ETV Bharat / business

ଆଜି କେନ୍ଦ୍ର ବଜେଟ; ମହିଳାଙ୍କ ବିକାଶ, ଭିତ୍ତିଭୂମିକୁ ଫୋକସ୍, କୃଷିକୁ ମିଳିପାରେ ପ୍ରାଧାନ୍ୟ

author img

By ETV Bharat Odisha Team

Published : Feb 1, 2024, 7:38 AM IST

Budget 2024
Budget 2024

Budget 2024: ପୂର୍ବାହ୍ନ ୧୧ଟାରେ ସଂସଦରେ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ ଓ ଆୟକର ସ୍ଲାବ ଉପରେ ସମସ୍ତଙ୍କ ନଜର ରହିବ । ମହିଳାଙ୍କ ବିକାଶ ପାଇଁ ହୋଇପାରେ ବଡ଼ ଘୋଷଣା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଆସିବ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ । ଆଗକୁ ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଆଗତ ହେବ । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍ । ସରକାର ଏଥିରେ କୌଣସି ନୂଆ ଯୋଜନା କିମ୍ବା ଲୋକଙ୍କୁ ଖୁସି କଲାଭଳି ବଡ଼ ଘୋଷଣା କରିନପାରନ୍ତି । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ । ତେବେ କାମଚଳା ବଜେଟ୍‌ରେ କୌଣସି ବଡ଼ ଘୋଷଣା ନହେବା ନେଇ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଥିଲେ । ତଥାପି ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀ, ଶ୍ରମିକ, ମହିଳା ଓ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ମିଳିବାର ସମ୍ଭାବନା ରହିଛି । ବଜେଟରେ କୃଷିକ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ମିଳିପାରେ ।

କାମଚଳା ବଜେଟ୍‌ରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦିଆଯିବ।ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । କାମଚଳା ବଜେଟକୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ ଓ ଆୟକର ସ୍ଲାବ ଉପରେ ସମସ୍ତଙ୍କ ନଜର ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଇତ୍ୟାଦି କ୍ଷେତ୍ରକୁ ବଜେଟ୍‌ରେ ପ୍ରାଥମିକତା ଦିଆଯାଇପାରେ । ରେଲୱେ ପାଇଁ ରେକର୍ଡ ବ୍ୟୟବରାଦ ନେଇ ମଧ୍ୟ ଆଶା ରହିଛି । ମହିଳାଙ୍କ ବିକାଶକୁ ଧ୍ୟାନ ଦେଇ କିଛି ଆଖିଦୃଶିଆ ଘୋଷଣା ହୋଇପାରେ । ଆୟକର ରିହାତି ବଢ଼ିବା ନେଇ ବି ସମସ୍ତେ ଆଶାବାଦୀ ରହିଛନ୍ତି । ସେହିପରି ଭାରତ ସରକାର ୨୦୪୭ ସୁଦ୍ଧା $୩୦ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦେଶରେ ଭିତ୍ତିଭୂମି ଓ ନିଯୁକ୍ତି ସୁଯୋଗକୁ ପ୍ରାଧାନ୍ୟ ଦେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: ସ୍ବାଧୀନ ଭାରତର ୩ ଅର୍ଥମନ୍ତ୍ରୀ, ଯିଏ ଉପସ୍ଥାପନ କରିନଥିଲେ ବଜେଟ୍; ଜାଣନ୍ତୁ କିଏ ସେମାନେ


ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ବଜେଟ୍‌କୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ଏହାପରେ ଅର୍ଥମନ୍ତ୍ରୀ ସଂସଦକୁ ଆସିବେ ଏବଂ ୧୦ଟାରେ କ୍ୟାବିନେଟ ବୈଠକ ପରେ ବଜେଟକୁ ଅନୁମୋଦନ ଦିଆଯିବ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଆଗତ କରିବେ ସୀତାରମଣ । ତେବେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ଆଜି ଲଗାତାର ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହାରି ସହିତ ତାଙ୍କ ନାଁରେ ନୂଆ ରେକର୍ଡ ଯୋଡି ହୋଇଯିବ । ସେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ । ମୋରାରଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବରେ ୧୦ ଥର ବଜେଟ୍ ଉପସ୍ଥାପନ କରିଛନ୍ତି ।

  • ସକାଳ ୮ଟା ୧୫ରେ ପ୍ରଥମେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ସେସନରେ ସାମିଲ ହେବେ ।
  • ସକାଳ ୮ଟା ୪୫ ମିନିଟରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍ ପାଇଁ ମଞ୍ଜୁରୀ ନେବେ ।
  • ସକାଳ ୯ଟା ୧୫ରେ ଅର୍ଥମନ୍ତ୍ରୀ ସଂସଦରେ ପହଞ୍ଚିବେ ।
  • ସକାଳ ୧୦ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ବଜେଟକୁ ମଞ୍ଜୁରୀ ଦିଆଯିବ ।
  • ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ୨୦୨୪ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ ।
  • ବଜେଟ୍ ଘୋଷଣା ପରେ ଏହା ସହିତ ଜଡିତ ସମସ୍ତ ଦସ୍ତାବିଜ ଲୋକଙ୍କୁ ଦେଖାଇବା ପାଇଁ https:/www.indiabudget.gov.in ୱେବସାଇଟରେ ଅପଲୋଡ କରାଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.