ETV Bharat / sports

FIH ଡବଲ ହେଡର: ଭାରତର ପରାଜୟ ଧାରା ଜାରି, ପ୍ରଥମ ମ୍ୟାଚ୍‌ରେ ସ୍ପେନର ବଡ଼ ବିଜୟ

author img

By ETV Bharat Odisha Team

Published : Feb 25, 2024, 6:35 AM IST

ରାଉରକେଲାରେ ଭାରତର ପରାଜୟ ଧାରା ଜାରି
ରାଉରକେଲାରେ ଭାରତର ପରାଜୟ ଧାରା ଜାରି

FIH Pro League 2024: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପରାଜୟ ଧାରା ଜାରି । ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ପେନାଲଟି ଶୁଟ୍‌ ଆଉଟ୍‌ରେ ୩-୦ ଗୋଲରେ ହାରିଲା ଭାରତ । ପ୍ରଥମ ମ୍ୟାଚ୍‌ରେ ଆୟରଲ୍ୟାଣ୍ଡ ବିପକ୍ଷରେ ସ୍ପେନର ବଡ଼ ବିଜୟ । ଅଧିକ ପଢ଼ନ୍ତୁ

ରାଉରକେଲାରେ ଭାରତର ପରାଜୟ ଧାରା ଜାରି

ରାଉରକେଲା: ଜାରି ରହିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପରାଜୟ ଧାରା ଜାରି । ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ପେନାଲଟି ଶୁଟ୍‌ ଆଉଟ୍‌ରେ ୩-୦ ଗୋଲରେ ହାରିଲା ଭାରତ । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଜାରି ରହିଥିବା ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଗତକାଲି ଦୁଇଟି ହାଇଭୋଲ୍ଟେଜ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଆୟରଲ୍ୟାଣ୍ଡକୁ ସ୍ପେନ ମାତ ଦେଇଥିଲା । ଅନ୍ୟପଟେ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପେନାଲଟି ଶୁଟ୍‌ ଆଉଟ୍‌ରେ ୩-୦ ଗୋଲରେ ହାରିଛି ଘରୋଇ ଭାରତ ।

ସ୍ପେନ ବନାମ ଆୟରଲ୍ୟାଣ୍ଡ: ଆଜିର ପ୍ରଥମ ମ୍ୟାଚ୍‌ ସ୍ପେନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ସ୍ପେନ୍‌ ଦଳ ଖେଳ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା ଏବଂ ଏହାର ଫାଇଦା ନେଇ ସ୍ପେନ୍‌ ଗୋଲ ମଧ୍ୟ ସ୍କୋର କରିଥିଲା । ମ୍ୟାଚର ପ୍ରଥମ କ୍ବାର୍ଟରର ଆରମ୍ଭରୁ ସ୍ପେନ୍‌ ଖେଳାଳି ଜୋସ ବସ୍ତେରା ଆୟରଲ୍ୟାଣ୍ଡ ଦଳ ବିପକ୍ଷରେ ପ୍ରଥମ ଗୋଲ ମାରି ଦଳକୁ ଆଗୁଆ କରିଥିଲେ । ଫଳରେ ଆରମ୍ଭରୁ ହିଁ ଚାପଗ୍ରସ୍ତ ହୋଇ ପଡିଥିଲା ଆୟରଲ୍ୟାଣ୍ଡ । ଦଳ ଗୋଟିଏ ମଧ୍ୟ ଗୋଲ କରିବାରେ ସଫଳ ହୋଇନଥିଲା । ଲଗାତାର ସ୍ପେନ ନିଜର ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଆୟରଲ୍ୟାଣ୍ଡକୁ ଧରାଶାୟୀ କରି ଦେଇଥିଲା । ଲଗାତାର ଭାବରେ ସ୍ପେନର ଅଳଭାର ଅଗଲେସିଆସ ୩ଟି ଗୋଲ ସ୍କୋର କରିଥିଲେ । ଦଳ ପକ୍ଷରୁ ସୀମୋ ଏଡୱାର୍ଡ, ବୋର୍ଜା ଲକେଲ ଓ ମାର୍କ ରେୟନେ ଗୋଟିଏ ଲେଖାଏଁ ଗୋଲ କରିବା ଫଳରେ ସ୍ପେନ ଏକ ବଡ଼ ବିଜୟ ଲାଭ କରିଛି । ୭-୦ ଗୋଲରେ ବିଜୟୀ ହୋଇଛି ସ୍ପେନ ।

ଏହା ମଧ୍ୟ ପଢ଼ନ୍ତୁ...ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଡବଲ୍‌ ହେଡର୍‌: ସ୍ପେନ୍‌ ବନାମ ଆୟାରଲ୍ୟାଣ୍ଡ, ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଭାରତ ବନାମ ଅଷ୍ଟ୍ରେଲିଆ: ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରରେ ହରମନପ୍ରୀତଙ୍କ ଦ୍ଵାରା ଭାରତୀୟ ଦଳ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଦଳ ମଧ୍ୟ ହାର ମାନିନଥିଲା । ଦଳ ପକ୍ଷରୁ ସ୍ଥିତିକୁ ବରାବର କରିବା ପରେ ଠିକ ହାଫ ଟାଇମ ପୂର୍ବରୁ ପେନାଲଟି କର୍ଣ୍ଣର ଭାରତକୁ ମିଳିଥିଲା ଏବଂ ଅମିତ ରୋହିଦାସଙ୍କ ଦ୍ଵାରା ଦ୍ବିତୀୟ ଗୋଲ କରିଥିଲା ଭାରତ । ହାଫ ଟାଇମ ବେଳକୁ ଭାରତ ୨-୧ରେ ଆଗୁଆ ରହିଥିଲା । ଚତୁର୍ଥ କ୍ବାର୍ଟରରେ ପେନାଲଟି ଷ୍ଟ୍ରୋକ୍‌କୁ ଅଟକାଇ ଭାରତକୁ ରକ୍ଷା କରିଥିଲେ ଶ୍ରୀଜେସ । ତେବେ ଅଷ୍ଟ୍ରେଲିଆ ଦଳର ଟମ କ୍ରାଇଗ ଚତୁର୍ଥ କ୍ବାର୍ଟର ବେଳକୁ ପୁଣି ଏକ ଗୋଲ କରି ସ୍କୋରକୁ ୨-୨ରେ ବରାବର କରିଥିଲେ । ତେବେ ଶେଷରେ ପେନାଲଟି ଶୁଟ୍‌ ଆଉଟ୍‌ ହୋଇଥିଲା । ଏଥିରେ ଭାରତକୁ ୩-୦ ଗୋଲରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.