ETV Bharat / politics

ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି: କଂଗ୍ରେସ

author img

By ETV Bharat Odisha Team

Published : Feb 12, 2024, 10:46 PM IST

Congress Press Meet on Kotia Issue
Congress Press Meet on Kotia Issue

Congress Press Meet on Kotia Issue: କୋରାପୁଟର କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କୋଟିଆର ବିଭିନ୍ନ ସମସ୍ୟା ଉଠାଇବା ସହ ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି । ଅଧିକ ପଢ଼ନ୍ତୁ

Congress Press Meet on Kotia Issue

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେପରି ନୀରବତା ଅବଲମ୍ବନ କରାଯାଇଛି, ଏଥିରୁ ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଥିବା ସ୍ପଷ୍ଟ ବୋଲି କହିଛନ୍ତି ତାରା । କୋଟିଆକୁ ଓଡ଼ିଶାରେ ରଖିବା ପାଇଁ ଓଡ଼ିଶା ସରକାରଙ୍କର ଆନ୍ତରିକତାର ଅଭାବ ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସାମ୍ବାଦିକ ସମ୍ମିଳନୀରେ ତାରା କହିଛନ୍ତି, "କୋଟିଆ ପଞ୍ଚାୟତର ୨୧ଟି ଗ୍ରାମରେ ଆନ୍ଧ୍ର ସରକାର ସାଧାରଣ ଜନତାଙ୍କୁ ପ୍ରଲୋଭିତ କରୁଛନ୍ତି । ଧୂଳିପଦର ଓ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରୀ ଦଳର ଦଳୀୟ ପତାକା ଆନ୍ଧ୍ର ସରକାରୀ କର୍ମଚାରୀମାନେ ଉତ୍ତୋଳନ କରୁଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ କ୍ୟାମ୍ପ କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସେଠାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ସ୍ବାସ୍ଥ୍ୟ ସେବା ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ଆନ୍ଧ୍ର ସରକାର 'ଜଗନ୍ନା ଭରସା' କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆ ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପହଞ୍ଚିୁଛନ୍ତି । କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଓଡ଼ିଶା ସରକାର ହଷ୍ଟେଲ ସୁବିଧା କରିଥିବା ବେଳେ ଆନ୍ଧ୍ର ସରକାର କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ରରେ କୋଟିଆର ସମସ୍ତବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ସରକାରୀ ହଷ୍ଟେଲ ସୁବିଧା ଯୋଗାଇ ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାର ୧୫ ଦିନ ମଧ୍ୟରେ ସେମାନଙ୍କ ପରିବାରବର୍ଗଙ୍କୁ ଆନ୍ଧ୍ର ସରକାର ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁପତ୍ର ତୋଳାଳିଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, କଂଗ୍ରେସ କହିଲା ଭୂତେଇବା ପାଇଁ ଏପରି ଘୋଷଣା

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନବାଡି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରାୟ ଦିଆଯାଉ ନାହିଁ । ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ନମାନର । ମାତ୍ର ସେଠି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଫିସର ମାନେ ଜଗିବସି ଉନ୍ନତ ଖାଦ୍ୟ ଓ ସେଥିରେ ଅଣ୍ଡା ଓ କ୍ଷୀର ଦେଉଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ ଅଫିସରମାନେ ବାର୍ଦ୍ଧକ୍ୟଭତା ହିତାଧିକାରୀଙ୍କ ଘରକୁ ଯାଇ ହାତରେ ୨୫୦୦ ଟଙ୍କା ଧରେଇ ଦେଉଥିବାବେଳେ ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା ବ୍ୟାଙ୍କ ବା ପୋଷ୍ଟାଲ ମାଧ୍ୟମରେ ଦେଉଛନ୍ତି । ହିତାଧିକାରୀ ଅନେକ ସମୟରେ ଭତ୍ତା ନେବାପାଇଁ ୨୦-୨୫ କିଲୋମିଟର ଚାଲି ଚାଲି ଆସି ହତାସ ହୋଇଛନ୍ତି । କୋଣ୍ଡାଦ୍ଵାର, ମାଳି, ରଣା, କୁମ୍ଭାର, କମାର ଓ ପାଇକ ପ୍ରଭୃତି କେତେକ ବର୍ଗଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନ୍ୟତା ମିଳୁଥିବା ବେଳେ ଓଡ଼ିଶା ସରକାର ସେମାନଙ୍କର ଦାବିକୁ ଉପେକ୍ଷା କରୁଛି ।

କଥା ସେତିକିରେ ରହିଯାଇ ନାହିଁ । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋରାପୁଟର ନନ୍ଦପୁର ବ୍ଲକର ଚାଟୁଆ ଅଞ୍ଚଳରେ ରାସ୍ତାକାମ, ପାନୀୟଜଳ ବ୍ୟବସ୍ଥା ଓ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନାରାୟଣପାଟଣା ବ୍ଲକର ବରଗୀ, ଲଙ୍ଗଳବେଢ଼ା ପ୍ରଭୃତି 3-4 ପଞ୍ଚାୟତରେ ଓ ବନ୍ଧୁ ଗାଁ ବ୍ଲକର ତିନୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି । ଏକଥା ଓଡ଼ିଶା ସରକାର ଜାଣି ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି ତାରା କହିଛନ୍ତି । ଜଣେ ସାଧାରଣ ଓଡ଼ିଆ ଏହାକୁ ସହ୍ୟ କରିପାରିବ ନାହିଁ । କୋରାପୁଟର ଛାତିରେ ଆନ୍ଧ୍ରର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସତେ ଯେପରି ସମର୍ଥନ ଦେଉଛନ୍ତି । ତାହା ଆମ ପାଇଁ କଷ୍ଟ ଦାୟକ ବୋଲି କହିଛନ୍ତି ତାରା । ଏପରି ହେଲେ ସେଠିକାର ବାସିନ୍ଦା ଆନ୍ଧ୍ର ଅଧିନରେ ରହିବାକୁ ପସନ୍ଦ କରିବେ । ଏକଥା କ’ଣ ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି ? ପଞ୍ଚାୟତ ନିର୍ବାଚନ ଆନ୍ଧ୍ର ପକ୍ଷରୁ କରାଗଲା । ଓଡ଼ିଶା ସରକାର ଏହାକୁ ଠିକ ଭାବରେ ପ୍ରତିବାଦ କରିପାରିଲେ ନାହିଁ । ପଟାଙ୍ଗୀ ବ୍ଲକରେ ଥିବା ଦେଓମାଳି ପର୍ବତ ଏବଂ ସମଗ୍ର କୋଟିଆ ପଞ୍ଚାୟତକୁ ରାଜ୍ୟ ସରକାର ଜୈବ ବିବିଧତାର ହେରିଟେଜ ଅଞ୍ଚଳ ଭାବେ ଘୋଷଣା କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.