ETV Bharat / politics

ବିଜେପି ସରକାରକୁ ଆସିଲେ ୩୦୦୦ କରିବ ବାର୍ଦ୍ଧକ୍ୟ ଭତ୍ତା: ଲେଖାଶ୍ରୀ

author img

By ETV Bharat Odisha Team

Published : Feb 11, 2024, 5:13 PM IST

Lekhashree on Madhu Babu Pension: ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ୧୦୦୦ଟଙ୍କା ପାଇବେ । କିନ୍ତୁ ବିଜେପି ଶାସନ କ୍ଷମତାକୁ ଆସିଲେ ୩୦୦୦ ଟଙ୍କା ଭତ୍ତା ଦେବ ବୋଲି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତିସଂହାର । ଅଧିକ ପଢନ୍ତୁ

Lekhashree Samantsinghar
Lekhashree Samantsinghar

୩୦୦୦ କରିବ ବାର୍ଦ୍ଧକ୍ୟ ଭତ୍ତା

ଭୁବନେଶ୍ବର: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଉଛି । ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ସମସ୍ତ ଉଦ୍ୟମ କରୁଛନ୍ତି ରାଜନୈତିକ ଦଳ । ଏହାରି ମଧ୍ୟରେ ବିଜେପି ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶାସକ ଦଳ ବିଜେଡି ଉପରେ ବର୍ଷିଛନ୍ତି । ବିଜେଡିର ଓଡ଼ିଶାବାସୀଙ୍କ ପ୍ରତି ଆନ୍ତରିକତ ନାହିଁ । ବିଜେଡି ନିର୍ବାଚନ ଆସିଲେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଲଲିପପ୍ ଧରାଇ ମିଛ ଆଶା ଦେବାରେ ବିଶ୍ବାସ କରେ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ଚଳିତ ନିର୍ବାଚନରେ ବିଜେପି ସରକାରକୁ ଆସେ ତେବେ ୩୦୦୦ ବାର୍ଦ୍ଧକ୍ୟ ଭତ୍ତା ଦେବ ବୋଲି ସେ କହିଛନ୍ତି ।

ଲେଖାଶ୍ରୀ କହିଛନ୍ତି, "ବିଜେଡି ନିର୍ବାଚନ ଆସିଲେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଲଲିପପ ଧରାଇ ମିଛ ଆଶା ଦେବାରେ ବିଶ୍ବାସ କରେ । ପିଠା, କାଳିଆ ଯୋଜନା ଭଳି ଅନେକ ଯୋଜନା କରେ । ତାଙ୍କର କୌଣସି ଆନ୍ତରିକତା ନାହିଁ । ୫ ବର୍ଷ ଧରି ଲୋକ ଛଟପଟ ହୁଅନ୍ତି, ଆନ୍ଦୋଳନ କରନ୍ତି, ହେଲେ କିଛି ଫଳ ମିଳେନି, ନିର୍ବାଚନ ମାସେ କି ୧୫ ଦିନ ଥିବ, ରାଜ୍ୟ ସରକାର ଗୋଟେ ଘୋଷଣା କରିଦିଅନ୍ତି । ଏହା ନବୀନ ବାବୁଙ୍କ ଏକ କାର୍ଯ୍ୟ ପଦ୍ଧତି ହେଇଗଲାଣି । ବିଜେପି ସରକାରକୁ ଆସିଲେ ୩୦୦୦ କରିବ ବାର୍ଦ୍ଧକ୍ୟ ଭତ୍ତା ।"

ସେ ଆହୁରି କହିଛନ୍ତି, " ବିଜେପି ଲୋକଙ୍କ ପାଇଁ ସମର୍ପିତ, ପ୍ରତିଶ୍ରୁତିବଦ୍ଧ, ସାମାଜିକ ଭତ୍ତା ଯାହା ସେମାନଙ୍କର ଏକ ଲମ୍ବା ଡିମାଣ୍ଡ ରହିଆସିଛି ଯେ ୫୦୦ରୁ ୩୦୦୦ ଟଙ୍କା ବୃଦ୍ଧି ହେଉ, ବିଜେପି କ୍ଷମତାକୁ ଆସିଲେ ଏକଥା ବିଜେପି ହିଁ ପୂରଣ କରିବ । ଲୋକଙ୍କ ଦାବି କୁ ପୂରଣ କରିବୁ,ଯେଉଁ ବିଭିନ୍ନ ବର୍ଗର ଲୋକଙ୍କୁ ଦୀର୍ଘ ସମୟ ଧରି ଉପେକ୍ଷା କରାଯାଇଛି ସେମାନଙ୍କ ଦାୟିତ୍ବ ବିଜେପି ନେଇଛି, ୟେ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି, ଚଳିତ ମାସରୁ ହେବ ଲାଗୁ

ଦୀର୍ଘ ଦିନର ଦାବି ସତ୍ତ୍ବେ ରାଜ୍ୟ ସରକାର ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ପୁଣି ଥରେ ନିରାଶ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କଠାରୁ କୌଣସି ଶିକ୍ଷା ଲାଭ କରିନଥିବା ବିଜେଡି ସରକାରର ହେୟଜ୍ଞାନ ମନୋଭାବ କୁଠାରାଘାତ ସଦୃଶ । ପ୍ରଚାର ସର୍ବସ୍ବ ନବୀନ ସରକାର ‘ନୂଆ-ଓ’ ଯୋଜନା ଜରିଆରେ ଶହ ଶହ କୋଟି ଟଙ୍କା ଭୋଜି ଭାତ ଓ ମୌଜ ମଜଲିସରେ ଖର୍ଚ୍ଚ କରି ପ୍ରଚାର କରୁଥିବାବେଳେ ଗରୀବ ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାମାନଙ୍କୁ ଉପେକ୍ଷା କରି ଭତ୍ତା ବାବଦରେ ମାସକୁ ମାତ୍ର ୫୦୦ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଠିକ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ଚାଲ ଚଲାଇ ବିଜେଡି ସରକାର ଏହି ଅସହାୟମାନଙ୍କୁ ଭଣ୍ଡେଇବାକୁ ଚେଷ୍ଟା କରିଛନ୍ତି ।

ସୂଚନା ଥାଉ କି ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.