ETV Bharat / politics

ଭୋଟ ମାଗିବାକୁ ଯାଇ ବିରୋଧର ଶିକାର ହେଲେ ଦିଲ୍ଲୀପ ରାୟ - Dilip Ray face public anger

author img

By ETV Bharat Odisha Team

Published : Apr 26, 2024, 1:42 PM IST

Dilip Ray Face Public Anger: ପ୍ରଚାର କରିବାକୁ ଯାଇ ବିରୋଧର ଶିକାର ହେଲେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ । ଲୋକେ ବିରୋଧ କରିବାରୁ ଉପୁଜିଲା ଧସ୍ତାଧସ୍ତି ପରିସ୍ଥିତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୋଟ ମାଗିବାକୁ ଯାଇ ବିରୋଧର ଶିକାର ହେଲେ ଦିଲ୍ଲୀପ ରାୟ

ରାଉରକେଲା: ପ୍ରଚାର ପାଇଁ ଯାଇଥିବା ବେଳେ ହଟହଟା ହେଲେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ । ୧୦ ବର୍ଷ ହେଲା କୁଆଡେ ଯାଇଥିଲ, ଏବେ କାହିଁକି ଆସିଲ ବୋଲି ପ୍ରଶ୍ନ କଲେ ଲୋକେ । ଯାହାପରେ ସ୍ଥାନୀୟ ଲୋକ ଏବଂ ଦିଲ୍ଲୀପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଭିଡିଓ ଭାଇରାଲ ହୋଇଛି । ଗତକାଲି (ଗୁରୁବାର) ବନ୍ଧମୁଣ୍ଡା ‘ଏ' ବ୍ଲକ ନିକଟସ୍ଥ ମୁଖିବସ୍ତିରେ ଦିଲ୍ଲୀପଙ୍କ ଏକ ନିର୍ବାଚନୀ ସଭାରେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା । ବିଜେପି ପ୍ରାର୍ଥୀଙ୍କ ସଭାକୁ କଡ଼ା ବିରୋଧ କରିଥିଲେ ବସ୍ତିବାସିନ୍ଦା । ଫଳରେ ତାଙ୍କର ସମର୍ଥକ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ସହ ମାର୍‌ପିଟ୍ ହୋଇଥିଲା । ଖବର ପାଇ ସ୍ଥାନୀୟ ବନ୍ଧମୁଣ୍ଡା ପୋଲିସ ସେଠାରେ ପହଞ୍ଚି ଉଭୟ ପକ୍ଷର ଲୋକଙ୍କୁ ଥାନାକୁ ନେବା ସହିତ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।

ମିଳିଥିବା ସୂଚନା ମୁତବାକ, ବନ୍ଧମୁଣ୍ଡା ମୁଖିବସ୍ତି ସରସ୍ବତୀ କ୍ଲବରେ ଦିଲ୍ଲୀପଙ୍କ ସମର୍ଥକମାନଙ୍କ ପକ୍ଷରୁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା । ସମର୍ଥକମାନେ ଏ ସଂକ୍ରାନ୍ତରେ କ୍ଲବ ସଭାପତି, ସମ୍ପାଦକ ଓ ବସ୍ତିର ଅନ୍ୟମାନଙ୍କୁ ଜଣାଇନଥିଲେ । ଏହାପରେ ଗୁରୁବାର ଦିନ ପ୍ରାୟ ୧୧ଟା ବେଳେ ଦିଲ୍ଲୀପ ଓ ତାଙ୍କର ସମର୍ଥକମାନେ କ୍ଲବ ପାଖରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ସେ ପହଞ୍ଚିବା ମାତ୍ରେ କ୍ଲବ ସଭାପତି, ସମ୍ପାଦକ ଓ ବସ୍ତିର କିଛି ଲୋକେ ତାଙ୍କୁ ତୀବ୍ର ବିରୋଧ କରିଥିଲେ । ‘୧୦ ବର୍ଷ ଧରି କୁଆଡେ ଯାଇଥିଲେ, ଏବେ କାହିଁକି ଆସିଲେ' ବୋଲି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ବସ୍ତିବାସିନ୍ଦା ଓ ଦିଲ୍ଲୀପ ସମର୍ଥକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ, ଗାଁ ଦାଣ୍ଡରେ ବସାଇ ବିକାଶ ହିସାବ ମାଗିଲେ ଲୋକେ - Odisha Assembly Election 2024

ଉତ୍ତେଜନା ବଢିବା ସହ ଦୁଇ ପକ୍ଷ ମଧ୍ୟରେ ଠେଲାପେଲା ଓ ମାରପିଟ୍ ହୋଇଥିଲା । ସ୍ଥିତି କ୍ରମଶଃ ଅଣାୟତ୍ତ ହେବାର ଦେଖି ଦିଲ୍ଲୀପ ରାୟ ଓ ତାଙ୍କର ସମର୍ଥକମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ସେପଟେ ଏହି ଖବର ପାଇ ବନ୍ଧମୁଣ୍ଡା ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବସ୍ତିରେ ପୋଲିସ ମୁତୟନ କରାଯାଇଛି । ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ବନ୍ଧମୁଣ୍ଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଏବେ ବନ୍ଧମୁଣ୍ଡା ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ନିର୍ବାଚନକୁ କେଇଟା ଦିନ ଥିବାବେଳେ ବର୍ତ୍ତମାନ ଦିଲ୍ଲୀପ ରାୟଙ୍କୁ ଲୋକେ ପ୍ରବଳ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.