ETV Bharat / bharat

ଲୋକସଭା ନିର୍ବାଚନ 2024; ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1202 ପ୍ରାର୍ଥୀଙ୍କ ଭାଗ୍ୟ. - Phase 2 Voting Concludes

author img

By ETV Bharat Odisha Team

Published : Apr 26, 2024, 10:04 PM IST

Updated : Apr 27, 2024, 9:06 AM IST

PHASE 2 VOTING CONCLUDES
PHASE 2 VOTING CONCLUDES

PHASE 2 VOTING CONCLUDES: ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । 88ଟି ଆସନରେ ଭୋଟ୍‌ ଦେଇ ନିଜ ନେତା ବାଛିଲେ ଭୋଟର । ଏହାରି ସହିତ ଇଭିଏମରେ ସିଲ୍‌ ହୋଇଛି 1202 ପ୍ରାର୍ଥୀଙ୍କ ଭାଗ୍ୟ । ଏହି ପର୍ଯ୍ୟାୟରେ କେଉଁଠି କେତେ ମତଦାନ ହୋଇଛି ? କିଏ ଚର୍ଚ୍ଚିତ ଚେହେରା ଥିଲେ ? କେଉଁଠି କିପରି ନିର୍ବାଚନୀ ମାହୋଲ ଥିଲା ଜାଣନ୍ତୁ

ହାଇଦ୍ରାବାଦ: ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି (ଶୁକ୍ରବାର) 2024 ଲୋକସଭା ନିର୍ବାଚନ ଲାଗି 12 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88ଟି ଆସନରେ ପଡ଼ିଥିଲା ଭୋଟ୍‌ । କେରଳରେ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରର କିଛି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରିଛନ୍ତି । ସେପଟେ କିଛି ବୟସ୍କ, ଦିବ୍ୟାଙ୍ଗ ଭୋଟର ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସମସ୍ତ ମତଦାତାଙ୍କୁ ଆହ୍ବାନ କରିଛନ୍ତି । ଆକଳନ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ 64% ମତଦାନ ହୋଇଥିବା ବେଳେ ଇଭିଏମ ମେସିନରେ ସିଲ୍‌ ହୋଇଛି 1202 ପ୍ରାର୍ଥୀଙ୍କ ଭାଗ୍ୟ ।

ଜାଣନ୍ତୁ କେଉଁଠି ହୋଇଛି କେତେ ପ୍ରତିଶତ ଭୋଟିଂ ?
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳଭୋଟ ପ୍ରତିଶତ
ଆସାମ70.68
ବିହାର54.91
ଛତିଶଗଡ଼72.61
ଜମ୍ମୁକାଶ୍ମୀର69.86
କର୍ଣ୍ଣାଟକ64.67
କେରଳ65.23
ମଧ୍ୟ ପ୍ରଦେଶ55.60
ମହାରାଷ୍ଟ୍ର53.76
ମଣିପୁର77.18
ରାଜସ୍ଥାନ62.15
ତ୍ରିପୁରା78.53
ଉତ୍ତର ପ୍ରଦେଶ53.61
ପଶ୍ଚିମବଙ୍ଗ71.84

ତ୍ରିପୁରାରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ:- ତ୍ରିପୁରାର ଗଙ୍ଗାନଗର ଆରଡି ବ୍ଲକର ମାଲଦା ପରାରେ ପ୍ରାୟ 1000 ଭୋଟର ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଭୋଟ ବର୍ଜନ କରିଛନ୍ତି । ଏହା ସତ୍ତ୍ବେ ରାଜ୍ୟରେ ସର୍ବାଧିକ ମତଦାନ ହୋଇଛି । ତ୍ରିପୁରାରେ 78.53 ମତଦାନ ରେକର୍ଡ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ରରେ ସର୍ବନିମ୍ନ 53.76 ମତଦାନ ହୋଇଛି । ମହାରାଷ୍ଟ୍ରର 4ଟି ଗ୍ରାମର ଲୋକଙ୍କ ନିକଟରେ ମୌଳିକ ସୁବିଧା ଯେପରିକି ପାଣି, ବିଦ୍ୟୁତ ସେବା ପହଞ୍ଚିନଥିବା ବେଳେ ଗାଁକୁ ପକ୍କା ରାସ୍ତା ବି ନାହିଁ । ଏଥିଲାଗି ରାଙ୍ଗୁବେଲି, ଧୋକଡ଼ା, କୁଣ୍ଡ ଓ ଖାମଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।

