ETV Bharat / politics

ଗୋଷ୍ଠୀ କନ୍ଦଳ ଛଡ଼ାଇ ନେଇଥିଲା ଆସନ, ଏଥର ବାରବାଟୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା

author img

By ETV Bharat Odisha Team

Published : Feb 17, 2024, 8:18 PM IST

BJD Candidate of Cuttack Barabati: ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇପାରନ୍ତି । ଦେବାଶିଷ ରାଜ୍ୟସଭା ଯିବା ପରେ ବଢ଼ିଲା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ଏଥର ବାରବାଟୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା
ଏଥର ବାରବାଟୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା

ଏଥର ବାରବାଟୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା

କଟକ: ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଏଥର କିଏ ହେବ ବିଜେଡି ବିଧାୟକ ପ୍ରାର୍ଥୀ ? ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବାପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ଦେବାଶିଷ ଏଠାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ନିଜର ସଂଗଠନ ଜୋରଦାର କରୁଥିଲେ । ହେଲେ ଶେଷ ସମୟରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଦେବା ଖୋଦ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏଭଳି ସ୍ଥିତିରେ ଏହି ନିର୍ବାଚନ ମଣ୍ଡଳୀରେ ଜଣେ ହେଭିୱେଟ ନେତା ବିଜେଡି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଠାରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦଳୀୟ କନ୍ଦଳ କାରଣରୁ ଗତ ନିର୍ବାଚନରେ ଏହି ଆସନ ହରାଇଥିଲା ବିଜେଡି । ତେଣୁ ଏଥର ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ରିସ୍କ ନନେଇ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟିରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି ।

ରାଜ୍ୟସଭା ଯିବେ ଦେବାଶିଷ: ପୂର୍ବତନ କଟକ-ବାରବାଟୀ ବିଧାୟକ ତଥା ଗତ ନିର୍ବାଚନରେ ଏଠାରୁ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବେ ରାଜ୍ୟସଭା ସାଂସଦ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପରେ ଏହି ଆସନରେ କିଏ ବିଜେଡି ପ୍ରାର୍ଥୀ, ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯଦିଓ ଦେବାଶିଷ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ନିଜର ସଂଗଠନ ଜୋରଦାର କରୁଥିଲେ, ମାତ୍ର ଦଳର ନିଷ୍ପତ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି । ସେହିପରି ଅନେକ ନେତା ଏବଂ କର୍ମୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । କାରଣ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଦେବାଶିଷ ହିଁ ଲଢ଼ିବେ ବୋଲି ପ୍ରାୟ ସମସ୍ତେ ଭାବି ନେଇଥିଲେ । ନିଜେ ଦେବାଶିଷ ମଧ୍ୟ ଏନେଇ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ । ଚା' ଖଟିଠାରୁ ଆରମ୍ଭ କରି ଘରେ ଘରେ ଶଙ୍ଖ ଷ୍ଟିକର ଲଗାଇ ଅନେକ କାର୍ଯ୍ୟକ୍ରମରେ ନିଜେ ସାମିଲ ରହି ସଂଗଠନକୁ ସୁଦୃଢ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟସଭା ଯିବେ ଦେବାଶିଷ, ବାରବାଟୀରେ ବିଜେଡିକୁ ମିଳିବ କି ଫାଇଦା ?

ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା: ଦେବାଶିଷ ରାଜ୍ୟସଭା ପାଇଁ ମନୋନୀତ ହେବାପରେ ଏହି ଆସନକୁ ନେଇ ଅନେକ ଚର୍ଚ୍ଚା ହେଲାଣି । କୁହାଯାଉଛି ଏହି ନିର୍ବାଚନ ମଣ୍ଡଳୀରେ ଜଣେ ହେଭିୱେଟ୍‌ ନେତା ବିଜେଡିର ପାର୍ଥୀ ହେବେ । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଲଢ଼ିବା ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଦେବାଶିଷଙ୍କ ମନ୍ତବ୍ୟକୁ ବିଚାରକୁ ନିଆଯାଏ, ତେବେ ସେ କହିଥିଲେ ଏହି ନିର୍ବାଚନ ମଣ୍ଡଳୀରେ ପାର୍ଥୀ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ସେ ନିଶ୍ଚୟ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହୋଇଥିବେ । ଖୋଦ ଦେବାଶିଷଙ୍କ ଏଭଳି ମନ୍ତବ୍ୟ ଏଠାରୁ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

