ETV Bharat / opinion

ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କାହିଁକି ବଦଳିଗଲେ ରାଷ୍ଟ୍ରପତି ମୁଇଜୁ - Maldives changes its tune

author img

By ETV Bharat Odisha Team

Published : Mar 30, 2024, 2:34 PM IST

Updated : Mar 31, 2024, 10:56 AM IST

ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କ'ଣ ହେଲା ଏମିତି ?
ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କ'ଣ ହେଲା ଏମିତି ?

Maldives expectedly changes its tune: କ୍ଷମତାରେ ଆସିବା ପରଠୁ ଭାରତକୁ ସମାଲୋଚନା କରୁଥିବା ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ ହଠାତ୍ ବଦଳି ଯାଇଛନ୍ତି । ଭାରତ ପ୍ରତି ସେ ନିଜର ନରମ ଆଭିମୁଖ୍ୟ ପୋଷଣ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ହେଲେ ଅଚାନକ କାହିଁକି ନରମିଲେ ମୁଇଜୁ, ପଢନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟରେ

ହାଇଦ୍ରାବାଦ: ମାଳଦ୍ବୀପ ରାଷ୍ଟ୍ରପତି ଭାବେ ଶପଥ ନେବା ପରଠୁ ଚୀନ ସମର୍ଥକ ମହମ୍ମଦ ମୁଇଜୁ ଭାରତ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଆସୁଥିଲେ । ଏମିତିକି ତାଙ୍କ ଦେଶରୁ ଭାରତୀୟ ସୈନ୍ୟଙ୍କୁ ବିଦା କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ଯେମିତି ରାଜନୀତି ସମୀକ୍ଷକ ଆକଳନ କରୁଥିଲେ, ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ ଭାରତ ପ୍ରତି ନିଜର ନରମ ଆଭିମୁଖ୍ୟ ଦେଖାଇଛନ୍ତି । ଏକ ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ସାକ୍ଷାତକାରରେ, ମୁଇଜୁ ଭାରତକୁ ନିକଟତମ ବନ୍ଧୁ ସମ୍ବୋଧିତ କରିବା ସହ ମାଳଦ୍ବୀପକୁ ଦେଇଥିବା ଋଣ ଛାଡିବାକୁ ଅନୁରୋଧ କରିଥିଲେ । କାରଣ ଗତବର୍ଷ ସୁଦ୍ଧା ମାଳଦ୍ବୀପ ଉପରେ ଭାରତର ପାଖାପାଖି ୪୦୦.୯ ମିଲିୟନ ଡଲାର ଋଣ ରହିଥିଲା, ଯାହାକୁ ଚଳିତ ବର୍ଷର ଶେଷ ସୁଦ୍ଧା ଶୁଝିବାକୁ ପଡିବ ।

ଋଣ ବୋଝ ତଳେ ଛଟପଟ ମାଳଦ୍ବୀପ: ୪୦୦.୯ ମିଲିୟନ ଡାଲର ଋଣ ଯେକୌଣସି ୬.୧୯୦ ବିଲିୟନ ଡଲାର ଜିଡିପି ଭିତ୍ତିକ ଦେଶ ପାଇଁ ପରିଶୋଧ କରିବା କଷ୍ଟସାଧ୍ୟ ନିଶ୍ଚୟ । ଏମିତିରେ ମାଳଦ୍ବୀପ ପୂର୍ବରୁ ହିଁ ୩.୫୭୭ ବିଲିୟନ ଡଲାରର ବିଦେଶୀ ଋଣ ବୋଝ ତଳେ ଦବି ରହିଛି, ଯାହାମଧ୍ୟରୁ କେବଳ ୪୨ ପ୍ରତିଶତ ଋଣ ଚୀନ ଦେଇଛି । ମାଳଦ୍ବୀପକୁ ଭାରତର ସମୁଦାୟ ୫୧୭ ମିଲିୟନ ଡଲାର ଋଣ ଶୁଝିବାକୁ ହେବ । ତେବେ ମୁଇଜୁଙ୍କ ସମାଲୋଚନା ସତ୍ତ୍ବେ ଗତ ଆର୍ଥିକ ବର୍ଷରେ ଭାରତ ମାଳଦ୍ବୀପରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ୯୩ ମିଲିୟନ ଡଲାର ଖର୍ଚ୍ଚ କରିଛି ।

