ETV Bharat / politics

ବାଲେଶ୍ବର ଲୋକସଭା ଆସନରେ କିଏ ମାରିବ ବାଜି ? ପ୍ରତାପ-ଶ୍ରୀକାନ୍ତ-ଲେଖାଶ୍ରୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ - Balasore Lok Sabha Election 2024

author img

By ETV Bharat Odisha Team

Published : Apr 26, 2024, 7:34 PM IST

Updated : Apr 26, 2024, 8:30 PM IST

Balasore Lok Sabha Election 2024
Balasore Lok Sabha Election 2024

Balasore Lok Sabha Election 2024: ତିନି ପ୍ରମୁଖ ଦଳର ସାଂସଦ ପ୍ରାର୍ଥୀଙ୍କ ପ୍ରଚାରରେ ସରଗରମ ବାଲେଶ୍ବର ରାଜନୀତି । ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍‌ କରିଥିବାବେଳେ ପ୍ରତାପଙ୍କୁ ଚେକ୍‌ ଦେବାକୁ ମୈଦାନକୁ ଲେଖାଶ୍ରୀଙ୍କୁ ଓହ୍ଲାଇଛି ବିଜେଡି । ସେପଟେ କଂଗ୍ରେସ ଭେଟେରାନ ଶ୍ରୀକାନ୍ତ ଜେନାଙ୍କୁ ଆଣି ନିର୍ବାଚନରେ ଭରିଛି ଉଷ୍ମତା । ଅଧିକ ପଢ଼ନ୍ତୁ

Balasore Lok Sabha Election 2024

ବାଲେଶ୍ବର: ଚଳିତ ନିର୍ବାଚନକୁ ନେଇ ସବୁ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି । ବାଲେଶ୍ବର ଜିଲ୍ଲାରେ ଶେଷ ପର୍ଯ୍ୟାୟ, ଅର୍ଥାତ ଜୁନ ୧ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳର ପ୍ରଚାର ଜୋରଦାର ହେଉଛି । ବାଲେଶ୍ଵର ଲୋକସଭା ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ଯାହାପରେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଆସନ ପାଲଟିଛି ବାଲେଶ୍ବର ଲୋକସଭା ଆସନ । କାରଣ ଏଥର ବାଲେଶ୍ବର ଲୋକସଭା ଆସନରେ ତ୍ରିମୁଖୀ ଲଢେଇ ହେବ । କେଉଁ ପ୍ରାର୍ଥୀ କାହାଠୁ ମଧ୍ୟ କମ ନୁହଁନ୍ତି । ବିଜେପିର ପ୍ରତାପ ଷଡ଼ଙ୍ଗୀ, ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ବିଗ୍‌ ଫାଇଟ ହେବ ବୋଲି ଆଲୋଚନା ହେଉଛି ।

Balasore Lok Sabha Election 2024
Balasore Lok Sabha Election 2024
Balasore Lok Sabha Election 2024
Balasore Lok Sabha Election 2024

ବାଲେଶ୍ବର ଲୋକସଭା କ୍ଷେତ୍ର: ବାଲେଶ୍ବର ଲୋକସଭା କ୍ଷେତ୍ରରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି, ବାଲେଶ୍ଵର ସଦର, ଜଳେଶ୍ବର, ଭୋଗରାଇ, ବସ୍ତା, ରେମୁଣା, ନୀଳଗିରି ଏବଂ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି । ଲୋକସଭା କ୍ଷେତ୍ରରେ ସମୁଦାୟ ଭୋଟର ସଂଖ୍ୟା ୧୫ ଲକ୍ଷ ୮୭ ହଜାର ୫୮୨ । ସେହି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୮ ଲକ୍ଷ ୬ ହଜାର ୩୯୦ ଓ ମହିଳା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୦୩୭ ଖଣ୍ଡ । ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ରହିଛି ୧୫୫ ଖଣ୍ଡ । ବାଲେଶ୍ବରରେ ଶେଷ ପର୍ଯ୍ୟାୟ, ଅର୍ଥାତ ଜୁନ ୧ରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମେ' ମାସ ୭ ତାରିଖରୁ ୧୪ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିବାବେଳେ ଜୁନ ମାସ ୧ ତାରିଖରେ ନିର୍ବାଚନ ଏବଂ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ପୂର୍ବ ନିର୍ବାଚନ ଫଳାଫଳ:-

