ETV Bharat / entertainment

ଅନୁଭବ-ବର୍ଷାଙ୍କ ଛାଡପତ୍ର ! ତୁଟିଲା ୧୦ ବର୍ଷର ବୈବାହିକ ସମ୍ପର୍କ

author img

By ETV Bharat Odisha Team

Published : Feb 8, 2024, 10:04 AM IST

୧୦ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଅନୁଭବ-ବର୍ଷା
୧୦ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ଅନୁଭବ-ବର୍ଷା

Anubhav-Varsha Divorce: ଦୀର୍ଘ ଦିନ ଧରି ଚାଲିଥିବା ବିବାହ ବିଚ୍ଛେଦ ମାମାଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ଅଲଗା ହେଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଲେ ଅନୁଭବ ।

ଭୁବନେଶ୍ୱର: ତୁଟିଲା 10 ବର୍ଷର ବୈବାହିକ ସମ୍ପର୍କ । ଅଲଗା ହେଲେ ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ ମହାନ୍ତି । ତାଙ୍କ ବିବାହର 10 ବର୍ଷ ପୂର୍ତ୍ତି ପୂର୍ବରୁ ଛାଡପତ୍ର ହୋଇଥିବା ସେ ଲେଖିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ତଥା ସାଂସଦ ଛାଡ଼ପତ୍ର ସୂଚନା ଦେଇଥିବା ବେଳେ ସବୁ ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନୁଭବ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ବିବାହର ୧୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ବର୍ଷାଙ୍କ ସହ ତାଙ୍କର ଛାଡପତ୍ର ହୋଇଥିବା ସେ କହିଛନ୍ତି । ସେ ଲେଖିଛନ୍ତି, ''ଏହି ଲଢେଇରେ ମୋର ଏବଂ ମୋ ପରିବାର ସହ ରହିଥିବା ନେଇ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଆଜି ମୋର ଛାଡପତ୍ରର ଆଦେଶ ପାଇଛି । ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ତଥା ଯନ୍ତ୍ରଣାଦାୟକ ଏବଂ ସର୍ବୋପରି ମୋର ମିଥ୍ୟା ବିବାହର ଶେଷ ହୋଇଛି । ବିବାହର ୧୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ଏହି ଛାଡପତ୍ର ହୋଇଛି । ତଥାପି ମୁଁ ବର୍ଷାଙ୍କ ଖୁସି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।''

କହିରଖୁଛୁ କି, ଫେବୃଆରୀ ୮, ୨୦୧୪ରେ ଅନୁଭବ ଏବଂ ବର୍ଷା ବିବାହ କରିଥିଲେ । ତେବେ ଆଜି ଉଭୟଙ୍କ ବିବାହକୁ ୧୦ ବର୍ଷ ପୂରିଥିବା ବେଳେ ଗତକାଲି ଅର୍ଥାତ୍ ୧୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପୂର୍ବରୁ ଉଭୟ ଅଲଗା ହୋଇଛନ୍ତି । ସୂଚନା ଥାଉକି, ଡିସେମ୍ବର ୨୧, ୨୦୨୩ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ହୋଇଥିବା ନିଶ୍ଚିନ୍ତ କରିଛନ୍ତି ଅନୁଭବ ।

ଏହା ମଧ୍ୟ ପଢନ୍ତୁ: ଅଲଗା ହେବେ ବର୍ଷା-ଅନୁଭବ: ବିବାହ ବିଚ୍ଛେଦ ଅନୁମତି ଦେଲେ ହାଇକୋର୍ଟ

ସୂଚନାଯୋଗ୍ୟ ଯେ, ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ କରିଥିଲେ । ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.