ETV Bharat / politics

ମୋଦି ଗ୍ୟାରେଣ୍ଟିରୁ ଓଡ଼ିଶା ଅଧିକ ଲାଭବାନ ହେବ: ମନମୋହନ - BJP Press Meet

author img

By ETV Bharat Odisha Team

Published : Apr 15, 2024, 8:34 PM IST

BJP Press Meet
BJP Press Meet

BJP Press Meet: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର 'ମୋଦି କି ଗ୍ୟାରେଣ୍ଟି' ଐତିହାସିକ ବୋଲି କହିଲା ରାଜ୍ୟ ବିଜେପି । ମୋଦି ଗ୍ୟାରେଣ୍ଟିରୁ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

BJP Press Meet

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଏହି ସଂକଳ୍ପ ପତ୍ର ହେଉଛି 'ମୋଦି ଗ୍ୟାରେଣ୍ଟି' । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଇସ୍ତାହାର କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଇସ୍ତାହାର କମିଟି ମୁଖ୍ୟ ରାଜନାଥ ସିଂ, ସଂସଦୀୟ ବୋର୍ଡ ସଦସ୍ୟ ଓ ଇସ୍ତାହାର କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । 2014 ଏବଂ 19ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ବିଜେପି ପୂରଣ କରିଛି ଏବଂ 2024ରେ ମଧ୍ୟ ସମସ୍ତ ପ୍ରତିଶୃତି ପୂରଣ କରାଯିବ ବୋଲି ମନମୋହନ କହିଛନ୍ତି । 2024ରେ ମୋଦି ଗ୍ୟାରେଣ୍ଟିରୁ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ସେ କହିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଛନ୍ତି, "କେନ୍ଦ୍ର ଆଣିଥିବା ସଂକଳ୍ପ ପତ୍ର ଭିଜନ ଡକ୍ୟୁମେଣ୍ଟ 5 ବର୍ଷର ରୋଡ୍‌ ମ୍ୟାପ୍‌ । ସଂକଳ୍ପ ପତ୍ରରେ ଥିବା ସମସ୍ତ ପ୍ରତିଶୃତି ଚାଷୀ, ଗରିବ, ମହିଳା ଏବଂ ଯୁବ ବର୍ଗ ପାଇଁ ଉତ୍ସର୍ଗୀକୃତ । 24 ମୋଦି ଗ୍ୟାରେଣ୍ଟିରୁ ଅଧିକ ଲାଭବାନ ହେବ ଓଡ଼ିଶା । ଭିତ୍ତିଭୂମି ଏବଂ ନୂଆ ଶିକ୍ଷାନୀତିରେ ସବୁଠୁ ଅଧିକ ଫାଇଦା ନେବ ଓଡ଼ିଶା । ୟୁସିସି ଏବଂ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରତିଶୃତି ଐତିହାସିକ । ପାଇପ୍‌ ଦ୍ଵାରା ସବୁ ଘରେ ପହଞ୍ଚିବ ରୋଷେଇ ଗ୍ୟାସ । କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ତିଆରି ହେବ । ଗରିବ ଓ ଚାଷୀଙ୍କୁ ସଶକ୍ତ କରାଯିବ ।"

ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ କିନ୍ନର । 70 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ଆୟୁଷ୍ମାନ ଭାରତ ସୁବିଧା । ଗରିବଙ୍କ ପାଇଁ ଆହୁରି 3 କୋଟି ପିଏମ୍‌ ଆବାସ ନିର୍ମାଣ କରାଯିବ । ଆସନ୍ତା 5 ବର୍ଷ ପାଇଁ ମାଗଣାରେ ମିଳିବ ରାସନ । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ବୃଦ୍ଧି କରାଯିବ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା । ବାମପନ୍ଥୀ, ଉଗ୍ରବାଦୀଙ୍କୁ ନିପାତ କରାଯିବ । ସୀମା ଭିତ୍ତିଭୂମି ଆହୁରି ସୁଦୃଢ଼ କରାଯିବ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରାଯିବ । ମୁଦ୍ରା ଯୋଜନାରେ ଋଣ ସୀମା 10 ଲକ୍ଷରୁ 20 ଲକ୍ଷକୁ କରାଯିବ ବୃଦ୍ଧି । ପ୍ରଶ୍ନପତ୍ର ଲିକ୍‌ ପାଇଁ ଆସିବ କଡ଼ା ଆଇନ । ଅଧିକ ରୋଜଗାର ସୃଷ୍ଟି ବିଜେପି ସରକାରର ଲକ୍ଷ୍ୟ ରହିବ ବୋଲି ମନମୋହନ କହିଛନ୍ତି ।

ସେହିପରି ବିଜେପି ସଂକଳ୍ପ ପତ୍ର ଅନୁସାରେ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଜନ ଔଷଧ କେନ୍ଦ୍ରର ବିସ୍ତାର କରାଯିବ । ଡିଜିଟାଲ ଜନଜାତି ଏକାଡେମୀ ପ୍ରତିଷ୍ଠା ହେବ । ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଦେଶବ୍ୟାପୀ ପାଳନ କରାଯିବ । 700ରୁ ଅଧିକ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଯିବ । ସାରା ବିଶ୍ବରେ ରାମାୟଣ ଉତ୍ସବ ପାଳନ କରାଯିବ । ପୂରା ଦେଶରେ 'ଇଭି' ଗାଡ଼ି ପାଇଁ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରାଯିବ । ଅଧିକରୁ ଅଧିକ ଲୋକଙ୍କୁ ପିଏମ୍‌ ସୂର୍ଯ୍ୟ ଯୋଜନାରେ ସାମିଲ କରାଯିବ । ନୂଆ ଆଇଆଇଟି, ଆଇଆଇଏମ୍‌, ଏମ୍ସ ପ୍ରତିଷ୍ଠା କରାଯିବ । ଖୁବଶୀଘ୍ର ଗଡିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଉତ୍ତର, ପୂର୍ବ ଓ ଦକ୍ଷିଣ ଭାରତରେ ବୁଲେଟ ଟ୍ରେନ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ...BJP ଇସ୍ତାହାର କେବଳ ଏକ ମିଛ ବଣ୍ଡଲ୍‌, ବେକାରୀ ସମ୍ପର୍କରେ କିିଛି ନାହିଁ: କଂଗ୍ରେସ - Congress target BJP Manifesto

ତେବେ ମେ' ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ଆସିବ ସଂକଳ୍ପ ପତ୍ର । ଏପ୍ରିଲ 21ରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ ଆଣିବ ରାଜ୍ୟ ବିଜେପି । କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦଳ ଜାରି କରିବ ଚାର୍ଜସିଟ୍‌ ବୋଲି ମନମୋହନ କହିଛନ୍ତି । ସେପଟେ ବିଜେପିର ବିଧାୟକ ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ସେ କହିଛନ୍ତି, "ଆସନ୍ତା 18 ତାରିଖରେ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । 18 ତାରିଖ ବହୁତ ଦିନ ଅଛି । ଏ ସମୟରେ ବହୁତ ପାଣି ମହାନଦୀ ଏବଂ ବୈତରଣୀରେ ବହିବ । ସମୟ ଅଛି, ଠିକ ସମୟରେ ତାଲିକା ପ୍ରକାଶ ପାଇବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.