ETV Bharat / politics

୩ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ସ୍ୱାଗତ ପାଇଁ ରାଜ୍ୟ ବିଜେପିର ଜୋରଦାର ତୟାରୀ , ଅଡିଓ-ଭିଡିଓ ରିଲିଜ

author img

By ETV Bharat Odisha Team

Published : Jan 31, 2024, 11:14 AM IST

Updated : Jan 31, 2024, 11:38 AM IST

PM Modi to visits Sambalpur
ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପ୍ରସ୍ତୁତି

PM Modi to visits Sambalpur: ଆସନ୍ତା ୩ରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ଜିଲ୍ଲା ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି l ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାକୁ ଥିବା ସଭାସ୍ଥଳରେ ସୁରକ୍ଷା ସ୍ଥିତି ପରଖିଛି ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଟିମ୍ । ଅଧିକ ପଢ଼ନ୍ତୁ

ସମ୍ବଲପୁର: ଆସନ୍ତା ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏଥିପାଇଁ ଜିଲ୍ଲା ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି l ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ପୋଷ୍ଟର ରିଲିଜ ସହ ଏକ ଭିଡିଓ ଓ ଅଡିଓ ଜାରି ହୋଇଛି । ମୋଦି ସମ୍ବଲପୁର ଆସି ସମ୍ବଲପୁର ଆଇଆଇଏମର ଉଦଘାଟନ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏନେଇ ରେଙ୍ଗାଳିି ବିଧାୟକ ନାଉରୀ ନାଏକ ସୂଚନା ଦେଇଛନ୍ତି ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ଫେବୃଆରୀ ୩ରେ ଦିନିକିଆ ସମ୍ବଲପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ଆସିବେ l ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁର ଗୋଶାଳା ସ୍ଥିତ ଆଇଆଇଏମ ହେଲିପ୍ୟାଡରେ ଓହ୍ଲାଇବେ l ଏଠାରେ ସେ ସମ୍ବଲପୁର ଆଇଆଇଏମର ଶୁଭ ଉଦଘାଟନ କରିବା ସହିତ ଆଭାସୀ ମାଧ୍ୟମରେ ୧୧ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ l ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ୩୦ରୁ ୪୦ ମିନିଟ ଧରି ଚାଲିବ l ଏହାପରେ ସେ ପୁଣି ହେଲିକପ୍ଟର ଯୋଗେ ସମ୍ବଲପୁର ରେମେଡ୍ ପଡିଆକୁ ଆସିବେ l ଏଠି ସେ ଏକ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣକୁ ଉଦବୋଧନ ଦେବେ l ଏଥିପାଇଁ ଅସ୍ଥାୟୀ ହେଲିପ୍ୟାଡ ତିଆରି ହୋଇସାରିଛି l ସଭା ହେବାକୁ ଥିବା ପଡିଆକୁ ସମ୍ବଲପୁର ଏସପି ମୁକେଶ ଭାମୁ, ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବୁଲି ଅନୁଧ୍ୟାନ କରିଛନ୍ତି l

ବିଜେପିର ବିଶାଳ ଗ୍ୟାରେଣ୍ଟି ସମାବେଶ: କେନ୍ଦ୍ରୀୟ ସୁରକ୍ଷା ବାହିନୀର ଟିମ୍ ମଧ୍ୟ ସଭା ପଡ଼ିଆ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିସାରିଛି l ରେମେଡ ପଡିଆରେ ହେବାକୁ ଥିବା ବିଜେପିର "ବିଶାଳ ଗ୍ୟାରେଣ୍ଟି ସମାବେଶ"ରେ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନ ଓ ସବୁ ବିଧାନସଭା ଆସନର ଲୋକ ଯୋଗ ଦେବେ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାଏକ ସୂଚନା ଦେଇଛନ୍ତି l ଏହି ଅବସରରେ ମୋଦିଙ୍କ ଗସ୍ତ ନେଇ ଜିଲ୍ଲା ବିଜେପି ପୋଷ୍ଟର ରିଲିଜ କରିବା ସହ ଏକ ଭିଡିଓ ଓ ଅଡିଓ ରିଲିଜ କରିସାରିଛି l


ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପଦ୍ମ ଶିବିରରେ ଉତ୍ସାହ: ସମ୍ବଲପୁରରେ ହେବାକୁ ଥିବା ଏହି ବିଶାଳ ଗ୍ୟାରେଣ୍ଟି ସମାବେଶ ପାଇଁ SPGର ଅନୁମତି ମିଳି ସାରିଥିବା ଜିଲ୍ଲା ବିଜେପି ପକ୍ଷରୁ ସୂଚନା ରହିଛି l ମୋଦିଙ୍କ ଏହି ଗସ୍ତ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି l ପ୍ରଥମେ ମୋଦିଙ୍କ ସମ୍ବଲପୁରର କାର୍ଯ୍ୟକ୍ରମ ଓ ପରେ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରର କାର୍ଯ୍ୟକ୍ରମ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି l ମୋଦିଙ୍କ ଗ୍ୟାରେଣ୍ଟିକୁ ଓଡ଼ିଶାବାସୀ ଗ୍ରହଣ କରିସାରିଛନ୍ତି ଓ ଆଗକୁ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି କହିଛନ୍ତି ବିଧାୟକ l ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପିର କେତେକ ପ୍ରମୁଖ ନେତା ସମ୍ବଲପୁର ଆସି ଡେରା ପକେଇଛନ୍ତି l

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ବିଜେପି

ଦେଶରେ ଏପ୍ରିଲ କିମ୍ବା ମେ'ରେ ଲୋକସଭା ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗେ ହେବ । ଏଥିପାଇଁ ସବୁ ରାଜନୈତିକ ଦଳର ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। ମୋଦିଙ୍କ ଏହି ଗସ୍ତ ରାଜ୍ୟ ବିଜେପିକୁ ଆହୁରି ବଳ ଦେବ । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ନିଜର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡ଼ିଆ ଆସିବାର କାର୍ଯ୍ୟକ୍ରମ ରହିଛି । ଦଳର ଦୁଇ ଶୀର୍ଷ ନେତାଙ୍କ ଗସ୍ତକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଉତ୍ସାହିତ ହୋଇ ପଡିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated :Jan 31, 2024, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.