ETV Bharat / business

ଅନ୍ତରୀଣ ବଜେଟ କ'ଣ, କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ବୁଝନ୍ତୁ ସରଳ ଭାଷାରେ

author img

By ETV Bharat Odisha Team

Published : Jan 31, 2024, 2:10 PM IST

Updated : Jan 31, 2024, 2:19 PM IST

Etv Bharat
Etv Bharat

Interim Budget 2024: ଆସନ୍ତାକାଲି ସଂସଦରେ ଅନ୍ତରୀଣ ବଜେଟ ବା କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଜାଣନ୍ତୁ କ'ଣ ଏହି ଅନ୍ତରୀଣ ବଜେଟ ? କାହିଁକି ଆସେ ଏହି ବଜେଟ ? ଏହା ସାଧାରଣ ବଜେଟ୍ ଠାରୁ କେମିତି ଅଲଗା ?

ହାଇଦ୍ରାବାଦ: ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃଆରୀ ୧ ତାରିଖ ସକାଳ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । କିନ୍ତୁ ଏଥର ବଜେଟ୍ ବିଗତ ୫ ବର୍ଷ ଭିତରେ ଆସିଥିବା ବଜେଟ୍‌ଠାରୁ ଭିନ୍ନ ହେବ । କାରଣ ଏହା ଅନ୍ତରୀଣ ବା କାମଚଳା ବଜେଟ ଅଟେ । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ କି, ବାସ୍ତବରେ କ'ଣ ଏହି ଅନ୍ତରୀଣ ବଜେଟ୍ ? ଏ ବର୍ଷ କାହିଁକି ଏହି ବଜେଟ୍ ଉପସ୍ଥାପନ ହେଉଛି ? କେମିତି ଏହା ସାଧାରଣ ବଜେଟଠୁ ଅଲଗା ? ଏସବୁ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ସରଳ ଭାଷାରେ ବୁଝାଇବୁ । ହେଲେ ତା' ପୂର୍ବରୁ ପଢନ୍ତୁ

ବଜେଟ କ'ଣ: ବଜେଟ୍ ହେଉଛି ସରକାରଙ୍କ ବାର୍ଷିକ ଆୟବ୍ୟୟର ଅଟକଳ । ଏହା ସରକାରଙ୍କ ବିଭିନ୍ନ ନୀତିକୁ ମଧ୍ୟ ପ୍ରତିଫଳିତ କରିଥାଏ । ବଜେଟ୍‌ରେ ପ୍ରତ୍ୟେକ ବର୍ଷ ଅର୍ଥମନ୍ତ୍ରୀ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟ ଏବଂ ବ୍ୟୟର ହିସାବ ଉପସ୍ଥାପନ କରନ୍ତି । ଆମ ଦେଶରେ ଆର୍ଥିକ ବର୍ଷର ଅବଧି ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥାଏ । ଭିନ୍ନ ଭିନ୍ନ ଦେଶରେ ଏହି ସମୟ ମଧ୍ୟ ଭିନ୍ନ ହୋଇଥାଏ । ଯେମିତିକି, ଅଷ୍ଟ୍ରେଲିଆରେ ଆର୍ଥିକ ବର୍ଷ ଜୁଲାଇ ୧ରୁ ଆରମ୍ଭ ହୋଇ ଜୁନ ୩୦, ଆମେରିକାରେ ଅକ୍ଟୋବରରୁ ସେପ୍ଟେମ୍ବର ୩୦ ଅଟେ । ଆଉ କିଛି ଦେଶରେ ଏହି ଅବଧି ଜାନୁଆରୀ ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହା ସେହି ଦେଶର ସରକାରଙ୍କ ଉପରେ ନିର୍ଭର କରେ ।

ଗୋଟିଏ ଆର୍ଥିକ ବର୍ଷରେ ସରକାରଙ୍କ ଆୟ କେତେ, କେଉଁ କେଉଁ ଉତ୍ସରୁ ଆୟ ଆସିବ, ସରକାର କେଉଁଠି କେଉଁଠି ଟଙ୍କା ଖର୍ଚ୍ଚ କରିବେ, ଏହାର ପୂରା ହିସାବନିକାସକୁ ବଜେଟ୍ କହନ୍ତି । ଏହାରି ଆଧାରରେ ସରକାର ନୂଆ ନୂଆ ଯୋଜନା, ଟ୍ୟାକ୍ସ ସ୍ଲାବ ଇତ୍ୟାଦି ନିର୍ଦ୍ଧାରଣ କରିଥାନ୍ତି । ଆର୍ଥିକ ମନ୍ତ୍ରଣାଳୟ ସହ ଜଡିତ ଅଧିକାରୀ ଦେଶର ସବୁ ମନ୍ତ୍ରଣାଳୟ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ବିଭାଗଗୁଡିକରୁ ତଥ୍ୟ ଓ ସୂଚନା ଏକଜୁଟ କରିଥାନ୍ତି । ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ତାଳମେଳ, ଏକାଧିକ ବୈଠକ ଏବଂ ଏକ ଲମ୍ବା ପ୍ରକ୍ରିୟା ପରେ ବଜେଟ୍ ପ୍ରସ୍ତୁତ ହୋଇଥାଏ, ଯାହାକୁ ପରବର୍ତ୍ତୀ ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରିଥାନ୍ତି ।

