ETV Bharat / politics

ବିଜେପିକୁ ବାଏ ବାଏ କହିଲେ ଲେଖାଶ୍ରୀ ସାମନ୍ତସିଂହାର - Lekhashree Samantsinghar quits BJP

author img

By ETV Bharat Odisha Team

Published : Apr 7, 2024, 9:31 AM IST

Updated : Apr 7, 2024, 11:06 AM IST

Lekhashree Samantsinghar quits BJP: ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆରେ ନିଜର ଇସ୍ତଫା ପତ୍ର ପୋଷ୍ଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପସଭାପତି ଥିବା ଲେଖାଶ୍ରୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଇସ୍ତଫା ପତ୍ର ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖାଶ୍ରୀ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ହେଲା ମୁଁ ଭାରତୀୟ ଜନତା ପାର୍ଟି ପାଇଁ ମୋର ଝାଳ ଓ ରକ୍ତ ନିଗାଡିଛି । ହେଲେ ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ବେ ଶୀର୍ଷ ନେତୃତ୍ବର ବିଶ୍ବାସ ଭାଜନ ହୋଇପାରିନି । ତେଣୁ ଏଠାରେ କିଛି ମୋର କରିବାକୁ ବାକି ନାହିଁ ବୋଲି ମୁଁ ଭାବୁଛି ଏବଂ ଓଡିଶାବାସୀଙ୍କ ସେବା କରିବାକୁ ଥିବା ମୋର ଆଗ୍ରହ ଏଠି ବାଧାପ୍ରାପ୍ତ ହେଉଛି । ତେଣୁକରି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି । ତେବେ ବିଜେପି ଛାଡିବା ପରେ ଲେଖାଶ୍ରୀ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର, କହିଲେ 'ମନ ମାନୁ ନଥିଲା, ଜରୁରୀ ଥିଲା ପରିବର୍ତ୍ତନ' - Bhrugu Baxipatra Joins BJD


ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଡିଆଁ ପର୍ବ ଜୋର ଧରିଛି । କେଉଁଠି ଟିକଟ ନପାଇ ଦଳ ଛାଡୁଛନ୍ତି ନେତା ତ ଆଉ କେଉଁଠି ଟିକଟ ପାଇବା ଆଶାରେ ଦଳ ଡିଆଁ କରୁଛନ୍ତି । ଗତ କିଛି ଦିନ ହେଲା ଦଳ ଡିଆଁକୁ ନେଇ ରାଜନୈତିକ ପାଗ ସରଗରମ ରହିଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ବହୁ ବଡ ବଡ ନେତା ଏ ଦଳ ଛାଡି ସେ ଦଳ ହେଉଛନ୍ତି । ନିକଟରେ ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଦଳ ସହ ସମ୍ପର୍କ ତୁଟାଇ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ମିଶିବାର କେଇ ଖଣ୍ଟା ପରେ ତାଙ୍କୁ ବ୍ରହ୍ମପୁର ଲୋକସଭା ଟିକେଟ୍ ମିଳିଥିଲା । ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବାଲେଶ୍ବରର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମଧ୍ୟ ରଘୁନାଥ ମହାନ୍ତି ବିଜେପିରୁ ଇସ୍ତଫା ଦେଇଥିଲେ ।

ସେହିପରି ଅନେକ ନେତା ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶୁଥିବା ଦେଖିବାକୁ ମିଳିଛି । ଦଳରେ ଅଣଦେଖାର ଅଭିଯୋଗ ଆଣି ଅନେକ ପୁରୁଖା ନେତା ଦଳ ଛାଡୁଥିବା ନଜିର ରହିଛି । ବିଜେଡିର ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟଙ୍କ ଭଳି ନେତାମାନେ ବିଜେପିରେ ମିଶିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Apr 7, 2024, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.