Balasore Lok Sabha Election 2024
Balasore Lok Sabha Election 2024

୨୦୧୯ ନିର୍ବାଚନ ଫଳାଫଳ: ୨୦୧୯ ନିର୍ବାଚନରେ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବିଗ୍‌ ଫାଇଟ୍‌ । ପ୍ରତାପ ଷଡ଼ଙ୍ଗୀ ୪,୮୩,୮୫୮ ଭୋଟ ପାଇଥିବାବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପାଇଥିଲେ ୪,୭୦,୯୦୨ ଖଣ୍ଡ ଭୋଟ । କେବଳ ୧୨,୯୫୬ ଭୋଟରେ ଏହି ସଂସଦୀୟ କ୍ଷେତ୍ରକୁ ବିଜେଡି ଠାରୁ ଛଡ଼ାଇ ଆଣିଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଅନ୍ୟପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ୧,୭୯,୪୦୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

Balasore Lok Sabha Election 2024
Balasore Lok Sabha Election 2024

୨୦୧୪ ନିର୍ବାଚନ ଫଳାଫଳ: ୨୦୧୪ ନିର୍ବାଚନରେ ଏଠାରେ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା । ସେ ସର୍ବାଧିକ ୪,୩୩,୭୬୮ ଭୋଟ ପାଇଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ୨,୯୧,୯୪୩ ଭୋଟ ପାଇଥିଲେ । ସେହିଭଳି ପୂର୍ବତନ ସାଂସଦ ତଥା କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ୨,୭୭,୫୧୭ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲେ ।

Balasore Lok Sabha Election 2024
Balasore Lok Sabha Election 2024

୨୦୦୯ ନିର୍ବାଚନ ଫଳାଫଳ: ୨୦୦୯ରେ ଏହି ଆସନ ଶେଷ ଥର ପାଇଁ କଂଗ୍ରେସ ହାତକୁ ଯାଇଥିଲା । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶ୍ରୀକାନ୍ତ ଜେନା ୩,୧୩,୮୮୮ ଭୋଟ ସହ ଏହି ଆସନ ଦଖଲ କରିଥିଲେ । ଦ୍ବିତୀୟରେ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଅରୁଣ ଦେ ୨,୭୪,୯୮୮ ଭୋଟ ପାଇଥିଲେ । ସେହିଭଳି ତୃତୀୟରେ ରହିଥିଲେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁ । ସେ ୨,୧୯,୯୦୮ ଭୋଟ ପାଇଥିଲେ ।

Balasore Lok Sabha Election 2024
Balasore Lok Sabha Election 2024

୨୦୨୪ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ: ରାଜ୍ୟର ଯେଉଁ କେତେକ ଲୋକସଭା କ୍ଷେତ୍ର ଉପରେ ଏବେ ସାରା ରାଜ୍ୟବାସୀଙ୍କ ଆଖି ରହିଛି, ସେ ମଧ୍ୟରୁ ବାଲେଶ୍ବର ଲୋକସଭା କ୍ଷେତ୍ର ଅନ୍ୟତମ । କାରଣ ଏହି ନିର୍ବାଚନରେ ବାଲେଶ୍ବରରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ । ଏଠାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରୁ ୩ ହେଭିୱେଟ୍‌ ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ଏଠାରେ ବର୍ତ୍ତମାନର ସାଂସଦ ଥିବା ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପୁନର୍ବାର ଭରସା କରିଛି । ସେପଟେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ମୈଦାନକୁ ଓହ୍ଲାଇଛି । ହେଲେ ବିଜେଡି ଖେଳିଛି ମାଷ୍ଟର ଷ୍ଟ୍ରୋକ୍‌ । ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏଠାରୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେଡି । ତେଣୁ ତିନି ଦଳ ମଧ୍ୟରେ ଏଥର ହାଇଭୋଲ୍‌ଟେଜ୍‌ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Balasore Lok Sabha Election 2024
Balasore Lok Sabha Election 2024

