ETV Bharat / politics

ରୋହିତଙ୍କ ପାଇଁ ସହଜ ହେବନି ସମ୍ବଲପୁର ଲଢେଇ ! - Rohit Pujari To Face Difficulties

author img

By ETV Bharat Odisha Team

Published : Apr 19, 2024, 7:49 AM IST

sambalpur assembly constituency
sambalpur assembly constituency

Rohit Pujari To Face Difficulties: ରେଢାଖୋଲରୁ ପ୍ରାର୍ଥିତ୍ବ ବଦଳାଇ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ରୋହିତଙ୍କୁ ପ୍ରାର୍ଥୀ କରିଛି । ସେଠାରେ ତାଙ୍କୁ କେଉଁ କେଉଁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ସେନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

sambalpur assembly constituency

ସମ୍ବଲପୁର: ରୋହିତ ପୂଜାରୀ ଏଥର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ 2014 ଓ 2019ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହେବା ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ । ଏଥର ମଧ୍ୟ ରୋହିତ ପ୍ରଥମେ ରେଢ଼ାଖୋଲରୁ ଟିକଟ ପାଇଥିବା ବେଳେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଟିକଟ ପାଇଥିଲେ । ହେଲେ ପ୍ରସନ୍ନ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବାରୁ ରୋହିତଙ୍କୁ ସମ୍ବଲପୁର ଓ ରେଢ଼ାଖୋଲରୁ ପ୍ରସନ୍ନଙ୍କୁ ପ୍ରାର୍ଥୀ କଲା ବିଜେଡି । ଆଉ ରୋହିତ ଏବେ ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ରେଢ଼ାଖୋଲ ପରି ସମ୍ବଲପୁର ଆସନ ରୋହିତଙ୍କ ପାଇଁ ସହଜ ହେବନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଏନେଇ ରାଜନୀତି ସମୀକ୍ଷକ ରାଜାରାମ ପାଢ଼ୀ କହିଛନ୍ତି, "ରୋହିତଙ୍କ ପାଇଁ ସହଜ ହେବନି ସମ୍ବଲପୁର ବିଧାନସଭା ଆସନ । ରେଢ଼ାଖୋଲ ପରି ପରିସ୍ଥିତି ସମ୍ବଲପୁରରେ ନାହିଁ । ରୋହିତଙ୍କୁ ସମ୍ବଲପୁରରେ ବିଜେପିର ଜୟନାରାୟଣ ମିଶ୍ରଙ୍କ ସହ ମୁକାବିଲା କରିବା ସହିତ ଦଳୀୟ ଅନ୍ତକନ୍ଦଳର ସମ୍ମୁଖୀନ ହେବାକୁ ପଡିପାରେ । 2009ରେ ରୋହିତ କଂଗ୍ରେସରୁ ବିଜେଡିକୁ ଆସିବା ପରେ ସମ୍ବଲପୁର ଲୋକସଭା ସିଟରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ସେତେବେଳେ ସେ କଂଗ୍ରେସର ଅମରନାଥ ପ୍ରଧାନଙ୍କଠାରୁ ପରାଜିତ ହୋଇଥିଲେ । ଏହାପରେ ସେ ସମ୍ବଲପୁର ଜିଲ୍ଲାରେ ବିଜେଡିର ସଂଗଠନକୁ ସୁଦୃଢ କରିଥିଲେ । ତେବେ 2014ରେ ସେ ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ 2019ରେ ମଧ୍ୟ ସେ ରେଢ଼ାଖୋଲରୁ ବିଜୟୀ ହୋଇଥିଲେ । ଏହି 10 ବର୍ଷ ମଧ୍ୟରେ ରେଢ଼ାଖୋଲରେ ରୋହିତ ଭଲ ସଂଗଠନ ତିଆରି କରିଥିଲେ ।"

"ବର୍ତ୍ତମାନ ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ସେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ତଥା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଯୁବନେତା ସଞ୍ଜିତ ମହାନ୍ତିଙ୍କ ଗୋଷ୍ଠୀ ପକ୍ଷରୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ସମ୍ବଲପୁରରେ ରୋହିତଙ୍କ ପତିଆରାକୁ ରୋକିବା ପାଇଁ ଦଳ ଭିତରୁ ଏଭଳି ବିରୋଧ ହୋଇପାରେ । ଯେହେତୁ ସମ୍ବଲପୁର ଲୋକସଭା ସିଟରୁ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି ସେ ଯଦି ଏହି ଅନ୍ତର୍ଦ୍ୱନ୍ଦ ଉପରେ ହସ୍ତକ୍ଷେପ କରନ୍ତି ଓ ଦଳକୁ ଏକଜୁଟ କରିପାରନ୍ତି ତାହେଲେ ରୋହିତଙ୍କ ବିଜୟ ସମ୍ଭାବନା ଅଧିକ" ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଏହା ବି ପଢନ୍ତୁ...ସମ୍ବଲପୁରରେ ବିଜେଡିର ୨ ପ୍ରାର୍ଥୀ ଇମ୍ପୋଟେଡ୍: ଜୟ ନାରାୟଣ - Jay Narayan Mishra Slams BJD

ଅନ୍ୟପଟେ ରୋହିତ ସମ୍ବଲପୁରରୁ ପ୍ରାର୍ଥୀ ହେବା ପରେ ବିକାଶକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ଲଢ଼ିବେ ବୋଲି କହିସାରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଲୋକଙ୍କ ପାଖକୁ ଯିବେ ଓ ବିଜେଡିର ସ୍ୱାର୍ଥ ପାଇଁ ନବୀନଙ୍କ ସୈନିକ ହୋଇ ଲଢ଼ିବେ କହିଛନ୍ତି । ତେବେ ରୋହିତ ପ୍ରାର୍ଥୀ ହେବା ପରେ କେତେକ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି । ହେଲେ ଆଗକୁ ସ୍ପଷ୍ଟ ହେବ ଯେ ବିଜେଡିର ଶୀର୍ଷ ନେତୃତ୍ୱ ନିଜ ଦଳର ମତଭେଦକୁ ଦୂର କରିପାରୁଛନ୍ତି ନା ନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.