ETV Bharat / politics

କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ: ବିଜେଡିର ଜୋରଦାର ପ୍ରଚାର, ଏଯାଏଁ ଛିଣ୍ଡିନି କଂଗ୍ରେସ-ବିଜେପିର ପ୍ରାର୍ଥୀ ଅଙ୍କ - Cuttack Barabati Constituency

author img

By ETV Bharat Odisha Team

Published : Apr 17, 2024, 10:48 PM IST

Cuttack-Barabati Constituency
Cuttack-Barabati Constituency

Cuttack-Barabati Constituency: କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ମୋକିମ ନା ତାଙ୍କ ଝିଅ ସୋଫିଆ ଫିରଦୋଜଙ୍କୁ ପ୍ରାର୍ଥୀ କରିବ ସେନେଇ ଲାଗିଛି ଛକାପଞ୍ଝା । ସେପଟେ ବିଜେଡି ପ୍ରକାଶଙ୍କ ପାଇଁ ଜୋରଦାର କରିଛି ପ୍ରଚାର । କେମିତି ଅଛି ଏଠାକାର ରାଜନୀତି ପାଣିପାଗ ଜାଣନ୍ତୁ ।

Cuttack-Barabati Constituency

କଟକ: ପୁଣି ଚର୍ଚ୍ଚାରେ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ହେଲେ ବିରୋଧୀ ଏଯାବତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସ ପ୍ରାର୍ଥୀ କିଏ ହେବ ତାହା ବର୍ତ୍ତମାନର ବଡ଼ ପ୍ରଶ୍ନ । ମହମ୍ମଦ ମୋକିମ ହେବେ କିମ୍ବା ତାଙ୍କ ଝିଅ ସୋଫିଆ ହେବେ ସେନେଇ ବି ଚର୍ଚ୍ଚା ଲାଗି ରହିଛି । ଆଇନ ଜାଲରେ ଛନ୍ଦି ହୋଇପଡିଥିବା କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ କଟକ-ବାରବାଟୀରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଥିଲା । ଆସନ୍ତା ୨୨ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମୋକିମଙ୍କୁ ଯଦି ସୁପ୍ରିମକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରନ୍ତି ତେବେ ମୋକିମ ନିର୍ବାଚନ ଲଢ଼ି ପାରିବେ। ନଚେତ ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ସମ୍ଭବ ହେବନାହିଁ । ଏଥିପାଇଁ କଂଗ୍ରେସ ବାରବାଟୀ-କଟକରେ ପ୍ରାର୍ଥୀ ଘୋଷଣା କରିନଥିବା କୁହାଯାଉଛି ।

ସେହିପରି ମୋକିମ ଯଦି ସୁପ୍ରିମକୋର୍ଟରୁ ନିରାଶ ହୁଅନ୍ତି, ତାଙ୍କ ଝିଅ ସୋଫିଆ ଫିର୍ଦୋସ ଲଢିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ଯଦିଓ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ତଥାପି ବାରବାଟୀରେ ଏହାକୁ ନେଇ ଚର୍ଚ୍ଚା ବଢିଛି । ଯଦି ମୋକିମଙ୍କ ବଦଳରେ ଝିଅ ସୋଫିଆ ନିର୍ବାଚନ ଲଢନ୍ତି, ତେବେ ସୋଫିଆଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ । କାରଣ ମୋକିମଙ୍କର ଭଲ ସଙ୍ଗଠନ ରହିଥିବା ନେଇ ରାଜନୀତି ସମୀକ୍ଷକ ମତ ରଖିଛନ୍ତି ।

ସେହିପରି ବିଜେପି ମଧ୍ୟ କଟକ-ବାରବାଟୀରୁ ପ୍ରାର୍ଥୀ ଘୋଷଣା କରିନାହିଁ। ଅନେକ ଆଶାୟୀଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବ ତାହାର ଚିତ୍ର ଏବେବି ଅସ୍ପଷ୍ଟ । କିନ୍ତୁ ବିଜେପି ସଙ୍ଗଠନର ନେତୃତ୍ୱ ନେବାକୁ ମଧ୍ୟ ଜିଲ୍ଲା ସଭାପତି ପଦବୀ ଫାଙ୍କା ରହିଛି । ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ଏହି ପଦବୀ ଫାଙ୍କା ପଡ଼ିଛି । କୁହାଯାଉଛି ଯେ, କଟକ-ବାରବାଟୀରେ ବିଜେପି ସଙ୍ଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଗୋଟିଏ ପଟେ ନେତୃତ୍ୱର ଅଭାବ ଥିବାବେଳେ ଅନ୍ୟପଟେ ଅନେକ ଆଶାୟୀ ରହିଛନ୍ତି । ତେଣୁ ଟିକେଟ୍ ଘୋଷଣା ପରେ କନ୍ଦଳ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ଏନେଇ ମଧ୍ୟ କୌଣସି ନେତା ମୁହଁ ଖୋଲୁ ନାହାନ୍ତି।
ଏହା ବି ପଢନ୍ତୁ...ସୁପ୍ରିମକୋର୍ଟ ଗଲେ ମୋକିମ, ତଳକୋର୍ଟ ରାୟକୁ ଚାଲେଞ୍ଜ କରି ମାମଲା ଦାୟର - Moquim Moves SC


ଅନ୍ୟପଟେ ବିଜେଡି ପ୍ରକାଶ ବେହେରାଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରି ବିଜେଡି ତାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ପ୍ରକାଶ ବେହେରା କଟକ-ବାରବାଟୀରେ ଯଦିଓ ନୂଆ ଚେହେରା, ମାତ୍ର ବିଜେଡି ନେତା ଓ କର୍ମୀମାନେ ପ୍ରକାଶଙ୍କ ପାଇଁ ପ୍ରଚାର ଆରମ୍ଭ କରିସାରିଲେଣି । ତେବେ ଯୁବ ଛାତ୍ର ନେତା ମଧ୍ୟ ପ୍ରକାଶଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜେ ପ୍ରକାଶଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଯୁବ କର୍ମକର୍ତ୍ତାଙ୍କ ସମର୍ଥନରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଆଶା ପ୍ରକଟ କରିଛନ୍ତି ପ୍ରକାଶ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.