ତିନି ପ୍ରମୁଖ ଦଳର ପ୍ରାର୍ଥୀ-

Balasore Lok Sabha Election 2024
Balasore Lok Sabha Election 2024

ପ୍ରତାପ ଷଡ଼ଙ୍ଗୀ (ବିଜେପି): ୨୦୧୪ ପରେ ୨୦୧୯ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଦ୍ବିତୀୟ ଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସହ ତାଙ୍କର ଜୋରଦାର ଲଢେଇ ହୋଇଥିଲା । ଏଥିରେ ପ୍ରତାପ ୧୨,୯୫୬ ଭୋଟରେ ବାଲେଶ୍ଵର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାରି ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମଧ୍ୟ ପାଇଥିଲେ । ଏଥର ଜନତା ସୁଯୋଗ ଦେଲେ ଅଧୁରା ରହିଯାଇଥିବା ବିକାଶ ନିଶ୍ଚିତଭାବେ ପୂରଣ କରାଯିବ ବୋଲି ପ୍ରତାପ କହିଛନ୍ତି । ଏହାସହ ପ୍ରତାପ କହିଛନ୍ତି, "ବାଲେଶ୍ଵରର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବା ସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ବିକାଶ କରାଯିବ । ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଫିସ୍‌ ମାର୍କେଟ ଏବଂ ଫିସ୍‌ କଲେଜ କରି ମତ୍ସ୍ୟଜୀବୀମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ । ବାଲେଶ୍ବରରେ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଜଳ ସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।" ଏଥର ନିର୍ବାଚିତ ହେଲେ ପ୍ରତାପ ନିଜର ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ।

Balasore Lok Sabha Election 2024
Balasore Lok Sabha Election 2024

ଶ୍ରୀକାନ୍ତ ଜେନା (କଂଗ୍ରେସ): ୨୦୦୯ ମସିହାରେ ଶ୍ରୀକାନ୍ତ ଜେନା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଏନ୍‌ସିପି ପ୍ରାର୍ଥୀ ଅରୁଣ ଦେଙ୍କୁ ପରାସ୍ତ କରି ସମୁଦାୟ ୩,୧୩,୮୮୮ ଭୋଟ ପାଇ ସାଂସଦ ଭବରେ ନିର୍ବାଚିତ ହୋଇଥିଲେ । ୨୦୦୯ରୁ ୨୦୧୪ ଭିତରେ ଶ୍ରୀକାନ୍ତ ମନୋହନ ସିଂହଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ । ତାଙ୍କ ସମୟ ମଧ୍ୟରେ ବାଲେଶ୍ବରରେ ଅନେକ ବିକାଶ ହୋଇଥିବା କଥା ସେ କହିଛନ୍ତି । ସେ କହିଛନ୍ତି, "ବାଲେଶ୍ବରରେ ନୋସି ବିଜନେସ୍‌ ପାର୍କ ଠାରୁ ଆରମ୍ଭ କରି ସିପେଟ୍‌ ଏବଂ କୃଷି କ୍ଷେତ୍ରରେ ଅନେକ ବିକାଶ କରାଯାଇଛି । ଗାଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ କଂକ୍ରିଟ ସଡ଼କ ତିଆରି କରାଯାଇଛି । କୃଷି ଓ କୃଷକମାନଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ଓଭର ବ୍ରିଜ ଠାରୁ ଆରମ୍ଭ କରି ୪୦୦ ଶଯ୍ୟା ବିଶିଷ୍ଟ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା ।" ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନତା ସେମାନଙ୍କ ନେତା ପରିବର୍ତ୍ତନ କରିଥିବାରୁ କେଉଁଠି ନା କେଉଁଠି ବାଲେଶ୍ଵରର ବିକାଶ ଅଟକି ଯାଇଥିବା ଶ୍ରୀକାନ୍ତ କହିଛନ୍ତି । ଏହି ନିର୍ବାଚନରେ ତାଙ୍କ ସମୟରେ କରାଯାଇଥିବା ବିକାଶର କଥା ଲୋକଙ୍କୁ କହି ନିଜ ସପକ୍ଷରେ ଭୋଟ ମାଗିବେ ବୋଲି ଶ୍ରୀକାନ୍ତ ଯୋଜନା କରିଛନ୍ତି । ୨୦୧୪ରେ ଶ୍ରୀକାନ୍ତଙ୍କୁ ସେତେଟା ଜନ ସମର୍ଥନ ନମିଳିବାରୁ ସେ ତୃତୀୟ ସ୍ଥାନକୁ ଚାଲି ଯାଇଥିଲେ । ପରବର୍ତ୍ତୀ ୨୦୧୯ ନିର୍ବାଚନ ସେ ଲଢ଼ିନଥିଲେ ।

