ETV Bharat / politics

ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କରାନ୍ତୁ: ମନମୋହନ

author img

By ETV Bharat Odisha Team

Published : Mar 4, 2024, 9:14 PM IST

PM Modi Odisha visit
PM Modi Odisha visit

PM Modi Odisha visit: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

PM Modi Odisha visit

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ମୋଦି ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ସମସ୍ତ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଚେନ୍ନାଇରୁ ହାଇଦ୍ରାବାଦ ଏବଂ ହାଇଦ୍ରାବାଦରୁ ସିଧା ଭୁବନେଶ୍ବରକୁ ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଭୁବନେଶ୍ବରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ପହଞ୍ଚିବେ । ଅପରାହ୍ନ ୨.୪୫ ମିନିଟରେ ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହାପରେ ୩.୩୦ରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ନେତାଙ୍କୁ ଉଦବୋଧନ ଦେବେ ।"

ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ବିଜେପି ବିଧାୟକ, ସାଂସଦ ଏବଂ ନେତାମାନେ ଯୋଗ ଦେବେ । ତେବେ ଏହି ସାଧାରଣ ସଭା ଦିନ ୧୧ଟାରୁ ଆରମ୍ଭ ହେବ ବୋଲି ମନମୋହନ ସାମଲ କହିଛନ୍ତି । ସେହିପରି ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ରେଳବାଇ, ଜାତୀୟ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସୂଚନା ଥାଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ । ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିଥିଲେ । ଆଗକୁ ନିର୍ବାଚନ ଥିବାରୁ କ୍ରମାଗତ ଦୁଇ ମାସରେ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଅପେକ୍ଷା ‘ମୋଦି ଗ୍ୟାରେଣ୍ଟି’କୁ ଗୁରୁତ୍ବ ଦେବେ: ଦିଲ୍ଲୀପ ମଲ୍ଲିକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.