ମାଳଦ୍ବୀପର ସବୁ କଠିନ ପରିସ୍ଥିତିରେ ଭାରତ ତା' ସହ ଛିଡ଼ା ହୋଇଛି । ୧୯୮୮ ମସିହା ନଭେମ୍ବରରେ ମାଳଦ୍ବୀପ ଯେତେବେଳେ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଥିଲା, ସେତେବେଳେ ଏକମାତ୍ର ଭାରତ ହିଁ ଥିଲା ଯିଏ ସେଠାକୁ ନିଜର ସୈନ୍ୟ ପଠାଇଥିଲା । ୧୯୮୦ ଏବଂ ୧୯୯୦ରେ ଭାରତ ମାଳଦ୍ବୀପକୁ ଗୋଟିଏ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ପଲିଟେକନିକ ଭେଟି ଦେଇଥିଲା । ୨୦୦୪ ମସିହାରେ ମାଳଦ୍ବୀପରେ ଭୟଙ୍କର ସୁନାମୀ ସମୟରେ ପ୍ରଥମେ ଭାରତ ହିଁ ସାହାଯ୍ୟ ପାଇଁ ଆଗେଇ ଯାଇଥିଲା ।

ମାଳଦ୍ବୀପରେ ଭାରତର ମାଳ ମାଳ ପ୍ରୋଜେକ୍ଟ: ୨୦୦୮ ପରଠୁ ଭାରତ ମାଳଦ୍ବୀପର ସହାୟତା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଗତ ୨୪୫୪.୫୯ କୋଟି ଖର୍ଚ୍ଚ କରିଛି, ଯାହାମଧ୍ୟରେ ୫୦୦ ଗୃହ ନିର୍ମାଣ, ଟେକ୍ନୋଲୋଜି ଆଡପସନ ସେଣ୍ଟର, ଗୋଟିଏ ରାଷ୍ଟ୍ରୀୟ ପୋଲିସ କଲେଜ, ଜଳ ଓ ପରିମଳ ପ୍ରକଳ୍ପ, ରାସ୍ତାଘାଟ, ଜମି ପୁନରୁଦ୍ଧାର ପ୍ରକଳ୍ପ ଅନ୍ତର୍ଭୁକ୍ତ । କେବଳ ଏତିକି ନୁହେଁ, ମାଳଦ୍ବୀପ ରାଷ୍ଟ୍ରୀୟ ବଳର ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ସହ ମାଳଦ୍ବୀପ ପର୍ଯ୍ୟଟନ ଶିଳ୍ପ ସଦୃଢ କରିବାରେ ଭାରତର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଆସିଛି । ଆମର ନୌସେନା ଏବଂ ତଟରକ୍ଷୀ ବାହାନୀ ମଧ୍ୟ ମିଳିତ ସମରାଭ୍ୟାସରେ ସମୟ ସମୟରେ ମାଳଦ୍ବୀପ ନ୍ୟାସନାଲ ଡିଫେନ୍ସ ଫୋର୍ସ (MNDF)କୁ ସାମିଲ୍ କରିଛି ।

ମାର୍ଚ୍ଚ ୨୨ରେ ସ୍ଥାନୀୟ ଗଣମାଧ୍ୟମ 'Mihaaru'କୁ ସାକ୍ଷାତକାର ଦେଇ ମୁଇଜୁ ପ୍ରଥମ ଥର ଭାରତର ସହଯୋଗକୁ ପ୍ରଶଂସା କରିଥିଲେ । ସ୍ବୀକାର କରିଥିଲେ ଯେ, ମାଳଦ୍ବୀପକୁ ସହାୟତା ପ୍ରଦାନ କରିବାରେ ଭାରତ ସବୁବେଳେ ଆଗରେ ରହିଛି ଏବଂ ତାଙ୍କ ଦେଶରେ ସବୁଠୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ଏଥିସହ ଭାରତ ମାଳଦ୍ବୀପକୁ ଦେଇଥିବା ଋଣ ଛାଡ କରୁ ବୋଲି ଆଶାବ୍ୟକ୍ତ କରିଥିଲେ । ଆବୁଧାବିରେ COP ସମ୍ମିଳନୀ ସମୟରେ ଭାରତର ଯୋଗଦାନ ପାଇଁ ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିବାର ମଧ୍ୟ ସାକ୍ଷାତକାରରେ ଜଣାଇଥିଲେ ।