ଅନ୍ତରୀଣ ବଜେଟ୍ କ'ଣ: କେନ୍ଦ୍ରରେ ଥିବା ବର୍ତ୍ତମାନର ବିଜେପି ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ କିମ୍ବା ମେ'ରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପରେ କେନ୍ଦ୍ରର ନୂଆ ସରକାର ଗଠନ ହେବ । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ବଦଳରେ ମାତ୍ର କିଛି ମାସ ପାଇଁ ବଜେଟ୍ ଉପସ୍ଥାପନ କରିବେ, ଯାହାକୁ ଅନ୍ତରୀଣ ବଜେଟ ବା କାମଚଳା ବଜେଟ ଅବା 'ଭୋଟ ଅନ ଆକାଉଣ୍ଟ' ବୋଲି ମଧ୍ୟ କୁହନ୍ତି । ନିର୍ବାଚନ ପରେ ଦେଶରେ ନୂତନ ସରକାର ଗଠନ ହେବ । ସେତେବେଳେ କେନ୍ଦ୍ରର ସେହି ନବନିର୍ବାଚିତ ସରକାର ସଂସଦ ଅଧିବେଶନ ଡକାଇ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ । ଏହି ଦୃଷ୍ଟିରୁ ଯଦି ଏପ୍ରିଲ-ମେ'ରେ ନିର୍ବାଚନ ହେଉଛି ତାହେଲେ ଜୁନ କିମ୍ବା ଜୁଲାଇରେ ସଂସଦ ଅଧିବେଶନ ଡକାଯାଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ ।

ଯଦି ବୁଝି ପାରିଲେନି, ଏମିତି ବୁଝନ୍ତୁ: ଗତବର୍ଷ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ସେଥିରେ ୧ ଏପ୍ରିଲ ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ ଯାଏଁ ସରକାରଙ୍କ ଖର୍ଚ୍ଚ, ଆମଦାନୀର ହିସାବ ରହିଥିଲା । ଅର୍ଥାତ୍ ସେଥର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷକୁ ଦୃଷ୍ଟିରେ ରଖି ତଦାନୁସାରେ ବଜେଟ୍ ପ୍ରସ୍ତୁତ କରାଯାଇଥିଲା । ହେଲେ ଚଳିତ ବର୍ଷ ମାର୍ଚ୍ଚ ପରେ ଆମ ଦେଶରେ ଲୋକସଭା ନିର୍ବାଚନ ହେବ ଏବଂ କେନ୍ଦ୍ରରେ ନୂଆ ସରକାର ଗଠନ ହେବ । ତେବେ ନିର୍ବାଚନ ଫଳାଫଳ ଆସୁ ଆସୁ ଏବଂ ନୂଆ ସରକାର ଗଠନ ହେଉ ହେଉ ମେ' ମାସ ବିତିଯିବ । ଏହାପରେ ଜୁନ କିମ୍ବା ଜୁଲାଇରେ ସରକାର ସଂସଦ ଅଧିବେଶନ ଡକାଇବେ । ଏମିତିରେ ଭାବନ୍ତୁ, ସେତେ ପର୍ଯ୍ୟନ୍ତ ଦେଶର ଖର୍ଚ୍ଚ କେମିତି ଚାଲିବ ? ଏହାକୁ ଦୃଷ୍ଟିରେ ରଖି ସରକାର କିଛି ମାସର ଆମଦାନୀ ଓ ଖର୍ଚ୍ଚ ପାଇଁ ଅନ୍ତରୀଣ ବଜେଟ୍ ଆଣିଥାନ୍ତି । ସେହି ବଜେଟ୍ ଦ୍ବାରା ନୂଆ ସରକାର ଗଠନ ପର୍ଯ୍ୟନ୍ତ ହେଉଥିବା ତମାମ୍ ଖର୍ଚ୍ଚ ମ୍ୟାନେଜ୍ ହୋଇପାରିବ ।

ସାଧାରଣ ବଜେଟ ଓ ଅନ୍ତରୀଣ ବଜେଟ୍ ଭିତରେ ପାର୍ଥକ୍ୟ: ଏବେ ଯାଏଁ ବି ଯଦି ବଜେଟକୁ ନେଇ ଆପଣଙ୍କ ଦ୍ବନ୍ଦ୍ବ ଦୂର ହୋଇପାରିନି ତାହେଲେ ଅନ୍ତରୀଣ ବଜେଟ ଓ ସାଧାରଣ ବଜେଟ୍ ମଧ୍ୟରେ ପାର୍ଥକ୍ୟ ଜାଣି ଆପଣ ବୁଝିପାରିବେ । ପ୍ରତିବର୍ଷ ଉପସ୍ଥାପିତ ହେଉଥିବା ସାଧାରଣ ବଜେଟ ଏବଂ ଚଳିତ ବର୍ଷ ଉପସ୍ଥାପନ ହେବାକୁ ଥିବା ଅନ୍ତରୀଣ ବଜେଟ ମଧ୍ୟରେ ସବୁଠୁ ବଡ ପାର୍ଥକ୍ୟ ହେଉଛି, ସମୟ ଅବଧି, ଯେଉଁଥିପାଇଁ ଏହାକୁ ଉପସ୍ଥାପନ କରାଯାଏ ।

