ETV Bharat / politics

ଡିଏସ କୁଟ୍ଟେଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି - BJP Alleges Against DS Kuttey

author img

By ETV Bharat Odisha Team

Published : Apr 11, 2024, 7:24 AM IST

BJP Alleges Against DS Kuttey: ଡି.ଏସ.କୁଟ୍ଟେଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହେଉଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

BJP Alleges Against DS Kuttey
BJP Alleges Against DS Kuttey

BJP Alleges Against DS Kuttey

ଭୁବନେଶ୍ବର: ପୋଲିସ ଆଇଜି ଡି.ଏସ.କୁଟ୍ଟେଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେଡି ପାଇଁ ସରକାରୀ ଅଧିକାରୀମାନେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି ବିଜେପି । ଆଇଆଇସି ଓ ଏସପି, ରାଜନୈତିକ ଲୋକମାନଙ୍କୁ ଫୋନ କରି ଡିଏସ କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ । "ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହେଉଥିବାବେଳେ ଗଣମାଧ୍ୟମକୁ ମଧ୍ୟ ବହୁ ସ୍ଥାନରେ ବାରଣ କରାଯାଉଛି । ବିଭିନ୍ନ ସିମ କାର୍ଡ ଜରିଆରେ ବିଜେଡିକୁ ପ୍ରମୋଟ କରାଯାଉଛି । ସବୁ ଫଣ୍ଡିଂ କେଉଁଠୁ ଆସୁଛି ତାହାକୁ ନଜର ରଖନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ" ବୋଲି କହିଛି ବିଜେପି ।

"ଭାରତୀୟ ନିର୍ବାଚନ ଆୟୋଗଙ୍କ ଛାଟ ପରେ ବାଧ୍ୟ ହୋଇ କିଛି ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ବଦଳି କରାଗଲା । ଦୀର୍ଘ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ପୋଲିସ ଆଇଜି ଡି.ଏସ.କୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ତତ୍କାଳୀନ ପୋଲିସ ଡିଆଇଜି ଆଶିଷ ସିଂହ ପଦନ୍ନୋତି ପାଇବା ପରେ ଅନ୍ୟତ୍ର ପୋଷ୍ଟିଂ ପାଇଥିଲେ । ନିର୍ବାଚନରେ ଶାସକ ବିଜେଡି ସପକ୍ଷରେ ନିର୍ବାଚନ ପରିଚାଳନା କାର୍ଯ୍ୟ କରିଥିବା ଅନେକ ପ୍ରମାଣ ରହିଛି । ନିର୍ବାଚନ ଆୟୋଗଙ୍କ ଛାଟ ପରେ ରାଜ୍ୟ ସରକାର ପୁଣି ଥରେ ଚଞ୍ଚକତା କରି ଆଇଜି ରାଙ୍କକୁ ପଦନ୍ନୋତି ପାଇଥିବା ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦେଇଛନ୍ତି । ସେହିପରି ଉତ୍ତରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରଭାବିତ ହେବ" ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO
ଏନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହେଉଛି ଗଞ୍ଜାମ । କିନ୍ତୁ ସେଠାରେ ଭୋଟରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନିର୍ବାଚନ ଆସିଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳ ରକ୍ତମୁଖା ହୋଇଯାଏ । ଶାସକ ଦଳ ବିରୋଧରେ ଯିଏ ମୁହଁ ଖୋଲେ ସେ ମୃତ୍ୟୁବରଣ କରେ । ଗଞ୍ଜାମ ଜିଲ୍ଲାରେ ହତ୍ୟା ରେକର୍ଡ ଦିନକୁ ଦିନ ବଢ଼ୁଛି । ଗତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ହତ୍ୟା ଘଟିଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୧୩ରୁ ଉର୍ଦ୍ଧ୍ୱ ହତ୍ୟାକାଣ୍ଡ ଘଟିସାରିଛି । ଗତ ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ, ୨୦୨୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯିବା ସତ୍ତ୍ବେ ସୁରକ୍ଷା ପ୍ରଦାନ କରାନଯିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ।" ଏହି ଅବସରରେ ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.