭାରତୀୟ ଦଳ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ଏବଂ ନୀଳକଣ୍ଠ ଶର୍ମା କରିଥିଲେ ପ୍ରଥମ ଗୋଲ । ଏହା ସାଙ୍ଗକୁ ଆକାଶ ଦୀପ ସିଂହଙ୍କ ଦ୍ଵାରା ଫିଲଡ୍‌ ଗୋଲରେ ଭାରତ ୨-୦ରେ ଆଗୁଆ ରହିଥିଲା । କିନ୍ତୁ ଆୟରଲ୍ୟାଣ୍ଡ ମଧ୍ୟ ହାର ମାନିନଥିଲା ଏବଂ ସଂଘର୍ଷ ଜାରି ରଖିଥିଲା । ହେଲେ ମିଳିଥିବା ପେନାଲଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିପାରିନଥିଲା ଆୟରଲ୍ୟାଣ୍ଡ । ତୃତୀୟ କ୍ବାର୍ଟର ବେଳକୁ ଗୁର୍ଜନ୍ତ ସିଂହଙ୍କ ଦ୍ଵାରା ଏକ ଫିଲଡ୍‌ ଗୋଲ ହୋଇଥିଲା ଏବଂ ୩-୦ ସ୍କୋରରେ ପହଞ୍ଚିଥିଲା ଭାରତ । ତେବେ ଭାରତ ଆଗୁଆ ରହିଥିଲା। ଶେଷ କ୍ବାର୍ଟର ବେଳକୁ ଯୁଗରାଜ ସିଂହଙ୍କ ଗୋଲରେ ଭାରତ ୪-୦ ଗୋଲରେ ପହଞ୍ଚିଥିଲା । ଶେଷରେ ଭାରତ ଆଜି ଆୟରଲ୍ୟାଣ୍ଡକୁ ୪-୦ ଗୋଲରେ ପରାସ୍ତ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.