  • ପୂର୍ଣ୍ଣାଙ୍ଗ ବଜେଟ ବା ସାଧାରଣ ବଜେଟ୍ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ (ଏପ୍ରିଲ ୧ରୁ ମାର୍ଚ୍ଚ ୩୧) ପାଇଁ ଉପସ୍ଥାପନ ହୋଇଥାଏ । ମାତ୍ର ଅନ୍ତରୀଣ ବଜେଟ୍ କିଛି ମାସ ପାଇଁ ଅଣାଯାଇଥାଏ । ନୂଆ ସରକାର ଗଠନ ପର୍ଯ୍ୟନ୍ତ ହେଉଥିବା ଖର୍ଚ୍ଚ ସମ୍ଭାଳିବାକୁ ଏହି ବଜେଟ୍ ଆସେ । ନୂଆ ସରକାର ଆସିବା ପରେ ସେ ପୂର୍ଣ୍ଣାଙ୍ଗ ବା ପୂର୍ଣ୍ଣକାଳୀନ ବଜେଟ ଆଣିଥାନ୍ତି ।
  • ଅନ୍ତରୀଣ ବଜେଟରେ ସରକାର କୌଣସି ନୀତି, ଟ୍ୟାକ୍ସରେ ବଡ଼ ପରିବର୍ତ୍ତନର ଘୋଷଣାରୁ ବିରତ ରୁହନ୍ତି । କାରଣ ତାହା ନିର୍ବାଚନ ପରବର୍ତ୍ତୀ ସରକାର ଉପରେ ବୋଝ ସାଜିପାରେ । ଏହି ଦୃଷ୍ଟିରେ ସାଧାରଣତଃ ସରକାର ଏ ସମ୍ପର୍କିତ କୌଣସି ବଡ଼ ପରିବର୍ତ୍ତନ କରିନଥାନ୍ତି । ଅପରପକ୍ଷେ, ସାଧାରଣ ବଜେଟରେ ନୂଆ ନୀତି ଠାରୁ ନେଇ ନୂଆ ଯୋଜନା, ଟ୍ୟାକ୍ସ ଆଦିରେ ପରିବର୍ତ୍ତନ ଭଳି ନିଷ୍ପତ୍ତି ନିଆଯାଇଥାଏ ।
  • ଅନ୍ତରୀଣ ବଜେଟରେ ନୂଆ ଯୋଜନା ବଦଳରେ ପ୍ରଚଳିତ ସରକାରଙ୍କ ଯୋଜନାଗୁଡିକୁ ପାଇଁ ପାଣ୍ଠି ଦିଆଯାଇଥାଏ ।
  • ଅନ୍ତରୀଣ ବଜେଟରେ ଆଗାମୀ କିଛି ମାସ ପାଇଁ ଖର୍ଚ୍ଚ ହୋଇଥାଏ, ଯାହାର ମଞ୍ଜୁରୀ ସଂସଦରୁ ନିଆଯାଏ । ଏହା ଉପରେ କୌଣସି ପ୍ରକାର ଚର୍ଚ୍ଚା ହୁଏ ନାହିଁ, ଏହାର ବିପରୀତ ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥାଏ ।

ଏହାପୂର୍ବରୁ କେବେ ଆସିଥିଲା ଅନ୍ତରୀଣ ବଜେଟ: ଯେଉଁ ବର୍ଷ ଦେଶରେ ଲୋକସଭା ନିର୍ବାଚନ ହୁଏ, ସେହି ବର୍ଷ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ ଆଣନ୍ତି । ଏହାପୂର୍ବରୁ ୨୦୧୯ରେ ଅନ୍ତରୀଣ ବଜେଟ୍ ଆସିଥିଲା । ୨୦୧୯ ଫେବୃଆରୀ ୧ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହି ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ଏପ୍ରିଲ-ମେ'ରେ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ପୁଣିଥରେ ବିଜେପି ସରକାର ଗଠନ ହୋଇଥିଲା ଏବଂ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିଥିଲା । ସେତେବେଳେ ସୀତାରମଣ ପ୍ରଥମ ଥର ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ ଏବଂ ୨୦୧୯ ଜୁଲାଇ ୫ରେ ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିଥିଲେ, ଯାହାକି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଥିଲା ।

ଏହା ମଧ୍ୟ ପଢନ୍ତୁ: ବିରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା; ଆତ୍ମସମୀକ୍ଷା କରନ୍ତୁ, ଏ ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 31, 2024, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.