ETV Bharat / bharat

ହିମାଚଳ କସ୍‌ମେଟିକ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା 5କୁ ବୃଦ୍ଧି, 9 ଏବେବି ନିଖୋଜ

author img

By ETV Bharat Odisha Team

Published : Feb 3, 2024, 3:19 PM IST

Baddi Cosmetics Factory Fire
Baddi Cosmetics Factory Fire

Baddi Cosmetics Factory Fire Update: ହିମାଚଳ ପ୍ରଦେଶ କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ବେଳେ 9 ଜଣ ନିଖୋଜ ରହିଛନ୍ତି । ଅଧିକ ପଢନ୍ତୁ

ସିମଲା: କସ୍‌ମେଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା 5ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି(ଶୁକ୍ରବାର) ଡାକ୍ତରଖାନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଟିମ ଆଜି(ଶନିବାର) ଆଉ 4ଟି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ୟାକ୍ଟ୍ରି ମାଲିକଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଏସଆଇଟ ତଦନ୍ତ କରାଯିବା ନେଇ ସୂଚନା ରହିଛି ।

24 ଘଣ୍ଟା ପରେ ବି ଲିଭିନି ନିଆଁ: ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ 1.30 ସମୟରେ, ହିମାଚଳ ପ୍ରଦେଶ ସୋଲନର ଶିଳ୍ପାଞ୍ଚଳର ବଦ୍ଦି ଝାଡମାଜରୀ ସ୍ଥିତ ‌କସମେଟିକ ପ୍ରଡକ୍ଟ ଉତ୍ପାଦନ କରୁଥିବା ଏକ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । କାରଖାନାରେ ରାସାୟନିକ ପଦାର୍ଥ ରହିଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ଫଳରେ ହୁତୁହୁତୁ ହୋଇ ଜଳିଥିଲା କାରଖାନା । ତେବେ ନିଆଁ ଲାଗିବାକୁ 24 ଘଣ୍ଟା ବିତିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଆୟତ୍ତ କରିବାରେ ବିଫଳ ହୋଇଛନ୍ତି ଅଗ୍ନିଶମ ବାହିନୀ ।

ଏହା ମଧ୍ୟ ପଢନ୍ତୁ: କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ, 32 ଆହତ, 9 ନିଖୋଜ

ଆଜି(ଶନିବାର) ଡିଜିପି ସଞ୍ଜୟ କୁଣ୍ଡୁ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ପ୍ଲାଣ୍ଟ ମୁଖ୍ୟ ଚନ୍ଦ୍ର ଶେଖରକୁ ବାନ୍ଧିଛି ପୋଲିସ । ନିଆଁ ଲାଗିବା ପରେ ବୋରୋଟିଓ୍ବାଲା ଥାନାରେ ଧାରା 285, 336, 337, 304 ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ତେବେ ପ୍ଲାଣ୍ଟ ମୁଖ୍ୟଙ୍କୁ ଗିରଫ କରାଯାଇଥିବା ନେଇ ଏଏସପି ଅଶୋକ ବର୍ମା ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ(SIT) ତଦନ୍ତ ପାଇଁ ସୁପାରିସ କରିଛନ୍ତି ଡିଜିପି ସଞ୍ଜୟ କୁଣ୍ଡୁ । ସ୍ବତନ୍ତ୍ର ତଦନ୍ତକାରୀ ଟିମ ଫ୍ୟାକ୍ଟ୍ରିକୁ ଯାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ।

ନିଆଁ ଲାଗିବା ସମୟରେ ଫ୍ୟାକ୍ଟ୍ରିରେ 80ରୁ 85 ଜଣ ରହିଥିବା ବେଳେ ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ 30ଜଣ ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ 29ଜଣଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ 13 ଜଣ ନିଖୋଜ ହୋଇଥିବା ବେଳେ ଆଜି ଆଉ 4ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମୁଦାୟ 5ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି 9ଜଣ ନିଖୋଜ ରହିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.