ETV Bharat / international

10 ବର୍ଷ ପରେ ମିଳିଥିଲା ମାତୃତ୍ବ, ଇସ୍ରାଏଲ ଆକ୍ରମଣରେ ନବଜାତ ଯାଆଁଳା ଶିଶୁଙ୍କ ସହ ବାପା ମୃତ

author img

By ETV Bharat Odisha Team

Published : Mar 3, 2024, 10:38 PM IST

Israel attack on Gaza: ଇସ୍ରାଏଲ ଆକ୍ରମଣରେ ଯାଆଁଳା ଶିଶୁ ସହ ବାପା ମୃତ । 10 ବର୍ଷର ଚିକିତ୍ସା ପରେ ମା’ ହୋଇଥିଲେ ମହିଳା । ଅଧିକ ପଢନ୍ତୁ

ଦଶବର୍ଷ ପରେ ମିଳିଥିଲା ମାତୃତ୍ବ
ଦଶବର୍ଷ ପରେ ମିଳିଥିଲା ମାତୃତ୍ବ

ହାଇଦ୍ରାବାଦ: ଯୁଦ୍ଧ କେବଳ ରକ୍ତପାତ, ଯନ୍ତ୍ରଣା ଓ ଶତାବ୍ଦୀ ପର୍ଯ୍ୟନ୍ତ ଛାପ ଛାଡିଯାଉଥିବା ଦୁର୍ଦ୍ଦଶାର ଏକ କରୁଣ ଅଧ୍ୟାୟ । ଯୁଦ୍ଧ ଯେ କେତେ କରୁଣ ଓ ନିର୍ଦ୍ଦୟ ହୋଇପାରେ,ତାର ଏକ ଛାତିଥରା ଉଦାହରଣ ଇସ୍ରାଏଲ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦେଖିବାକୁ ମିଳିଛି । 10ବର୍ଷ ପରେ ମିଳିଥିଲା ମାତୃତ୍ବ । ସେ ପୁଣି ସ୍ବାଭାବିକ ନୁହେଁ ବରଂ ଦୀର୍ଘ ମେଡିକାଲ ଚିକିତ୍ସା ପରେ । ହେଲେ ସବୁକିଛି ଉଜୁଡି ଯିବାକୁ କିଛି କ୍ଷଣ ମଧ୍ୟ ଲାଗିଲାନି । ଇସ୍ରାଏଲର ଆକ୍ରମଣରେ ଦୁଇ ନବଜାତ ଜାଆଁଳ ଶିଶୁଙ୍କ ସହ ତାଙ୍କ ପିତାଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦୁଇ ନବଜାତ ଜମଜ ଶିଶୁ ଓ ସ୍ବାମୀକୁ ହରାଇ ଏବେ ଅସହାୟ ହୋଇପଡିଛନ୍ତି ଦକ୍ଷିଣ ଗାଜାର ଜଣେ ପାଲେଷ୍ଟାନୀୟ ମହିଳା ।

ଏହି ପାଲେଷ୍ଟନୀୟ ମହିଳା ଜଣକ ହେଉଛନ୍ତି, ଦକ୍ଷିଣ ଗାଜାର ରାନିଆ ଆବୁ ଅଞ୍ଜା । ବିବାହର 10 ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ନଥିଲେ । ଦୀର୍ଘ ମେଡିକାଲ ପରାମର୍ଶ ପରେ ଭିଟ୍ରୋ ଫର୍ଟିଲାଇଜେସନ ପ୍ରକ୍ରିୟାରେ ଗର୍ଭଧାରଣ ସମ୍ଭବ ହୋଇଥିଲା । 5 ମାସ ପୂର୍ବେ ଦୁଇ ଯାଆଁଳା ଶିଶୁ ପୁତ୍ର ଓ କନ୍ୟାଙ୍କୁ ଜନ୍ମ ଦେଇଥିଲେ ରାନିଆ ଆବୁ । ହେଲେ ଗତକାଲି ରାତି ଯେମିତି ତାଙ୍କ ଜୀବନ ଅଭିଶପ୍ତ ରାତି ଥିଲା । ତାଙ୍କ ଘର ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିଲା । ଏହି ସମୟରେ ଉଭୟ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପରେ ଶିଶୁ ଦୁହେଁ ମା’ କୋଳରେ ଶୋଇଥିଲେ । ନିକଟରେ ସ୍ବାମୀ ସମେତ ପରିବାର ଅନ୍ୟ ସଦସ୍ୟ ମଧ୍ୟ ଥିଲେ । ଏହି ସମୟରେ ଆକ୍ରମଣରେ ଘରଟି ସମ୍ପର୍ଣ୍ଣ ଛାରଖାର ହୋଇପଡିଥିଲା । ସୌଭାଗ୍ୟବଶତଃ ମହିଳାଜଣକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବେଳେ ଦୁଇ କୋମଳମତି ଶିଶୁଙ୍କ ସମେତ ତାଙ୍କ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ନିଜ ନବଜାତ ସନ୍ତାନଙ୍କ ସହ ଜୀବନ ଜିଇଁବାର ରାହା ଖୋଜୁଥିବା ଏହି ମହିଳା ଜଣକ ମାତ୍ର କ୍ଷଣିକରେ ଅସହାୟ ହୋଇପଡିଛନ୍ତି । ଦୁଇ ଶିଶୁଙ୍କ ମୃତଦେହକୁ ମହିଳା ଜଣକ କୋଳରେ ଧରି କାନ୍ଦୁଥିବାର ଫଟୋ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଡନ ସୃଷ୍ଟି କରିଛି । ଗାଜାରେ ଦେଖାଯାଇଥିବା ମାନବୀୟ ସଙ୍କଟ ନେଇ ପୁଣି ଥରେ ବିଶ୍ବବାସୀଙ୍କୁ ଏହି ଦୃଶ୍ୟ ଚିନ୍ତା କରିବାକୁ ବାଧ୍ୟ କରିଛି ।

ଏହା ମଧ୍ୟ ପଢନ୍ତୁ :- କାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ତୋଫାନି ଗସ୍ତ, 2 ଦିନରେ ଓଡିଶା ସମେତ 5 ରାଜ୍ୟରେ ମାରାଥନ କାର୍ଯ୍ୟକ୍ରମ

ଗତବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ ଅଧିକୃତ ଗାଜା ସମ୍ପୂର୍ଣ୍ଣ ଧ୍ବଂସସ୍ତୂପରେ ପରିଣତ ହୋଇସାରିଛି । ପ୍ରାୟ 30 ହଜାର ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇସାରିଲାଣି । ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଗାଜା ଉପରେ ଇସ୍ରାଏଲ ସେନା ଯୁଦ୍ଧ ଘୋଷଣା କରିବା ସହ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥାର ହସ୍ତକ୍ଷେପ ଓ ବିଭିନ୍ନ କଟକଣା ମଧ୍ୟ ଇସ୍ରାଏଲକୁ ଏହି ଆକ୍ରମଣରୁ କ୍ଷାନ୍ତ କରିପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.