ETV Bharat / politics

ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର କରି ଆଚରଣ ବିଧି ଲଙ୍ଘୁଛନ୍ତି IFS ବିନୟ ପ୍ରଧାନ, ପୁଣି ଅଭିଯୋଗ ଆଣିଲା ବିଜେଡି - BJD Press Meet

author img

By ETV Bharat Odisha Team

Published : May 3, 2024, 9:07 PM IST

BJD Press Meet
BJD Press Meet(ETV BHARAT ODISHA)

BJD Press Meet: ପ୍ରେସମିଟ କରି IFS ବିନୟ କୁମାରଙ୍କୁ ବିରୋଧରେ ପୁଣି ଅଭଯୋଗ ଆଣିଲା ବିଜେଡି । ଚାକିରିରୁ ୧ ମାସ ଛୁଟି ନେଇ ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର କରି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD Press Meet (ETV BHARAT ODISHA)

ଭୁବନେଶ୍ବର: ଆମେରିକାର ନ୍ୟୁୟର୍କରେ କନ୍ସୋଲ ଜେନେରାଲ ଭାବରେ ଅବସ୍ଥାପିତ ବିନୟ ପ୍ରଧାନଙ୍କ ବିରୋଧରେ ପୁନର୍ବାର ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ବିନୟ ପ୍ରଧାନ ଆଦର୍ଶ ଆଚରଣ ବିଧିକୁ ଅବମାନନା କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି । ଆଇଏଫ୍‌ଏସ୍‌ ବିନୟ ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିବାର ସପ୍ତାହେ ପରେ ମଧ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛି ବିଜେଡି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ବିନୟ ପ୍ରଧାନଙ୍କ ବିରୋଧରେ ବିଜେଡି ଅଭିଯୋଗ କରିଛି ଯେ, ବିନୟ ପ୍ରଧାନ ଆମେରିକା ନ୍ୟୁୟର୍କରେ କନ୍ସୋଲ ଜେନେରାଲ ଭାବରେ ଅବସ୍ଥାପିତ ଥିବାବେଳେ ମାସେ ଛୁଟି ନେଇ ସମ୍ବଲପୁର ଆସିଛନ୍ତି । ବିନୟ ପ୍ରଧାନ ଭାରତ ସରକାରଙ୍କ ବିଧିକୁ ଅବମାନନା କରିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "୨୦୨୪ ନିର୍ବାଚନରେ ବିନୟ ପ୍ରଧାନଙ୍କ ସଂପୃକ୍ତି ବେଆଇନ । କାରଣ ବିନୟ ପ୍ରଧାନ ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର OSD ଥିଲେ । ୨୦୧୯ ପରେ ବିଭିନ୍ନ ବୈଦେଶିକ ନିଯୁକ୍ତି ପାଇଛନ୍ତି ବିନୟ ପ୍ରଧାନ । କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମାସେ ତଳୁ କନ୍ସୋଲ ଜେନେରାଲ ପଦରୁ ଛୁଟି ନେଇ ବିନୟ ସମ୍ବଲପୁରରେ ରହୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି ପ୍ରଚାର ପ୍ରସାରରେ ନିୟୋଜିତ ହୋଇଛନ୍ତି । ପ୍ରଚାର ପାଇଁ ପ୍ଲାନ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଅଧିକାରୀ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି IFS ବିନୟ ପ୍ରଧାନ; ECIଙ୍କ ନିକଟରେ ବିଜେଡି ଫେରାଦ - BJD ON IFS BINAYA

ଏ ସଂକ୍ରାନ୍ତରେ ଏପ୍ରିଲ ୨୪ ତାରିଖରେ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଭାରତ ସରକାରଙ୍କ ବିଧିକୁ ଅବମାନନା କରିବା ସହ ଧର୍ମେନ୍ଦ୍ରଙ୍କ ନିର୍ବାଚନ ପ୍ରଚାରକୁ ସେ ପରିଚାଳନା କରୁଥିବା ବିଜେଡି ଅଭିଯୋଗ କରିଛି । ବିନୟଙ୍କ କଲ ରେକର୍ଡ ଯାଞ୍ଚ ପାଇଁ ବିଜେଡି ଦାବି କରିଛି । କେବଳ ସେତିକି ନୁହେଁ, ତାଙ୍କର ସମ୍ପୂର୍ଣ୍ଣ ଗତିବିଧି ଟ୍ରାକ କରିବାକୁ ବିଜେଡି ଦାବି କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ବିଜେଡି ଅଭିଯୋଗ କରିଛି । ବିନୟଙ୍କ ବାବଦରେ ଭାରତ ସରକାରଙ୍କ କ୍ୟାବିନେଟ ସଚିବ, ବିଦେଶ ମନ୍ତ୍ରଣାଳୟ ସଚିବଙ୍କୁ ଚିଠି କରାଯାଇଥିଲେ ବି କିଛି ଉତ୍ତର ଆସିନାହିଁ । ଆଇନ ସମସ୍ତଙ୍କ ପାଇଁ ଯଦି ସମାନ, ତାହେଲେ ବିନୟ ପ୍ରଧାନଙ୍କ ପାଇଁ ଆଇନ ଅଲଗା କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ? ଯେହେତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ନିବିଡ଼ତା ରହିଛି, ସେଥିପାଇଁ ତାଙ୍କ ପାଇଁ ଆଇନ ଅଲଗା କି ? ଏନେଇ ଦଳ ପକ୍ଷରୁ ପୁଣିଥରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସସ୍ମିତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.