ETV Bharat / bharat

ଯୁବ ଭୋଟର ଆଜିମ୍‌; ନାକରେ ଦେଲେ ଭୋଟ୍‌, ଗୋଡ଼ରେ ଲଗାଇଲେ କାଳି - Vote with Nose

author img

By ETV Bharat Odisha Team

Published : Apr 26, 2024, 8:40 PM IST

Azim Casts Maiden Vote
Azim Casts Maiden Vote

Azim Casts Maiden Vote: 90 ପ୍ରତିଶତ ଶରୀର ଅକ୍ଷମତା ଓ ହାତ ନଥିବା ସତ୍ତ୍ବେ ନିଜ ମତଦାନ ସାବ୍ୟସ୍ତ କରି ଚର୍ଚ୍ଚାରେ କେରଳର ଯୁବ ଭୋଟର ଆଜିମ୍‌ । ନାକରେ ଭୋଟ ଦେଇ ବାଛିଲେ ନେତା । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଚର୍ଚ୍ଚାରେ କେରଳର ଯୁବ ଭୋଟର ଆଜିମ୍‌ । ତାଙ୍କ ଶରୀର 90 ପ୍ରତିଶତ ଅକ୍ଷମ । ଆଜି 2024 ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସେ ନିଜକୁ ସାମିଲ କରିଛନ୍ତି । ରାଜ୍ୟରେ 20 ଲୋକସଭା ଆସନ ଲାଗି ମତଦାନ ହୋଇଥିବା ବେଳେ ଶରୀର ଅକ୍ଷମତାକୁ ଖାତିର ନ କରି ସେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି । ହାତ ନଥିବା ବେଳେ ସେ ନାକ ସାହାଯ୍ୟରେ ଭୋଟ ଦେଇ ଗୋଡ଼ର ବୁଢା ଆଙ୍ଗୁଠିରେ କାଳି ଲଗାଇଛନ୍ତି । କେରଳର କୋଝିକୋଡ଼ ଜିଲ୍ଲା ଭେଲିମନ୍ନାରେ ସେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

ଆଜିମ୍‌ ଭେଲିମନ୍ନାର ସରକାରୀ ୟୁପି ସ୍କୁଲର 43ତମ ବୁଥରେ ମତଦାନ କରିଛନ୍ତି । ଆଜିମ୍‌ଙ୍କ ଗୋଡ଼, ଦାନ୍ତ ଓ ପାଟି ସାଧାରଣ ଆକାରର ହୋଇନଥିବା ବେଳେ ତାଙ୍କୁ ଶ୍ରବଣ ସମସ୍ୟା ମଧ୍ୟ ରହିଛି । କିନ୍ତୁ ଚଳିତ ବର୍ଷ ସେ 18 ବର୍ଷରେ ପଦାର୍ପଣ କରି ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହେବା ପରେ ନିଜ ମେଡେନ ଭୋଟ୍‌ ଦେବା ପାଇଁ ପୋଲିଂ ବୁଥରେ ପହଞ୍ଚିଛନ୍ତି । ଆଜିମ୍‌ଙ୍କ ଶରୀର 90 ପ୍ରତିଶତ ଅକ୍ଷମ । ତାଙ୍କର ଦୁଇ ହାତ ନାହିଁ । ଏଣୁ ସେ ନାକ ସାହାଯ୍ୟରେ ଭୋଟ ଦେଇଛନ୍ତି । ଏହାପରେ ଭୋଟ୍‌ ଦେଇଥିବା ପ୍ରମାଣ ସ୍ବରୂପ ହାତରେ ଲଗାଯାଉଥିବା କାଳିକୁ ସେ ଗୋଡ଼ର ବୁଢା ଆଙ୍ଗୁଠିରେ ଲଗାଇଥିବା ଦେଖିବାକୁ ମିଳିଛି ।

ଭୋଟ ଦେଇପାରିଲେନି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ:- କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପ୍ରମୁଖ ଶାସନ ସଚିବ କେ.ଏମ ଆବ୍ରାହମ ନିଜ ମତଦାନ ସାବ୍ୟସ୍ତ କରିପାରିନାହାନ୍ତି । ତାଙ୍କ କହିବାନୁସାରେ ଅନ୍ୟ ଜଣେ ମତଦାତାଙ୍କ ସମାନ ଭୋଟର ପ୍ରମାଣ ପତ୍ର ନମ୍ବର ରହିଥିବାରୁ ସେ ଭୋଟ ଦେଇପାରିନାହାନ୍ତି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପୁଜାପ୍ପୁରା ଏଲପି ସ୍କୁଲର 41 ନମ୍ବର ବୁଥରେ ସେ ମତଦାନ କରିବା ଲାଗି ପହଞ୍ଚିଥିଲେ । ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସେ ନିଜ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ । ହେଲେ ଅନ୍ୟ ଜଣେ ମହିଳାଙ୍କ ସମାନ ଭୋଟର ଆଇଡି ନଂ ଥିବାରୁ ତାଙ୍କୁ ଭୋଟ ଦେବାକୁ ବାରଣ କରାଯାଇଥିଲା ।

କେରଳର ମୋଟ 20 ଆସନରେ ଭୋଟ:- ଆଜି କେରଳର ମୋଟ 20ଟି ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଛି । ଏହାସହିତ କେରଳରେ ଗୋଟିଏ ପର୍ଯ୍ୟାୟରେ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ତେବେ ସେହି 20ଟି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ଅଲପୁଝା, ଅଲାଥୁର, ଅତିଙ୍ଗଲ, ଚାଲାକୁଡି, ଏର୍ଣ୍ଣାକୁଲମ, ଇଡୁକ୍କି, କନୌର, କସାରଗୋଡ, କୋଲାମ, କୋଟ୍ଟାୟାମ, କୋଝିକୋଡ଼, ମାଲାପ୍ପୁରମ, ମାଭେଲିକାରା, ପଲାକ୍କଡ, ପଥାନାମତିହିତା, ପୋନାନି, ଥିରୁଅନନ୍ତପୁରମ, ଥ୍ରିସୁର, ଭଟାକାରା ଓ ୱାୟନାଡ଼ ।

ଏହା ବି ପଢନ୍ତୁ- ଚାଲିଛି ଗଣତନ୍ତ୍ରର ମହାପର୍ବ; ଷ୍ଟ୍ରେଚର ସହ ପୁଲିଂ ବୁଥରେ ରୋଗୀ, ମତଦାନ କେନ୍ଦ୍ରରେ ମାଙ୍କଡ଼

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.