ETV Bharat / politics

ମହିଳା ବିରୋଧୀ କେନ୍ଦ୍ରମନ୍ତ୍ରୀ; ମିଶନ ଶକ୍ତି ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD Press Meet

author img

By ETV Bharat Odisha Team

Published : Apr 23, 2024, 5:36 PM IST

BJD Press Meet
BJD Press Meet

BJD Press Meet: ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି । ବିଜେପି ଓ ଧର୍ମେନ୍ଦ୍ର ମହିଳା ବିରୋଧୀ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ଅଧିକ ପଢ଼ନ୍ତୁ

BJD Press Meet

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜ୍ୟ ରାଜନୀତି । ଏହାରି ଭିତରେ ଜୋର ଧରିଛି କାଦୁଅ ଫିଙ୍ଗା ରାଜନୀତି । ବିଶେଷ କରି ବିଜେପି ଓ ବିଜେଡି ପରସ୍ପରକୁ ଜୋରଦାର ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛି ବିଜେଡି । ମିଶନ ଶକ୍ତିକୁ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ଏସଏଚଜି ମହିଳାଙ୍କୁ ଦୁବାଇ ନପଠାଇବାକୁ ଧର୍ମେନ୍ଦ୍ର ଷଡଯନ୍ତ୍ର କରିଥିବା ସେ କହିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ରଙ୍କର ମହିଳା ବିରୋଧି ମନୋଭାବର ଉଚିତ ଜବାବ ମହିଳା ଦେବେ ବୋଲି ସୁଲତା କହିଛନ୍ତି ।

ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟଙ୍କର କେବଳ ଜାତୀୟସ୍ତରରେ ନୁହେଁ, ଅନ୍ତର୍ଜାତୀୟସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଛନ୍ତି । ମହିଳାଙ୍କୁ ଆଗକୁ ବଢ଼େଇବା ସହ ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚିନ୍ତା କଲେ, ଓଡ଼ିଶାର ମହିଳାମାନେ କେବଳ ଭାରତରେ ସୀମିତ ନରୁହନ୍ତୁ । ବାହାରକୁ ଯାଆନ୍ତୁ । ଅନ୍ତର୍ଜାତୀୟ ସ୍ତରକୁ ଯାଆନ୍ତୁ । ବିଦେଶରେ ଥିବା ବାଣିଜ୍ୟିକ କେନ୍ଦ୍ର ବୁଲି ଦେଖନ୍ତୁ । ଦୁବାଇ ଭଳି ବିଶ୍ଵର ଅନେକ ବାଣିଜ୍ୟିକ ସ୍ଥାନରୁ ଜ୍ଞାନ ଆହରଣ କରନ୍ତୁ । ଦକ୍ଷ ହୋଇ ରାଜ୍ୟକୁ ଫେରି ବିଜନେସ୍‌ କରି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସଶକ୍ତ କରନ୍ତୁ । ସେମାନଙ୍କୁ ଉଦ୍ୟୋଗୀ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦୁବାଇ ମଧ୍ୟ ପଠାଇଛନ୍ତି ।"

