ETV Bharat / politics

‘ଆଳିବାସୀଙ୍କର ମୌଳିକ ସମସ୍ୟା ଓ ଅଧିକାର ପାଇଁ ଲଢୁଛି’ - Aul assembly constituency

author img

By ETV Bharat Odisha Team

Published : Apr 27, 2024, 7:44 AM IST

‘ଆଳିବାସୀଙ୍କର ମୌଳିକ ସମସ୍ୟା ଓ ଅଧିକାର ପାଇଁ ଲଢେଇ ହେବ’
‘ଆଳିବାସୀଙ୍କର ମୌଳିକ ସମସ୍ୟା ଓ ଅଧିକାର ପାଇଁ ଲଢେଇ ହେବ’

BJP candidates Krushna Chandra Panda: ଆଳିରେ ବିକାଶ ପରିବର୍ତ୍ତେ ବିନାଶ ହୋଇଛି । ସମସ୍ତ କ୍ଷେତ୍ରରେ ଅଞ୍ଚଳ ଆଜି ପଛୁଆ । ପ୍ରଧାନମନ୍ତ୍ରୀଙ୍କ ବିକାଶ ନୀତି ଓ ସ୍ଥାନୀୟ ଲୋକଙ୍କ ଅଧିକାର ପାଇଁ ଲଢୁଥିବା କହିଲେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର । ଅଧିକ ପଢନ୍ତୁ

‘ଆଳିବାସୀଙ୍କର ମୌଳିକ ସମସ୍ୟା ଓ ଅଧିକାର ପାଇଁ ଲଢେଇ ହେବ’

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଆସନ ଆଳି ନିର୍ବାଚନ ମଣ୍ଡଳୀରେ ଚଳିତଥର ଦେଖିବାକୁ ମିଳିଛି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା । ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ରାଜନୀତିରେ ବେଶ ଅଭିଜ୍ଞ ପ୍ରତାପ କେଶରୀ ଦେବଙ୍କ ସହ ମୁକାବିଲା କରୁଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ତଥା ପୂର୍ବତନ ବିଧାୟକ ଦିବାକର ଶର୍ମାଙ୍କ ନାତୁଣୀ ଡ଼ଃ ଦେବସ୍ମିତା ଶର୍ମା । ଅନ୍ୟପଟେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି ନିର୍ବାଚନୀ ରାଜନୀତିରେ ନବାଗତ କୃଷ୍ଣଚନ୍ଦ୍ର ପଣ୍ଡା ।

କୃଷ୍ଣଚନ୍ଦ୍ର ଏବେ ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଧାରା ବଜାୟ ରଖିବା ପାଇଁ ଡବଲ ଇଞ୍ଜିନ ସରକାର ଗଢିବା ଦିଗରେ ଆଳି ନିର୍ବାଚନ ମଣ୍ଡଳୀ ଜନତାଙ୍କୁ ନିବେଦନ ରଖୁଛନ୍ତି । ବୃତ୍ତିରେ ପୋଲିସ ବିଭାଗର ହାବିଲଦାର ଥିବା କୃଷ୍ଣଚନ୍ଦ୍ର ୨୦୧୭ ମସିହାରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ମୋଦିଜୀଙ୍କ ଆହ୍ୱାନ ଏବଂ ଦେଶର ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ସେ ସରକାରୀ ଚାକିରୀ ଛାଡିଥିବା କୁହନ୍ତି ।

