ETV Bharat / sports

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: 6-4 ଗୋଲରେ ଭାରତକୁ ହରାଇଲା କଙ୍ଗାରୁ ଦଳ

author img

By ETV Bharat Odisha Team

Published : Feb 16, 2024, 7:33 AM IST

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌
FIH Pro League

FIH Hockey Pro League: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଭାରତର ପ୍ରଥମ ପରାଜୟ । 6-4 ଗୋଲରେ ହରାଇଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ଏଫଆଇଏଚ ପୁରୁଷ ପ୍ରୋ ଲିଗ । ଗତ ସନ୍ଧ୍ୟାରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । 6-4 ଗୋଲରେ ଭାରତକୁ ହରାଇଛି କଙ୍ଗାରୁ ଟିମ । ପ୍ରଥମାର୍ଦ୍ଧରେ ଆକ୍ରମଣ ଖେଳ ଖେଳିଥିଲେ ମଧ୍ୟ ଚତୁର୍ଥ କ୍ବାଟରରେ ଭାରତଠାରୁ ବିଜୟକୁ ଛଡାଇ ନେଇଥିଲା ଅଷ୍ଟ୍ରେଲିଆ । ଚଳିତ ସିଜିନରେ ଘରୋଇ ମାଟିରେ ଏହା ଟିମ ଇଣ୍ଡିଆର ପ୍ରଥମ ପରାଜୟ । କ୍ରମାଗତ 2ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚରେ ଭାରତକୁ ପରାଜିତ ହେବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ-ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ନେଲା ବଦଲା, ଭାରତର ପରାଜୟ ଧାରା ଜାରି

ପ୍ରଥମ କ୍ବାଟରରେ ଅଷ୍ଟ୍ରେଲିଆ ପ୍ରଥମେ 2ଟି ଗୋଲ ଦେଇଥିବା ବେଳେ ଭାରତ ଗୋଟିଏ ଗୋଲ ଦେଇଥିଲା । ପରେ ଦ୍ବିତୀୟ କ୍ବାଟରରେ ଟିମ ଇଣ୍ଡିଆ ଜବରଦସ୍ତ କମବ୍ୟାକ କରିଥିଲା । ସୁଖଜିତ, ହର୍ମନପ୍ରୀତ ଓ ମନଦୀପ ଗୋଟିଏ ଲେଖାଏଁ ଗୋଲ ଦେଇ ଟିମକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । 4-2 ଗୋଲରେ ଆଗୁଆ ଥିଲା ଭାରତ । ଏହି କ୍ବାଟରରେ କଙ୍ଗାରୁ ଦଳ ଗୋଟିଏ ବି ଗୋଲ କରିବାକୁ ସକ୍ଷମ ହୋଇନଥିଲା । ତୃତୀୟ କ୍ବାଟରରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲା । ଶେଷ ତଥା ଚତୁର୍ଥ କ୍ବାଟରରେ ମ୍ୟାଚ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । କଙ୍ଗାରୁ ଦଳ କ୍ରମଶଃ 4ଟି ଗୋଲ ଦେଇ ବିଜୟୀ ହୋଇଥିଲା । ଭାରତ ଏହି କ୍ବାଟରରେ ଗୋଟିଏ ବି ଗୋଲ କରିନପାରି ପରାସ୍ତ ହୋଇଥିଲା । ଭାରତ 3ଟି ମ୍ୟାଚରୁ 5 ପଏଣ୍ଟ ପାଇ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ଆଜି ଆୟର୍ଲାଣ୍ଡ ସହ ଭାରତ ଅନ୍ତିମ ମ୍ୟାଚ ରହିଛି ।

ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବରର ମେୟର ସୁଲୋଚନା ଦାସ ଯୋଗଦେଇ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶା ମାଇନିଂର ପରିଚାଳନା ନିର୍ଦ୍ଦେଶକ ପୁରସ୍କାର ବିତରଣ ଉତ୍ସବରେ ସାମିଲ୍ ହୋଇ ଶ୍ରେଷ୍ଠ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗତ ସନ୍ଧ୍ୟାରେ ଆୟର୍ଲାଣ୍ଡ ଓ ସ୍ପେନ ମଧ୍ୟରେ ମ୍ୟାଚ ହୋଇଥିଲା । ସ୍ପେନ 4-2 ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ପ୍ରୋ ଲିଗରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ସ୍ପେନ ଖାତା ଖୋଲିଥିବା ବେଳେ ଆୟର୍ଲାଣ୍ଡର ହ୍ୟାର୍ଟିକ ପରାଜୟ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.