ମତଦାନ ସରିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:- ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଶ ଭଲ ଥିଲା । ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଶର କୋଣ ଅନୁକୋଣର ମତଦାତାଙ୍କୁ ଧନ୍ୟବାଦ । ଏନଡିଏ ପ୍ରତି ଲୋକଙ୍କ ବଢୁଥିବା ସମର୍ଥନ ବିରୋଧୀଙ୍କୁ ଆହୁରି ଅଧିକ ଅସନ୍ତୁଷ୍ଟ କରିବାକୁ ଯାଉଛି । ମତଦାତାମାନେ ଏନଡିଏ ମେଣ୍ଟର 'ଗୁଡ୍‌ ଗଭର୍ଣ୍ଣାନ୍ସ' ଚାହୁଁଛନ୍ତି । ଯୁବ ଓ ମହିଳା ଭୋଟରମାନେ ନିଜର ସମର୍ଥନ ସହିତ ଏନଡିଏ ମେଣ୍ଟକୁ ଅଧିକ ସଶକ୍ତ କରୁଛନ୍ତି ।" ପ୍ରଧାନମନ୍ତ୍ରୀ ନିଜ ଏକ୍ସ ସାଇଟରେ ଏକ ପୋଷ୍ଟ କରି ଏପରି କହିଛନ୍ତି ।

କର୍ଣ୍ଣାଟକର ଏହି ଗ୍ରାମରେ 100% ଭୋଟିଂ:- କନ୍ନଡ ରାଜ୍ୟର ଦକ୍ଷିଣାଞ୍ଚଳ ବେଲଥାଙ୍ଗାଡିର ବଞ୍ଜାରୁମାଲେ ଗ୍ରାମରେ ଶତ ପ୍ରତିଶତ ମତଦାନ ହୋଇଛି । ଏଠାରେ ମୋଟ 111 ଜଣ ଭୋଟର ଥିବା ବେଳେ ସମସ୍ତେ ଆସି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏହାରି ସହିତ ସନ୍ଧ୍ୟା 6ଟାରେ ଭୋଟିଂ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏଠାରେ 2 ଘଣ୍ଟା ପୂର୍ବରୁ ସମସ୍ତେ ଭୋଟ୍‌ ଦେଇଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲ ଘେରା ଏହି ଗ୍ରାମରେ ଅଧିକାଂଶ ଆଦିବାସୀ ଚାଷୀ ପରିବାର ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ବସବାସ କରନ୍ତି ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1625 ପ୍ରାର୍ଥୀଙ୍କ ଭାଗ୍ୟ

ତ୍ରିପୁରାରେ ମତଦାତାଙ୍କୁ ମହୁମାଛି ଆକ୍ରମଣ:- ତ୍ରିପୁରାର 2ଟି ଲୋକସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟଟିରେ ଆଜି ପଡ଼ିଥିଲା ଭୋଟ୍‌ । ତ୍ରିପୁରାର ଖୋୱାଇ ଜିଲ୍ଲାର ବାରବିଲ ଅଞ୍ଚଳରେ ଧାଡିରେ ମତଦାତାମାନେ ଠିଆ ହୋଇଥିବା ସମୟରେ ଅଚାନକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ମହିଳାଙ୍କ ସମେତ ମୋଟ 15 ଜଣ ଏହି ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଓ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେମାନଙ୍କୁ ଚିକିତ୍ସା ପରେ ନିଜ ନିଜ ଘରକୁ ସୁରକ୍ଷିତ ଭାବେ ପଠାଯାଇଛି । ମହୁମାଛି ଆକ୍ରମଣ ଯୋଗୁଁ ମତଦାତାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏହାପରେ ମହୁମାଛି ବସାକୁ ଅଗ୍ନିଶମ ବାହିନୀ ପକ୍ଷରୁ ନଷ୍ଟ କରାଯାଇଥିଲା ।

