ETV Bharat / business

ସ୍ବାଧୀନ ଭାରତର ୩ ଅର୍ଥମନ୍ତ୍ରୀ, ଯିଏ ଉପସ୍ଥାପନ କରିନଥିଲେ ବଜେଟ୍; ଜାଣନ୍ତୁ କିଏ ସେମାନେ

author img

By ETV Bharat Odisha Team

Published : Jan 31, 2024, 3:01 PM IST

Updated : Jan 31, 2024, 3:44 PM IST

Union Budget 2024: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ କରିବେ । ତେବେ ଜାଣନ୍ତି କି, ଦେଶରେ ଏମିତି ୩ ଜଣ ଅର୍ଥମନ୍ତ୍ରୀ ଥିଲେ, ଯାହାଙ୍କୁ ବଜେଟ୍ ଭାଷଣ ପଢିବାର ସୁଯୋଗ ମିଳିନଥିଲା । ପଢନ୍ତୁ ସେମାନଙ୍କ ବିଷୟରେ

ବଜେଟ ୨୦୨୪
Budget 2024

ହାଇଦ୍ରାବାଦ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୪ରେ ବଜେଟ୍ ଆଣିବେ । ଏହାକୁ ମିଶାଇ ଷଷ୍ଠ ଥର ପାଇଁ ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ତେବେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନର ରେକର୍ଡ ମୋରାରଜୀ ଦେଶାଇଙ୍କ ନାମରେ ରହିଛି । କହିରଖୁଛି କି, ମୋରାରଜୀ ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଅର୍ଥମନ୍ତ୍ରୀ ଭାବରେ ସେ ୧୦ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ତାଙ୍କ ବାଦ୍ ପି. ଚିଦାମ୍ବରମଙ୍କ ନାଁ ପଡେ, ଯିଏକି ୯ ଥର ଦେଶର ବଜେଟ୍ ଉପସ୍ଥାପନ କରିଥିଲେ । କିନ୍ତୁ ଏମିତି ଦେଶର ୩ ଜଣ ଅର୍ଥମନ୍ତ୍ରୀ ରହିଛନ୍ତି, ଯାହାଙ୍କୁ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ମିଳିନଥିଲା । ସେହି ୩ ଜଣଙ୍କୁ ଏହି ସୁଯୋଗ ନମିଳିବା ପଛରେ ଭିନ୍ନ ଭିନ୍ନ କୌତୁଳହପୂର୍ଣ୍ଣ କାରଣ ରହିଛି । ଜାଣନ୍ତୁ କିଏ ଥିଲେ ସେହି ଅର୍ଥମନ୍ତ୍ରୀ..

କ୍ଷିତିଜ ଚନ୍ଦ୍ର ନିୟୋଗୀ: କେସି ନିୟୋଗୀ ସ୍ବାଧୀନ ଭାରତର ଦ୍ବିତୀୟ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ଘର ପଶ୍ଚିମବଙ୍ଗରେ । ସେ ଦେଶର ପ୍ରଥମ ଅର୍ଥ ଆୟୋଗର ଅଧ୍ୟକ୍ଷ ଥିଲେ ମଧ୍ୟ । ୧୯୫୧ମସିହାରେ ଅର୍ଥ ଆୟୋଗ ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ୧୯୪୮ ଅଗଷ୍ଟରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ.ଶନମୁଖମଙ୍କ ସ୍ଥାନ ଗ୍ରହଣ କରିଥିଲେ । କିନ୍ତୁ ସେତେବଳେ ସେ ମାତ୍ର ୩୫ ଦିନ ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ । ତେଣୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାର ଅବସର ମିଳିନଥିଲା । ଏହାପରେ ୧୯୪୮ ମସିସାରେ ନିୟୋଗୀଙ୍କ ସ୍ଥାନରେ ଜନ ମଥାଇ ଅର୍ଥମନ୍ତ୍ରୀ ହୋଇଥିଲେ । ଏହିପରି କେସି ନିୟୋଗୀ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଥିଲେ, ଯିଏକି ବଜେଟ୍ ଉପସ୍ଥାପନ କରିନଥିଲେ । ସେ ସମ୍ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ଏବଂ ଯେତେବେଳେ ଦେଶରେ ପ୍ରଥମ ସରକାର ଗଠନ ହେଲା, ଏଥିରେ ତାଙ୍କୁ ସ୍ଥାନ ମିଳିଥିଲା । ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତରୀଣ ବଜେଟ କ'ଣ, କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ବୁଝନ୍ତୁ ସରଳ ଭାଷାରେ