ତେବେ ୧୯୫୧ ମସିହାରୁ ଆଳି ବିଧାନସଭା ଆସନରେ ନିର୍ବାଚନ ହୋଇ ଆସୁଥିବା ବେଳେ ଏହି ଆସନ ସର୍ବାଧିକ ଥର ବିଜୁ ଜନତା ଦଳ ଦଖଲରେ ହିଁ ରହିଥିବା ନିର୍ବାଚନ ରେକର୍ଡ କହୁଥିବା ବେଳେ ବର୍ତ୍ତମାନର ବିଧାୟକଙ୍କୁ ସେ କିପରି ମାତ୍ ଦେବେ ସେନେଇ ରଣକୌଶଳ ଆରମ୍ଭ କରିଛନ୍ତି ଭାରତୀୟ ଜନତା ପାର୍ଟିର ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର । କାହାରି ନାଁ ନନେଇ କୃଷ୍ଣଚନ୍ଦ୍ର ଆଳିରେ ମାଫିଆ ରାଜ ଚାଲିଥିବା କହିଥିବା ବେଳେ ଲଘୁ ଖଣିଜ ସମ୍ପଦ ବାଲି ବିକ୍ରି କରୁଥିବା ନେତାଙ୍କୁ ଚଳିତଥର ଜନ ସାଧାରଣ ଉଚିତ ଜବାବ ଦେବେ ବୋଲି କହିଛନ୍ତି । ୧୯୫୧ ମସିହାରୁ ହୋଇଥିବା ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ କନିକା ରାଜା ସ୍ବର୍ଗତଃ ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଥରେ ସ୍ୱାଧୀନ ଓ ଦୁଇଥର କଂଗ୍ରେସ ଦଳରୁ ମିଶାଇ ମୋଟ ତିନିଥର ବିଧାୟକ ହୋଇଥିବା ବେଳେ ଆଳି ରାଜା ସ୍ବର୍ଗତଃ ଶରତ ଦେବ ଦୁଇଥର ସ୍ୱତନ୍ତ୍ର ଦଳ, ଥରେ ଜନତା ପାର୍ଟି ଓ ଥରେ ଜେଏନପି(ଏସ)ରୁ ମୋଟ ଚାରିଥର ବିଧାୟକ ହୋଇଛନ୍ତି ।

ସେହିପରି ଦୋଳଗୋବିନ୍ଦ ନାୟକ ଦୁଇଥର କଂଗ୍ରେସରୁ ଆଳି ବିଧାୟକ ହୋଇଥିବା ବେଳେ ଆଳି ରାଣୀ ସ୍ୱର୍ଗତାଃ ସୁଶ୍ରୀ ଦେବୀ ଥରେ ଜନତା ଦଳରୁ ପ୍ରଥମ ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟରେ ଲଢ଼ୁଥିବା ଡ଼ଃ ଦେବସ୍ମିତାଙ୍କ ଜେଜେବାପା ଡାକ୍ତର ଦିବାକର ଶର୍ମା କଂଗ୍ରେସ ଦଳରୁ ବିଧାୟକ ହୋଇଥିବା ବେଳେ ବାପା ଦେବେନ୍ଦ୍ର ଶର୍ମା ମଧ୍ୟ 2014 ରେ ପ୍ରତାପ ଦେବଙ୍କୁ ହରାଇ ଥରେ ବିଧାୟକ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ 2024; ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1202 ପ୍ରାର୍ଥୀଙ୍କ ଭାଗ୍ୟ - Phase 2 Voting Concludes

ତେବେ ଏସବୁ ରେକର୍ଡକୁ ପଛରେ ପକାଇ ବାପାଙ୍କ ରେକର୍ଡର ସମକକ୍ଷ ହୋଇ ଚାରିଥର ବିଜୁ ଜନତା ଦଳରୁ ପ୍ରତାପ କେଶରୀ ଦେବ ବିଧାୟକ ହୋଇଥିବା ବେଳେ ଚଳିତଥର ବିଜେଡି ଟିକେଟ ପାଇ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ଓ ସ୍ଥାନୀୟ ବିଧାୟକଙ୍କ ସ୍ବେଚ୍ଛାଚାରିତା ବିରୋଧରେ ଏଥର ଜନମତ ପ୍ରତିଫଳିତ ହୋଇ ପ୍ରଥମ ଥର ପାଇଁ ଆଳି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.