ETV Bharat / bharat

ଖାଇକୁ ଖସିଲା କାର୍; ଚାଲିଗଲା ୬ ଜୀବନ, ୪ ଗୁରୁତର - Jammu Kashmir road accident

author img

By ETV Bharat Odisha Team

Published : Apr 14, 2024, 7:17 AM IST

ଖାଇକୁ ଖସିଲା କାର୍; ଅକାଳରେ ଚାଲିଗଲା ୬ ଜୀବନ, ୪ ଗୁରୁତର
ଖାଇକୁ ଖସିଲା କାର୍; ଅକାଳରେ ଚାଲିଗଲା ୬ ଜୀବନ, ୪ ଗୁରୁତର

Road accident in Doda: ଭାରସାମ୍ୟ ହରାଇ ଗଭୀର ଖାଇରେ ଖସିପଡିଲା କାର୍ । ଦୁର୍ଘଟଣାରେ ୪ ବର୍ଷର ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁୁ । ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଦୋଡା ଜିଲ୍ଲାରେ ଗତକାଲି (ଶନିବାର) ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡିବାରୁ ଏଥିରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁକନ୍ୟା ରହିଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍‌ରେ ପ୍ରାୟ ୧୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦୋଡାର ଫାଗସୋ ରୋଡରେ ଗାଡି ଭାରସାମ୍ୟ ହରାଇ ଖାଇରେ ଖସି ପଡିଥିଲା ।

ଦୋଡା ଡେପୁଟି କମିଶନର ହରିବିନ୍ଦର ସିଂହ ସୂଚନା ଦେଇଛନ୍ତି ଯେ, ଶନିବାର ରାତି ପ୍ରାୟ ୮ଟା ୩୦ ସମୟରେ ଦୁର୍ଘଟଣା ଘଟିଥିଲା । କାରରେ ୩ ଜଣ ନାବାଳିକା ସହିତ ମୋଟ ୧୦ ଜଣ ଥାଥ୍ରିରୁ କାଠୱା ଅଭିମୁଖେ ଯାତ୍ରା କରୁଥିଲେ । ଅନ୍ଧାର ରାତିରେ ଖାନପୁରାର ଫାଗସୋ ରୋଡରେ କାର୍ ଭାରସାମ୍ୟ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ଗାଡିଟି ପୁରା ଭାଙ୍ଗିରୁଜି ଯାଇଥିବା ବେଳେ ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪ ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ହଜାରେ ଫୁଟ ଗଭୀର ଖାଇକୁ ଖସିପଡିଲା ଟ୍ୟାକ୍ସି, ଚାଲିଗଲା 10 ଜୀବନ - Jammu Kashmir Road Accident

ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗାଡି ଭିତରୁ ମୃତାହତଙ୍କୁ ବାହାର କରି ହସ୍ପିଟାଲ ପଠାଇଥିଲା । ଆହତମାନଙ୍କୁ ଦୋଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହି ଘଟଣାରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଉପରାଜ୍ୟପାଳ ସୂଚନା ଦେଇଛନ୍ତି । ସେହିପରି ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ମଧ୍ୟ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ।

ତେବେ ଜମ୍ମୁ-କାଶ୍ମୀରର ବାରମ୍ବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଛି । ଘାଟି ରାସ୍ତାରେ ଯିବାବେଳେ ଗାଡିଗୁଡିକ ଖାଇକୁ ଖସି ପଡିବା କାରଣରୁ ଅନେକ ନିରୀହ ଜୀବନ ଚାଲିଯାଇଛି । କିଛି ଦିନ ତଳେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ଟ୍ୟାକ୍ସି ୧୦୦୦ ଫୁଟ ଗଭୀର ଖାଇକୁ ଖସି ପଡିବାରୁ ୧୦ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.