Balasore Lok Sabha Election 2024
Balasore Lok Sabha Election 2024

ଲେଖାଶ୍ରୀ ସାମନ୍ତସିଂହାର (ବିଜେଡି): ବିଜେପି ଓ କଂଗ୍ରେସର ଦୁଇ ପୁରୁଖା ନେତାଙ୍କ ମୁକାବିଲା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ପ୍ରଥମ ଥର ପାଇଁ ବାଲେଶ୍ଵର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାର ଲଢ଼ିବେ ନିର୍ବାଚନ । ସେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ସେ କହିଛନ୍ତି, "ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଭଲ ପାଉଥିବାରୁ ତାଙ୍କ ପ୍ରତି ମଧ୍ୟ ବାଲେଶ୍ଵର ଭୋଟରଙ୍କ ସମର୍ଥନ ରହିବ । ପ୍ରତିଦ୍ବନ୍ଦ୍ବୀ କିଏ ମୁଁ ଦେଖେନି । ମୁଁ ସବୁବେଳେ ନିଜକୁ ମୋ ପ୍ରତିଦ୍ବନ୍ଦ୍ବୀ ଭାବେ । ମୋ ଗତ ୨୫ ବର୍ଷ ଧରି ଲୋକଙ୍କ ସହ ଯଦି କିଏ ରହିଛି, ସେ ହେଉଛି ବିଜୁ ଜନତା ଦଳ । ତେଣୁ ଲୋକଙ୍କ ସମର୍ଥନ ମୋ ପ୍ରତି ରହିବ । ଜୁନ ୧ରେ ଡବଲ ଶଙ୍ଖରେ ଲୋକେ ଭୋଟ ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀର ଲୋକସଭା ଆସନ; ପୁରୁଖା ନେତାଙ୍କୁ ସାମ୍ନା କରିବେ ନବାଗତ, ହେବ ତ୍ରୀମୂଖୀ ଲଢେଇ - Balangir Lok Sabha constituency

ତିନି ପ୍ରମୁଖ ଦଳର ତିନି ହେଭିୱେଟ୍‌ଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବ ବାଲେଶ୍ବର । ବିଜେଡିର ପକେଟ ଭୋଟ, ପ୍ରତାପଙ୍କ ସାଦାସିଧା ଭାବମୂର୍ତ୍ତି ଏବଂ ଶ୍ରୀକାନ୍ତଙ୍କ ସମୟରେ ହୋଇଥିବା ବିକାଶର ତାଲିକା ଏବେ ଲୋକଙ୍କ ଆଗରେ ବାଜିରେ ଲାଗିଛି । ଏହାରି ଭିତରେ କିଏ କେଉଁ ପ୍ରକାର ଭୋଟରଙ୍କ ମନ କିଣି ନିର୍ବାଚନୀ ବୈତରଣୀ ପାର ହେବେ, ତାହା ସମୟ କହିବ । ହେଲେ ଏଥର ବାଲେଶ୍ବର ଲୋକସଭା ଆସନ ପାଇଁ ହେବାକୁ ଥିବା ଲଢେଇ ଯେ ବେଶ ରୋଚକ ହେବ, ତହା ସ୍ପଷ୍ଟ ।

ଇଟିଭି ଭାରତ, ବାଲେଶ୍ବର

Last Updated :Apr 26, 2024, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.