ETV Bharat / politics

ବିଜେଡି-ବିଜେପି ବାହାଘର କରି ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ

author img

By ETV Bharat Odisha Team

Published : Feb 17, 2024, 8:44 PM IST

ପୁଣି ଚର୍ଚ୍ଚାରେ ବିଜେଡି ବିଜେପି ବାହାଘର , ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ
ପୁଣି ଚର୍ଚ୍ଚାରେ ବିଜେଡି ବିଜେପି ବାହାଘର , ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ

BJD BJP Marriage: ଖୋର୍ଦ୍ଧା ଓ କନ୍ଧମାଳରେ କଂଗ୍ରେସ କରାଇଲା ବିଜେଡି ଓ ବିଜେପି ମଧ୍ୟରେ ବିବାହ । ବିଜେପି ବିଜେଡି ଉଭୟଙ୍କ ମଧ୍ୟରେ ଦୀର୍ଘ 25ବର୍ଷ ହେବ ସମ୍ପର୍କ ଥିବାରୁ ଏମିତି ଏକ ନିଆରା ବାହାଘର କରି ଜନସାଧାରଣଙ୍କୁ ସଚେତନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ବିଜେଡି ବିଜେପି ବାହାଘର , ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ

ଖୋର୍ଦ୍ଧା/ ଫୁଲବାଣୀ: ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପଣ୍ଡିତଙ୍କ ମନ୍ତ୍ରପାଠ ସହ ଚାଲିଲା ବାହାଘର । ଜଳିଲା ହୋମ ନିଆଁ, ପଡିଲା ହାତ ଗଣ୍ଠି । କିନ୍ତୁ ବାହାଘର ହେଉଥିଲା ବିଜେପି ଆଉ ବିଜେଡି ମଧ୍ୟରେ । ବାହାଘର ଆୟୋଜନ କରିଥିଲା ଖୋର୍ଦ୍ଧା ଜିଲା କଂଗ୍ରେସ । ଆଜି ମଧ୍ୟାନ୍ନ ସମୟରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ବିଜେପି ବିଜେଡି ଉଭୟଙ୍କ ମଧ୍ୟରେ ଦୀର୍ଘ 25ବର୍ଷ ହେବ ସମ୍ପର୍କ ଥିବାରୁ ଏମିତି ଏକ ନିଆରା ବାହାଘର କରି ଜନସାଧାରଣଙ୍କୁ ସଚେତନ କରିଛି କଂଗ୍ରେସ । ଆଜିର ରାଜନୈତିକ ବିବାହ କାର୍ଯ୍ୟରେ ବିଜେପି ବର ଏବଂ ବିଜେଡି କନିଆ ସାଜିଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ସବୁବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରିଆସିଛି । ଯେତେବେଳେ ବିରୋଧୀ ମାନେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି ସେତେବେଳେ ବିଜେଡି ବିଜେପି ସରକାର ସହ ଛିଡା ହୋଇଛି । ଖାଲି ସେତିକି ନୁହେଁ ଉଭୟ ଦଳର ନେତା ଅନେକ ସମୟରେ ପରସ୍ପରର ପ୍ରଶଂସା କରିଥାନ୍ତି । ଦୁଇ ଦଳ ମଧ୍ୟରେ ସବୁବେଳେ ଭିତିର ବୁଝାମଣା ଚାଲିଥିବାର ଜ୍ବଳନ୍ତ ଉଦାହରଣ ଅଶ୍ବିନୀ ବୈଷ୍ଣବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛି ବିଜେଡି । ସେହିପରି ବିଜେପି ବିଜେଡ଼ିର ନିଆରା ବାହାଘର ଆୟୋଜନ କରି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ରାଜ୍ୟବାସୀଙ୍କୁ ଉଭୟ ବିଜେପି ଓ ବିଜେଡି ପ୍ରତାରଣା କରି ଧୋକା ଦେଇଛନ୍ତି । ବାସ୍ତବରେ ଏହି ଦୁଇଦଳ ଭିତରେ ଏକ ଏବଂ ବାହାରକୁ ଅଲଗା ଅଲଗା ଥିବା ଅଭିନୟ କରୁଛନ୍ତି । ଆଗାମୀ ନିର୍ବାଚନରେ ରାଜ୍ୟବାସୀ ଏମାନଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବିଜେଡି କନିଆକୁ ବିଜେପି ବର, ଭାଲେଣ୍ଟାଇନ ଡେ’ରେ ହାତଗଣ୍ଠି ପକାଇଲା କଂଗ୍ରେସ

ଠିକ ସମାନ ଢଙ୍ଗରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଭୟ ବିଜେପି, ବିଜେଡି ନିଜ ନିଜ ଦଳର ସୁବିଧା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ଚାଲିଛନ୍ତି, କିନ୍ତୁ ଭିତରେ ଏକ ହୋଇ ରହିଛନ୍ତି । ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ସେମାନଙ୍କ ଏହି ଅଘୋଷିତ ସମ୍ପର୍କକୁ ପଦାରେ ପକେଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ ସଭାପତି ପ୍ରତିଭା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ କଂଗ୍ରେସ କର୍ମୀ । କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ ଖୋର୍ଦ୍ଧା / କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.