ETV Bharat / politics

ରଘୁନନ୍ଦନଙ୍କୁ ଟିକେଟ ଦାବି; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବାଲିକୁଦା ଓ ଏରସମା ବ୍ଲକ ଅଧ୍ୟକ୍ଷ - General Election 2024

author img

By ETV Bharat Odisha Team

Published : Apr 8, 2024, 8:21 PM IST

Balikuda Erasama BJD Politics
Balikuda Erasama BJD Politics

Balikuda Erasama BJD Politics: ବିଜେଡି ଟିକେଟ୍‌ ପାଇଁ ସରଗରମ ବାଲିକୁଦା-ଏରସମା ରାଜନୀତି । ବିଧାୟକ ରଘୁନନ୍ଦନ ଦାସଙ୍କୁ ପୁନର୍ବାର ବିଜେଡି ଟିକେଟ ଦେବାକୁ ଦାବି କଲେ ଦୁଇ ବ୍ଲକ ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

Balikuda Erasama BJD Politics

ଭୁବନେଶ୍ବର/ଜଗତସିଂହପୁର: ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ପୁନର୍ବାର ବିଜେଡି ଟିକେଟ ଦେବାକୁ ଦାବି । ରଘୁନନ୍ଦନଙ୍କୁ ଟିକେଟ ଦାବି କରି ବାଲିକୁଦା ଓ ଏରସମା ବ୍ଲକ ଅଧ୍ୟକ୍ଷଙ୍କ ଦାବିପତ୍ର । ଦୁଇ ବ୍ଲକ ଅଧ୍ୟକ୍ଷ ନବୀନ ନିବାସ ଆସି ୬ ଜିଲ୍ଲା ପରିଷଦ, ଦୁଇ ବ୍ଲକର ସରପଞ୍ଚ ଓ ସମିତିସଭ୍ୟଙ୍କ ପକ୍ଷରୁ ଦେଇଛନ୍ତି ଦାବିପତ୍ର । ଅଞ୍ଚଳରେ ଭଲ କାମ କରିଥିବାରୁ ରଘୁନନ୍ଦନଙ୍କୁ ଟିକେଟ ଦାବି କରିଛନ୍ତି ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ମହାପାତ୍ର ।

ବିଜେଡି ପକ୍ଷରୁ ଦଳର ସଭାପତି ୩ଟି ପର୍ଯ୍ୟାୟରେ ଶତାଧିକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ସେଥିରେ ଜଗତସିଂହପୁର ଜିଲ୍ଲାର ଲୋକସଭା କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । କିନ୍ତୁ ପାରାଦ୍ବୀପ, ବାଲିକୁଦା - ଏରସମା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ଦୁଇ ଆସନ ପାଇଁ ଦଳ ବିକଳ୍ପ ପ୍ରାର୍ଥୀ ସନ୍ଧାନରେ ଥିବା କୁହାଯାଉଛି । ପାରାଦ୍ବୀପରୁ ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ନିକଟରେ ବିଜେଡିରେ ମିଶିଥିବା ମୋନିଦୀପା ସର୍ଖେଲ ଓ ଚିରଞ୍ଜୀବ ବିଶ୍ବାଳଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ବାଲିକୁଦା- ଏରସମା ଆସନରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସଙ୍କୁ ରିପିଟ କରିବା ଆଶା କମ ରହିଛି ବୋଲି ଚର୍ଚ୍ଚା ହେଉଛି । ସେଠାରେ ଦଳ ବିକଳ୍ପ ପ୍ରାର୍ଥୀ ସନ୍ଧାନରେ ରହିଛି । କଂଗ୍ରେସରୁ ଆମଦାନୀ ହୋଇଥିବା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । କିମ୍ବା ଦଳ ନୂଆ ଚେହେରାକୁ ସାମ୍ନାକୁ ଆଣିପାରେ । କିଛିଦିନ ପୂର୍ବରୁ ଅଞ୍ଚଳର କିଛି ଲୋକ ନବୀନ ନିବାସ ଆସି ରଘୁନନ୍ଦନଙ୍କ ଟିକେଟ କାଟିବା ଲାଗି ଦାବି ମଧ୍ୟ କରିଛନ୍ତି । ନୂଆ ଚେହେରା ଦେବାକୁ ମଧ୍ୟ ଦାବି ହୋଇଛି । ଏହାରି ଭିତରେ ରଘୁନନ୍ଦନଙ୍କ ସମର୍ଥନରେ ବାହାରିଛନ୍ତି ବାଲିକୁଦା ଓ ଏରସମା ବ୍ଲକ ଅଧ୍ୟକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ...ବରୀରେ ଟିକେଟ୍ ଟେନସନ: ଭୁବନେଶ୍ବରରେ ସୁନନ୍ଦାଙ୍କ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ, ନବୀନଙ୍କୁ ଲେଖିଲେ ଚିଠି - Ticket Demand For Sunanda

ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଦଳର ଜଗତସିଂହପୁର ଜିଲ୍ଲା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି, "ପ୍ରଥମ ୩ଟି ପର୍ଯ୍ୟାୟରେ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କିନ୍ତୁ ବାଲିକୁଦା ଏରସମା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେଣୁ ଆମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ଦେଇଛୁ । ବାଲିକୁଦା ଓ ଏରସମା ବ୍ଲକ ସଭାପତି ଆମେ ୬ ଜିଲ୍ଲା ପରିଷଦ, ଦୁଇ ବ୍ଲକର ସରପଞ୍ଚ ଓ ସମିତିସଭ୍ୟଙ୍କ ପକ୍ଷରୁ ଦାବିପତ୍ର ନେଇ ନବୀନ ନିବାସ ଆସିଛୁ । ବିଜେଡି ସଭାପତି ଓ 5T ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛୁ । ଦଳ ତୁରନ୍ତ ରଘୁନନ୍ଦନଙ୍କୁ ତୁରନ୍ତ ଟିକେଟ ପ୍ରଦାନ କରୁ ବୋଲି ଦାବି କରିଛୁ । ରଘୁନନ୍ଦନ ଦାସଙ୍କର ସଂଗଠନ ରହିଛି । ସେ ୨୦୧୯ ନିର୍ବାଚନରେ ୫୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଯେଉଁମାନେ ରଘୁନନ୍ଦନ ହଟେଇବାକୁ ଦାବି କରୁଛନ୍ତି ସେମାନେ ମନ୍ଦ ପ୍ରକୃତିର ଲୋକଙ୍କ ପ୍ରରୋଚନାରେ ଏହା କରୁଛନ୍ତି । ସେମାନଙ୍କର ତୃଣମୂଳରେ କୌଣସି ସଂଗଠନ ନାହିଁ । ଭୁବନେଶ୍ବରରୁ ଲୋକ ଆଣି ଏଠି ଶକ୍ତି ପ୍ରଦର୍ଶନ କରି ପାରିବେ । ଯେଉଁମାନେ ଆସିଥିଲେ ସେମାନେ ଭଡାଟିଆ ଭାବେ ଆସିଥିଲେ ।"

ସେହିପରି ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି, "ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ଅଛି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ ହୋଇଛି । ବିଧାୟକଙ୍କ କାର୍ଯ୍ୟକଳାପ ଓ ବିକାଶ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି । ଯଦି ଜଣେ ଏତେ ସବୁ କାମ କରୁଛନ୍ତି ତେବେ କାହିଁକି ତାଙ୍କୁ ଟିକେଟ ନମିଳିବ ? ଆମେ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ ରଖିବୁ । ଆଶା ରଘୁନନ୍ଦନଙ୍କୁ ଟିକେଟ ମିଳିବ ।" ତେବେ ଯଦି ଟିକେଟ ନମିଳେ, ତେବେ ଆଗାମୀ ଦିନରେ ଯାହା ଲୋକଙ୍କ ନିଷ୍ପତ୍ତି ହେବ ତାହା ଆମର ନିଷ୍ପତ୍ତି ହେବ ବୋଲି ସିଧା ସିଧା ଶୁଣାଇଦେଇଛନ୍ତି ଲକ୍ଷ୍ମୀପ୍ରିୟା ।

ଇଟିଭି ଭାରତ, ଭୁବନେଶ୍ବର/ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.