ଛତିଶଗଡ଼-ବଙ୍ଗରେ ପୁଣି ନିର୍ବାଚନୀ ହିଂସା:- ନିର୍ବାଚନ ଚାଲିଥିବା ସମୟରେ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ପକ୍ଷରୁ ଜଣେ ଯବାନ ଏଠାରେ ନିର୍ବାଚନୀ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ହେଲେ ଅଭିଯୋଗ ଅନୁସାରେ ସେ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି । ଗାରିଆବନ୍ଦ ଜିଲ୍ଲା ମାହାସାମୁଣ୍ଡ ସଂସଦୀୟ କ୍ଷେତ୍ରରେ ଆସୁଛି । ସକାଳ ସାଢେ 9ଟା ବେଳେ କୁଡେଦାଦର ଗ୍ରାମ ସ୍ଥିତ ସରକାରୀ ବିଦ୍ୟାଳୟରେ ହେଡ କନେଷ୍ଟବଳ ଜିୟାଲାଲ ପାୱାର ନିଜକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହିପରି ପଶ୍ଚିମବକ୍ଷଙ୍ଗରେ ବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଓ କିଛି ଟିଏମସି କର୍ମୀ ହାତାହାତି ହୋଇଥିଲେ । ଏହି ଘଟଣା ବାଲୁରଘାଟଠାରେ ଘଟିଥିଲା । ଟିଏମସି ପକ୍ଷରୁ ଇଭିଏମ ମେସିନରେ ତ୍ରୁଟି ଓ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ସକାଳ 9ଟା ସୁଦ୍ଧା ପ୍ରାୟ 100ଟି ଅଭିଯୋଗ କରାଯାଇଥିବା ବେଳେ ସେପଟେ ବିଜେପି ମଜୁମଦାରଙ୍କ ଅଭିଯୋଗ ମୁତାବକ ପୋଲିଂ ବୁଥରେ ଟିଏମସି କର୍ମୀ 'ଗୋ ବ୍ୟାକ୍‌' ନାରା ଦେଇଥିଲେ । ଏହାପରେ ଉଭୟ ଦଳର ନେତା ହାତାହାତି ହୋଇଥିଲେ ।

କିଏ ଥିଲେ ଚର୍ଚ୍ଚିତ ଚେହେରା ? ଆଜି ବହୁ ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ୟେପରିକି କେରଳ ୱାୟନାଡରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ୟୁପି ମଥୁରରାରୁ ବିଜେପି ପ୍ରାର୍ଥିନୀ ହେମା ମାଳିନୀ, କେରଳ ଥିରୁଅନନ୍ତପୁରମରୁ କଂଗ୍ରେସ ପ୍ରାର୍ଥୀ ଶଶୀ ଥରୁର, ପଶ୍ଚିମବଙ୍ଗ ବାଲୁରଘାଟରୁ ବିଜେପି ନେତା ସୁକାନ୍ତ ମଜୁମଦାର, କେରଳ ଆଲପୁଝାରୁ କଂଗ୍ରେସ ପ୍ରାର୍ଥୀ କେସି ବେଣୁଗୋପାଳ, କର୍ଣ୍ଣାଟକ ବେଙ୍ଗାଲୁରୁ ଦକ୍ଷିଣରୁ ବିଜେପି ଯୁବ ପ୍ରାର୍ଥୀ ତେଜସ୍ବୀ ସୂର୍ଯ୍ୟ, ଉତ୍ତର ପ୍ରଦେଶ ପୁର୍ଣ୍ଣିଆରୁ ସ୍ବାଧୀନ ପ୍ରାର୍ଥୀ ପପ୍ପୁ ଯାଦବ, ରାଜସ୍ଥାନ ଯୋଧପୁରରୁ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂ ଶେଖାୱତ, ଛତିଶଗଡ଼ ରାଜନନ୍ଦଗାଓଁରୁ କଂଗ୍ରେସ ପ୍ରାର୍ଥୀ ଭୂପେଶ ବଘେଲ, ଉତ୍ତର ପ୍ରଦେଶ ମିରଟରୁ ଅରୁଣ ଗୋଭିଲ ଆଦି ।

ପଢନ୍ତୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପର୍କିତ କିଛି ଖବର:-

ଯୁବ ଭୋଟର ଆଜିମ୍‌; ନାକରେ ଦେଲେ ଭୋଟ୍‌, ଗୋଡ଼ରେ ଲଗାଇଲେ କାଳି

ଧର୍ମ ନାଁରେ ମାଗୁଥିଲେ ଭୋଟ, ବିଜେପି ସାଂସଦ ତେଜସ୍ବୀଙ୍କ ନାଁରେ ମାମଲା

ପୋଲିଂ ବୁଥରେ ଅଘଟଣ, କର୍ଣ୍ଣାଟକରେ ସହକାରୀ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ପାଣି ପାଇଁ ଭୋଟ ବର୍ଜନ କଲେ ଗ୍ରାମବାସୀ, ସ୍ଥାନୀୟ ବିଧାୟକ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 27, 2024, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.