ହେମବତୀ ନନ୍ଦନ ବହୁଗୁଣା: ଦେଶର ରାଜନୀତିରେ ବଡ଼ ନାମ ଥିବା ହେମବତୀ ନନ୍ଦନ ବହୁଗୁଣା ଦୁଇ ଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ୪ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ । ୧୯୭୯ ମସିହାରେ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ତାଙ୍କୁ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଥିଲା । ୧୩ତମ ଅର୍ଥମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ୨୮ ଜୁଲାଇ ୧୮୭୯ରୁ ୨୫ ଅକ୍ଟୋବର ୧୯୭୯ ପର୍ଯ୍ୟନ୍ତ ରହିଥିଲା । ଏତେ ଛୋଟ କାର୍ଯ୍ୟକାଳ ହେବା କାରଣରୁ ତାଙ୍କୁ ବଜେଟ୍ ଭାଷଣ ପଢିବାର ସୁଯୋଗ ମିଳିନଥିଲା । ୧୯୮୪ ଲୋକସଭା ନିର୍ବାଚନରେ ହେମବତୀ ବହୁଗୁଣାଙ୍କ ପରାଜୟ ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା, କାରଣ ଆହ୍ଲାବାଦ ଲୋକସଭା ଆସନରେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ତଥା ବଲିଉଡ ଅଭିନେତା ଅମିତାଭ ବଚ୍ଚନ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫଟୋରେ ଖବର: ଅନେକ ଥର ବଜେଟ ଉପସ୍ଥାପନ କରିଛନ୍ତି ଏହି ଅର୍ଥମନ୍ତ୍ରୀ, ସମ୍ଭାଳିଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଭାର

ଏନଡି ତିୱାରୀ: କେସି ନିଯୋଗୀ ଏବଂ ହେମବତୀ ନନ୍ଦନ ବହୁଗୁଣାଙ୍କ କାର୍ଯ୍ୟକାଳ ଛୋଟ ଥିବା କାରଣରୁ ଉଭୟ ବଜେଟ୍ ଉପସ୍ଥାପନର ସୁଯୋଗ ପାଇନଥିଲେ । କିନ୍ତୁ ଏନଡି ତିୱାରୀଙ୍କ କାର୍ଯ୍ୟକାଳ ଲମ୍ବା ଥିବା ସତ୍ତ୍ବେ ତାଙ୍କୁ ଏହି ସୁଯୋଗରୁ ବଞ୍ଚିତ ହେବାକୁ ପଡିଥିଲା । ନାରାୟଣ ଦତ୍ତ ତିୱାରୀ ଭାରତୀୟ ରାଜନୀତିରେ ଜଣେ ବଡ଼ ନାମ । ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ସେ ୩ ଥର ଉତ୍ତରପ୍ରଦେଶ ଏବଂ ଥରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୫୨ ମସିହାରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ଏନଡି ତିୱାରୀଙ୍କ ରାଜନୈତିକ କ୍ୟାରିୟର ଖୁବ୍ ଲମ୍ବା ଥିଲା । ପ୍ରଧାନମନ୍ତ୍ରୀ ବ୍ୟତୀତ ତିୱାରୀ ଅନ୍ୟ ସବୁ ବଡ଼ ବଡ ପଦପଦବୀରେ ରହିଥିଲେ । ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ସେ କଂଗ୍ରେସ ଠାରୁ ଅଲଗା ହୋଇ କଂଗ୍ରେସ (ତିୱାରୀ) ନାମରେ ନିଜର ଅଲଗା ପାର୍ଟି ଗଠନ କରିଥିଲେ ।

ନାରାୟଣ ଦତ୍ତ ତିୱାରୀ ରାଜୀବ ଗାନ୍ଧୀ ସରକାରରେ ବୈଦେଶିକ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ଅର୍ଥମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ନିଯୋଗୀ ଏବଂ ହେମବତୀ ନନ୍ଦିନ ବହୁଗୁଣାଙ୍କ ଠାରୁ ଅଧିକ ଥିଲା, କିନ୍ତୁ ସ୍ବାଧୀନ ଭାରତରେ ସେ ତୃତୀୟ ଅର୍ଥମନ୍ତ୍ରୀ ହୋଇଥିଲେ ଯିଏକି ବଜେଟ୍ ଉପସ୍ଥାପନ କରିପାରିନଥିଲେ । ୧୯୮୭ ବର୍ଷ ଏନଡି ତିୱାରୀ ରାଜୀବ ଗାନ୍ଧୀ ସରକାରରେ ମନ୍ତ୍ରୀ ହୋଇଥିଲେ । ଅର୍ଥମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୭ଠାରୁ ୨୫ ଜୁନ ୧୯୮୮ ପର୍ଯ୍ୟନ୍ତ ରହିଥିଲା । ହେଲେ ସେ ଅର୍ଥମନ୍ତ୍ରୀ ଥିବା ଅବସ୍ଥାରେ ବଜେଟ ଉପସ୍ଥାପନର ସୁଯୋଗ ପାଇନଥିଲେ । କାରଣ ସେହି ବର୍ଷ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ । ଏହିପରି ଭାବେ ଦେଶର ଏହି ୩ ଅର୍ଥମନ୍ତ୍ରୀଙ୍କୁ ସଂସଦରେ ବଜେଟ୍ ଭାଷଣ ପଢିବାର ଅବସର ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 31, 2024, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.