ETV Bharat / bharat

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: 10 ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Feb 17, 2024, 3:50 PM IST

Updated : Feb 17, 2024, 4:34 PM IST

ତାମିଲନାଡୁରେ ବାଣ କାରଖାନାରେ ବିସ୍ଫୋରଣ: 9 ମୃତ, ଏକାଧିକ ଆହତ
ତାମିଲନାଡୁରେ ବାଣ କାରଖାନାରେ ବିସ୍ଫୋରଣ: 9 ମୃତ, ଏକାଧିକ ଆହତ

Firecracker factory explosion in TN: ତାମିଲନାଡୁରେ ବାଣ କାରଖାନାରେ ବିସ୍ଫୋରଣ ଘଟି 10 ମୃତ । ମୃତକଙ୍କ ମଧ୍ୟରେ 5 ମହିଳା । ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 10ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5 ଜଣ ମହିଳା ରହିଛନ୍ତି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ପୂର୍ବାହ୍ନରେ କୌଣସି କାରଣରୁୁ କାରଖାନାରେ ବିସ୍ଫୋରଣ ହୋଇଥିଲା । ମୃତାହତମାନେ ଉକ୍ତ କାରଖାନାରେ କାମ କରୁଥିବା ଶ୍ରମିକ ହୋଇଥିବା ନେଇ ଅନୁମାନ କରାଯାଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ବିରୁଧୁନଗର ଜିଲ୍ଲାର ଭେମ୍ବାକୋଟ୍ଟାଇ ଏରିଆରେ ଏହି ବାଣ କାରଖାନାଟି ଥିଲା । ଏହାର ମାଲିକାନା ବିଜୟ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନାମରେ ରହିଛି । ଆଜି ସକାଳେ କାରଖାନାରେ ବାଣ ପ୍ରସ୍ତୁତ ଜାରି ରହିଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା । ବହୁମାତ୍ରାରେ ବାଣ ପ୍ରସ୍ତୁତ ହୋଇ ମହଜୁଦ ରଖାଯାଇଥିବାରୁ ବିସ୍ଫୋରଣ ଭୟଙ୍କର ରୂପ ନେଇଥିଲା । କାରଖାନାଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କିଛି କିମି ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏଥିରେ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ କିଛି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଆଉ 5ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଏବେ 10ରେ ପହଞ୍ଚିଥିଲା ବେଳେ ଏକାଧିକ ଚିକିତ୍ସାଧୀନ ଗୁରୁତର ରହିଥିବାରୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- ଚାଞ୍ଚଲ୍ୟକର ଘଟଣା: ରେଳ ଲାଇନରୁ ମିଳିଲା 4 ମୃତଦେହ, ଆତ୍ମହତ୍ୟା ନା ହତ୍ୟା ଚାଲିଛି ତଦନ୍ତ

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନି । ହେଲେ ଅଗ୍ନିକାଣ୍ଡ ଘଟି ନିଆଁ ବ୍ୟାପିଯିବାରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ଯ ତେବେ ଉକ୍ତ ଅଞ୍ଚଳରେ ବାଣ କାରଖାନା ଚଳାଇବା ପାଇଁ ଅନୁମତି ଥିଲା, ନା ଏହା ଏକ ବେଆଇନ କାରଖାନା, ସେ ସମ୍ପର୍କରେ ତଦନ୍ତ ଜାରି ରହିଛି । ଅନ୍ୟପଟେ କାମ ଚାଲିଥିବା ବେଳେ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ପ୍ରତି ଧ୍ୟାନ ଦିଆଯାଇନଥିବା ଅଭିଯୋଗ ହୋଇଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 17, 2024, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.