ETV Bharat / politics

ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ, ଗାଁ ଦାଣ୍ଡରେ ବସାଇ ବିକାଶ ହିସାବ ମାଗିଲେ ଲୋକେ - Odisha Assembly Election 2024

author img

By ETV Bharat Odisha Team

Published : Apr 24, 2024, 10:10 AM IST

Etv Bharat
Etv Bharat

Arundhati Devi face public anger: ଭୋଟ ମାଗିବାକୁ ଯାଇଥିବା ବେଳେ ଜନତାଙ୍କ ପ୍ରଶ୍ନବାଣରେ ଘାଇଲେ ହେଲେ ଦେବଗଡ଼ ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀ ଦେବୀ । ଗାଁ ଦାଣ୍ଡରେ ବସାଇ ବିକାଶ ହିସାବ ମାଗିଲେ ଲୋକେ । ଅଧିକ ପଢନ୍ତୁ

ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ

ଦେବଗଡ଼: ନିର୍ବାଚନୀ ପ୍ରଚାର ବେଳେ ବିରୋଧର ସମ୍ମୁଖୀନ ହେଲେ ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀ ଦେବୀ । ଲୋକଙ୍କୁ ଭୋଟ ମାଗି ହଟାହଟା ହେଲେ । ବିଜେଡିକୁ ଭୋଟ ଦେବାକୁ ଅପିଲ କରୁଥିବାବେଳେ ବିଜେଡି ସରକାରର ବିକାଶର ହିସାବ ମାଗିଲେ ଜନତା । ଗାଁ ଦାଣ୍ଡ ବସାଇ ୨୫ ବର୍ଷରେ କ'ଣ କରିଛ ବୋଲି ପ୍ରଶ୍ନ କଲେ । ଜନସାଧାରଣଙ୍କ ପ୍ରଶ୍ନବାଣରେ ପୁରା ଘାଇଲା ହୋଇଗଲେ ବିଜେଡି ପ୍ରାର୍ଥିନୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିବା ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବାମଣ୍ଡା ରାଜପରିବାର ସଦସ୍ୟା ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ବିଜେଡି ପ୍ରାର୍ଥୀନୀ ଅରୁନ୍ଧତୀ ଦେବୀ । ଅରୁନ୍ଧତୀ ବିଭିନ୍ନ ଅଞ୍ଚଳ ଗସ୍ତ କରି ନିଜ ପ୍ରଚାର ଅଭିଯାନ ଜାରି ରଖିଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ପ୍ରବଳ ଜନବିରୋଧର ସମ୍ମୁଖୀନ ହେବାକୁ ପଡୁଛି ।

ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀ ଦେବୀ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ । ନିତେଶ ଗଙ୍ଗଦେବ ପୂର୍ବରୁ ଦେବଗଡ଼ ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମେ 2004 ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳରେ ଯୋଗଦେଇ ଦଳୀୟ ଟିକଟରେ ନିର୍ବାଚନ ଜିତିଥିଲେ । 2014 ନିର୍ବାଚନ ବେଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ଦ୍ଵିତୀୟ ଥର ନିର୍ବାଚନ ଲଢି ବିଧାୟକ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅରୁନ୍ଧତୀ ଦେବୀ ଦେବଗଡ଼ ପ୍ରାର୍ଥୀ: ବଜାୟ ରହିବ ରାଜ ପରିବାରର ବିଜୟଧାରା ନା ଆଶାୟୀଙ୍କ ଅସହଯୋଗର ପଡ଼ିବ ପ୍ରଭାବ ? - Royal Family Politics

ଗତ 2019 ମସିହାରେ ବିଜେପି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ମଧ୍ୟ ହୋଇଥିଲେ । ମାତ୍ର ପରିତାପର ବିଷୟ, ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଦୁଇଥର ବିଧାୟକ ଓ ସମ୍ବଲପୁର ଆସନରୁ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କର 15 ବର୍ଷ କାର୍ଯ୍ୟକାଳରେ ଦେବଗଡ଼ ପାଇଁ ସେଭଳି କୌଣସି ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ କରିନଥିବା ସାଧାରଣରେ ଅଭିଯୋଗ ହୋଇଛି । ଏପରିକି 2019ରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହେବାପରେ ସେ ଦେବଗଡ଼ ବିଧାନସଭା କ୍ଷେତ୍ରରୁ ଦୂରେଇ ରହି ଲୋକସମ୍ପର୍କ ଛିନ୍ନ କରିଛନ୍ତି । ଫଳରେ ସାରା ଜିଲ୍ଲାରେ ତାଙ୍କ ବିରୋଧରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ନିତେଶ ଗଙ୍ଗଦେବ ବିଜେପିରେ ଥିବାବେଳେ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀ ଦେବୀଙ୍କୁ ବିଭିନ୍ନ ଗ୍ରାମାଞ୍ଚଳରେ ଜନସାଧାରଣ ପ୍ରବଳ ବିରୋଧ କରିବା ସହ ଅଞ୍ଚଳର ସମସ୍ୟା ତଥା ଅତୀତରେ ହୋଇପାରିନଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନବାଣରେ ଘାଇଲା କରି ପକାଉଛନ୍ତି । ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଅରୁନ୍ଧତୀଙ୍କୁ ଅନେକ ଗ୍ରାମରେ ହଟହଟା ହେବାକୁ ପଡୁଛି । ଏଭଳି ପରିସ୍ଥିତି ଜାରି ରହିଲେ ଆଗକୁ ଅରୁନ୍ଧତୀ ଦେବୀଙ୍କ ବିଜୟ ସମ୍ଭାବନାକୁ ଯଥେଷ୍ଟ ପ୍ରଭାବିତ କରିପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.