'ଜନ୍ମସ୍ଥାନରୁ ଲଢ଼ିବା ଅସମ୍ଭବ ନୁହେଁ': ରାଜନୀତି ସମୀକ୍ଷକ ଡଃ ଓମକାର ରାଉତ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନାଁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଚର୍ଚ୍ଚା ହେଉଛି । ତାହା ଅସମ୍ଭବ ନୁହେଁ । କାରଣ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ସ୍ଥାନ କଟକ । ଗତ ୫ ବର୍ଷ ମଧ୍ୟରେ କଟକର ଅନେକ ସ୍ଥାନରେ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି । ବିଶେଷକରି ବହୁ ବଡ଼ ବଡ଼ ପ୍ରକଳ୍ପ ଏହି ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ସେ SCB ମେଡିକାଲର ସମ୍ପ୍ରସାରଣ ହେଉ କିମ୍ବା ନୂତନ ବସ ଟର୍ମିନାଲ କଥା ହେଉ । କେବଳ ସେତିକି ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ଲଢ଼ିଲେ ଦଳ ଏକତ୍ରିତ ହୋଇ ଲଢ଼ିବ । କାରଣ ଗତ ନିର୍ବାଚନରେ ଦଳୀୟ କନ୍ଦଳ କାରଣରୁ ଏହି ଆସନ ବିଜେଡି ହାତରୁ ଚାଲିଯାଇଥିଲା । ଯାହା ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବ ଏଠାରେ ଦଳକୁ ବେଶ ଫାଇଦା ଦେବ ।"

'ମୁଖ୍ୟମନ୍ତ୍ରୀ ଲଢ଼ିଲେ ଲକ୍ଷାଧିକ ଭୋଟରେ ଜିତିବେ': ମେୟର ସୁବାସ ସିଂହ ଯଦିଓ ଏହି କଥାରେ ସିଧାସଳଖ ହଁ ଭରିନାହାନ୍ତି, ସେ ଏହାକୁ ଅସ୍ବୀକାର ମଧ୍ୟ କରିନାହାନ୍ତି । ସେ କହିଛନ୍ତି, "କିଏ ପ୍ରାର୍ଥୀ ହେବ, ଏ ବିଷୟରେ ଦଳ ନିଷ୍ପତ୍ତି ନେବ । ହେଲେ ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାରେ ଯେଉଁ ଆସନରୁ ଲଢ଼ିବେ, ଲକ୍ଷାଧିକ ଭୋଟରେ ଜିତିବେ । ସାରା ଓଡ଼ିଶାବାସୀ ତାଙ୍କ ସହ ଅଛନ୍ତି । ଆଉ କଟକ ତ ତାଙ୍କ ଜନ୍ମମାଟି । ତେଣୁ ଏଠାରୁ ଲଢ଼ିଲେ ସେ ଆହୁରି ଅଧିକ ଭୋଟରେ ଜିତିବେ ।

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ସରପ୍ରାଇଜ କାର୍ଡ: ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ସ୍ବାଗତ କଲେ ମୋକିମ: ମୁଖ୍ୟମନ୍ତ୍ରୀ ନିଜେ କଟକ ବାରବାଟୀରେ ଲଢ଼ିଲେ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି ବର୍ତ୍ତମାନର ବାରବାଟୀ ବିଧାୟକ ତଥା କଂଗ୍ରେସ ହେଭିୱେଟ୍‌ ମହମ୍ମଦ ମୋକିମ । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ବନ୍ଦ୍ବୀ ହେଲେ ଭଲ ଲାଗିବ । ଲଢ଼େଇ ମଧ୍ୟ ଜୋରଦାର ହେବ । ଭାଇଚାରାର ସହର କଟକ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଆଉ କେହି... ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବନି ।"

ଗତ ନିର୍ବାଚନ ଫଳାଫଳ: ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ 2009 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ଏକପାଖିଆ ଭାବେ ହରାଇଥିଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ । ହେଲେ 2014ରେ ଦେବାଶିଷଙ୍କୁ କଡ଼ା ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ । 57,636 ଭୋଟ ପାଇ ଦେବାଶିଷ ବିଜୟୀ ହୋଇଥିବାବେଳେ 43,335 ଭୋଟ ପାଇଥିଲେ ମୋକିମ । ଏହାପରେ 2019 ନିର୍ବାଚନରେ କିନ୍ତୁ ବାଜି ପଲଟାଇଥିଲେ ମୋକିମ । ସେ କଡ଼ା ପ୍ରତିଦ୍ବନ୍ଦ୍ବିତା ଭିତରେ ଦେବାଶିଷଙ୍କୁ ମାତ ଦେଇଥିଲେ । ମୋକିମ 50,244 ଭୋଟ ପାଇଥିବାବେଳେ ଦେବାଶିଷଙ୍କୁ ମିଳିଥିଲା 48,101 ଭୋଟ । ଏଥର ମୋକିମ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ କିଏ ହେଉଛି, ତାହା ହେବ ନିର୍ବାଚନୀ ଟ୍ବିଷ୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.