ଏହାମଧ୍ୟ କହିଥିଲେ ଯେ, ସେ ମାଳଦ୍ବୀପରେ ଭାରତର ବିକାଶମୂଳକ ପ୍ରକଳ୍ପକୁ ବନ୍ଦ କରିବାକୁ ଚାହୁଁନାହାନ୍ତି, ବରଂ ଏହି ପ୍ରକଳ୍ପଗୁଡିକୁ ମଜବୁତ ଏବଂ ତ୍ବରାନ୍ବିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଦେଶରେ ଭାରତୀୟ ସେନାକୁ ହଟାଇବା ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ଯଥାର୍ଥ ଦର୍ଶାଇବାକୁ ଯାଇ ସଫେଇ ଦେଇଥିଲେ ଯେ, ତାହା ତାଙ୍କର ଭାରତ କୈନ୍ଦ୍ରିକ ନୀତି ନୁହେଁ, ସେଇଟା ସବୁ ଦେଶ କ୍ଷେତ୍ରରେ ସମାନ ଭାବେ ଲାଗୁ ହେବ ।

ହଠାତ୍ କାହିଁକି ନରମିଲେ ମୁଇଜୁ: ଏଠି ପ୍ରଶ୍ନ ଉଠୁଛି, କାହିଁକି ଭାରତ ଆଡକୁ ୟୁ-ଟର୍ଣ୍ଣ ମାରିଲେ ମୁଇଜୁ ? ଏହା ପଛରେ ଚାରୋଟି କାରଣ ଥାଇପାରେ । ପ୍ରଥମତଃ, ୪୦୦ ମିଲିୟନ ଡଲାର ଋଣ ଶୁଝିବା ମାଳଦ୍ବୀପ ଭଳି ଏକ ଛୋଟ ଅର୍ଥନୀତି ପାଇଁ ସହଜ ନୁହେଁ । ଦ୍ବିତୀୟରେ, ଚୀନ ୨୦ଟି ଚୁକ୍ତିନାମା ସ୍ବାକ୍ଷର କରିଛି ଏବଂ ୧୩୦ ମିଲିୟନ ଡଲାର ଘୋଷଣା କରିଛି । ମୁଇଜୁଙ୍କ ବେଜିଂ ଗସ୍ତ ସମୟରେ ଏହା ଜଣାପଡୁଛି ଯେ, ଋଣ ପରିଶୋଧ ବିନା ଚୀନ ନିକଟ ଭବିଷ୍ୟତରେ ମାଳଦ୍ବୀପକୁ ପାଣ୍ଠି ଯୋଗାଣ ଜାରି ରଖିବା ମୁଡରେ ନାହିଁ ।

ତୃତୀୟଟି ହେଉଛି, ମାଳଦ୍ବୀପ ଅର୍ଥନୈତିକ ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା IMFର ଚେତାବନୀ । ଶେଷ କାରଣ, ଭାରତ ସହ ତିକ୍ତତା ପ୍ରସଙ୍ଗରେ ନିଜର ତ୍ରୁଟି ସଂଶୋଧନ ପାଇଁ ବିରୋଧୀ ମଜବୁର କରିବା । ପୂର୍ବତନ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ସୋଲି ମଧ୍ୟ ଭାରତ ସହ ଡିଲ୍ କରିବା ବେଳେ ନିଜ ଜିଦ୍ ଛାଡିବା ପାଇଁ ରାଷ୍ଟ୍ରପତି ମୁଇଜୁଙ୍କୁ ପରାମର୍ଶ ଦେଇଥିଲେ । ଏବେ ଦେଖିବା ବାକି ରହିଲା, ନିଜ ରାଷ୍ଟ୍ରର ହିତ ପାଇଁ ଉତ୍ତର ପଡୋଶୀ ରାଷ୍ଟ୍ର ପ୍ରତି ମୁଇଜୁ କେଉଁଭଳି ଦୃଷ୍ଟିକୋଣ ପ୍ରଦର୍ଶନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଧା ପୋଷାକରେ ମଧ୍ୟ ରହିପାରିବେନି ଜଣେ ବି ଭାରତୀୟ ସୈନିକ: ମାଳଦ୍ବୀପ ରାଷ୍ଟ୍ରପତି

Last Updated :Mar 31, 2024, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.