ETV Bharat / politics

ନିର୍ବାଚନୀ ବୈତରଣୀ ପାର୍‌ କରାଇବ ସୋସିଆଲ ମିଡିଆ ! ପ୍ରଚାରର ପାଲଟିଛି ନୂଆ ଟ୍ରେଣ୍ଡ - Digital campaign

author img

By ETV Bharat Odisha Team

Published : Mar 24, 2024, 2:17 PM IST

Digital campaign
Digital campaign

Digital campaign: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜମିଲାଣି ପ୍ରଚାର । ହେଲେ ପାରମ୍ପରିକ ପ୍ରଚାର ପଦ୍ଧତି ନୁହେଁ ବରଂ ଏବେ ସମସ୍ତଙ୍କ ଫୋକସରେ ସୋସିଆଲ ମିଡିଆ । ଡିଜିଟାଲ କ୍ୟାମ୍ପେନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ନେତାଙ୍କ ଠାରୁ ଆରମ୍ଭ କରି ଭୋଟର ପର୍ଯ୍ୟନ୍ତ । ପଢନ୍ତୁ ଏହି ରିପୋର୍ଟ ।

Digital campaign

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନେଇ ବିଗୁଲ ବାଜିସାରିବା ପରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରସ୍ତୁତି ପର୍ବ । ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିଲେ ବି ଜମିଲାଣି ପ୍ରଚାର । ହେଲେ ବଦଳିଛି ପାରମ୍ପରିକ ପ୍ରଚାର ଷ୍ଟ୍ରାଟେଜି । ଏବେ ସଭା ସମିତି ଓ ଘର ଘର ବୁଲି ପ୍ରଚାର କରିବା ନୁହେଁ ବରଂ ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ, ନେତା ଓ କର୍ମୀମାନେ । ସେପଟେ ଭୋଟର ବି ସୋସିଆଲ ମିଡିଆ ମାଧ୍ୟମରେ ଯୋଗ୍ୟ ନେତାଙ୍କୁ ବାଛିବାକୁ ବେଶ ପସନ୍ଦ କରୁଛନ୍ତି ।

ନିର୍ବାଚନ ଯେତିକି ପାଖଉଛି ସେତିକି ଜମୁଛି ପ୍ରଚାର । ତାରିଖ ଓ ପ୍ରାର୍ଥୀ ଚୂଡାନ୍ତ ହୋଇନଥିଲେ ମଧ୍ୟ ଗାଁ ଗାଁ ବୁଲି ବିଭିନ୍ନ ସ୍ଥାନରେ କରୁଛନ୍ତି ସଭା ସମିତି ସମ୍ମିଳନୀ କରିବା ଆରମ୍ଭ କରିଦେଲେଣି ଆଶାୟୀ । ତେବେ ସାଂପ୍ରତିକ ପରିସ୍ଥିତିରେ ବଦଳିଛି ପ୍ରଚାର ତରିକା । କେବଳ କାନ୍ଥବାଡ଼ରେ ପୋଷ୍ଟର ମାରି ନୁହେଁ ବରଂ ଏବେ ଡିଜିଟାଲ ପ୍ରଚାରକୁ ସବୁ ଦଳ ଅଧିକ ଗୁରୁତ୍ବ ଦେଉଛନ୍ତି । ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଚାଲୁଛି ।

ନେତାମାନେ ସକାଳୁ ରାତି ଯାଏ କୁଆଡ଼େ ଓ କାହିଁକି ଯାଉଛନ୍ତି, କାହାକୁ ଭେଟୁଛନ୍ତି ଏବଂ କଣ କାର୍ଯ୍ୟକ୍ରମ କରୁଛନ୍ତି ଏ ସବୁର ଟିକିନିଖି ଘଟଣାକୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ପାରମ୍ପରିକ ପ୍ରଚାରରୁ ଆଗକୁ ଗଲେଣି ନେତା । କର୍ମୀ ବି ଆଉ ପଛରେ ନାହାନ୍ତି । ଗାଁ ଗାଁ ବୁଲି ଜିନ୍ଦାବାଦ କରିବା ବଦଳରେ ମୋବାଇଲ ଖୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି । ସୋସିଆଲ ମିଡ଼ିଆ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌ରେ ଜୋରଦାର ହେଉଛି ପ୍ରଚାର ।

ଏହାମଧ୍ୟ ପଢନ୍ତୁ.. ନୂଆନେତାଙ୍କ ପ୍ଲାଟଫର୍ମ ଲୋଇସିଂହା ବିଧାନସଭା ଆସନ; ଏଥର ବି ବିଜେପି ନା ଆଉ କିଏ ? - Loisingha Assembly Constituency

ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଥିବାରୁ ଏହାର ଭରପୁର ଫାଇଦା ଉଠାଇବା ଲକ୍ଷରେ ଅଛନ୍ତି ଆଶାୟୀ । ବିଭିନ୍ନ ପ୍ରକାର ଗ୍ରୁପ ଓ ପୋଷ୍ଟ କରି ଭୋଟରଙ୍କ ପାଖରେ ଅତି ସହଜରେ ପହଞ୍ଚି ନିଜର ମନର କଥା ରଖୁଛନ୍ତି । ସେହିପରି ନିଜର ନିର୍ବାଚନୀ ଇସ୍ତାହାର ମଧ୍ୟ ଭୋଟରଙ୍କ ପାଖରେ ରଖୁଛନ୍ତି । ଏଥିରେ ଯୁବ, ଛାତ୍ର, ମହିଳା ଠାରୁ ବରିଷ୍ଠ ଭୋଟର ମଧ୍ୟ ପ୍ରଭାବିତ ହେଉଛନ୍ତି ।

ନେତାମାନଙ୍କ କହିବାନୁଯାୟୀ, ଭୋଟରମାନଙ୍କ ପାଖରେ ପହଞ୍ଚିବାକୁ ସୋସିଆଲ ମିଡିଆ ବଳିଷ୍ଠ ମାଧ୍ୟମ । ଏହାଦ୍ୱାରା ସିଧାସଳଖ ଭୋଟର ମାନଙ୍କ ପାଖରେ ପହଞ୍ଚି ହେବ । ସୋସିଆଲ ମିଡିଆ ମାଧ୍ୟମରେ କମ ସମୟ ମଧ୍ୟରେ, ଅଳ୍ପ ଖର୍ଚ୍ଚରେ ସବୁ ଭୋଟରମାନଙ୍କ ପାଖରେ ପହଞ୍ଚି ହେଉଛି । ସେମାନଙ୍କ ମତାମତ ମଧ୍ୟ ନେଇ ହେଉଛି । ସୋସିଆଲ ମିଡିଆ ଏଥର ନିର୍ବାଚନକୁ ବେଶ ପ୍ରଭାବ ପକାଇବ ଓ ଭୋଟରଙ୍କୁ ମନେବାରେ ସହାୟକ ହେବ ବୋଲି କହିଛନ୍ତି ନେତା ।

ଅନ୍ୟପଟେ ଭୋଟର ବି ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେମାନଙ୍କ କହିବାନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ନିଜ ପସନ୍ଦର ନେତା ଚୟନ କରିବାରେ ବେଶ ସୁବିଧା ହେବ । ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆ ପ୍ରଚାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.