ହେଲେ ଦୁଃଖର କଥା, ଓଡିଶା ବିଜେପି ରାଜ୍ୟ ଓ ମହିଳା ବିରୋଧୀ, ଖାସ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସେ କହିଛନ୍ତି । ସୁଲତା କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ କୁ-ବୁଦ୍ଧିକୁ ଚରିତାର୍ଥ କରିବାକୁ ପ୍ରଚେଷ୍ଟା କଲେ । ଏପ୍ରିଲ ୨୪ରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କିପରି ଦୁବାଇ ନଯାଇପାରିବେ, ସେଥିପାଇଁ ଚକ୍ରାନ୍ତ କଲେ । ୨୦୨୪ ମାର୍ଚ୍ଚ ୨୭ରେ ଜାତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ସେ ପିଟିସନ ଦେଇଥିଲେ । ଯାହା ଫଳରେ ୨୦୨୪ରେ ମାଆମାନଙ୍କ ଦୁବାଇ ଗସ୍ତ ବାତିଲ ହୋଇଛି । ନିଶ୍ଚୟ ଭାବେ ଏହା ଏକ ଲଜ୍ଜାକର କଥା । ଓଡ଼ିଶାର ମହିଳାମାନେ ଟ୍ରେନିଂ ନେଇ SHGରୁ SMEରେ ପରିଣତ ହେବେ, ତାହା ଧର୍ମେନ୍ଦ୍ର ଚାହାଁନ୍ତି ନାହିଁ । ଦୁବାଇ ଯିବାକୁ ଥିବା ମହିଳାଙ୍କ ଚୟନ ECI ଗାଇଡ୍‌ଲାଇନ୍‌ ଅନୁସାରେ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ଯୋଗୁଁ ମହିଳାମାନେ ବିଦେଶ ଯାଇପାରିଲେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ, ଲକ୍ଷ୍ମୀ କାର୍ଯ୍ୟକାରିତାରେ NH-55 ବାଧକ - BJD slams Dharmendra Pradhan

ଧର୍ମେନ୍ଦ୍ର ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ସେଠାର ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଗସ୍ତକୁ ସେ ବାତିଲ କରିଦେଲେ ବୋଲି ବିଜେଡି କହିଛି । ସୁଲତା କହିଛନ୍ତି, "ରାଜ୍ୟରୁ ପ୍ରତିନିଧି ନହୋଇ ମହିଳାଙ୍କ ବିଦେଶ ଗସ୍ତକୁ ରୋକ ଲଗାଉଛନ୍ତି । ଆସନ୍ତାକାଲି ସାଂସଦ ହେଲେ ତ ସେ ଆଉ ମଣିଷ ମାନିବେ ନାହିଁ । ସ୍ବୟଂ ସହାୟକ ଗୋଷ୍ଠୀର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବେ । ଆଗକୁ ବଢୁଥିବା ମହିଳା ଧର୍ମେନ୍ଦ୍ର କରୁଥିବା ଷଡଯନ୍ତ୍ର ଦ୍ବାରା ପୁଣି ଚାରି କାନ୍ଥ କୋଠରୀରେ ଆବଦ୍ଧ ହୋଇ ରହିବେ । ସଶକ୍ତ ହୋଇଥିବା ୭୦ ଲକ୍ଷ ମହିଳାଙ୍କୁ ପୁଣି ଅନ୍ଧାରକୁ ଠେଲି ଦେବାକୁ ସେ ଚାହୁଁଛନ୍ତି । ମହିଳାଙ୍କ ପ୍ରତି ଅସହିଷ୍ଣୁତା ଓ ଈର୍ଷାପରାୟଣାତାର ଜବାବ ମହିଳାମାନେ ଦେବେ । ନିର୍ବାଚନ ଜିତିଲେ ବୋଧେ ଧର୍ମେନ୍ଦ୍ର ମିଶନ ଶକ୍ତି ବନ୍ଦ କରି ଦେବେ । ମହିଳାଙ୍କ ଭିତରେ ସେ ଫାଟ ସୃଷ୍ଟି କରିବା ପାଇଁ କୁ-ଚକ୍ରାନ୍ତ କରୁଛନ୍ତି । ଏଥିରେ ସେ ସଫଳ ହେବେ ନାହିଁ । କୋଟି କୋଟି ମହିଳାଙ୍କ ପ୍ରଗତିରେ ରୋକ୍‌ ଲଗାଉଛନ୍ତି । ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ମହିଳା ଆପଣଙ୍କ କାମର ଉଚିତ ଜବାବ ଦେବେ । ଈର୍ଷା ପରାୟଣତାକୁ ମହିଳା ଗ୍ରହଣ କରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.