ETV Bharat / bharat

କୋଟାରେ ପୁଣି ଜୀବନ ହାରିଲେ ଛାତ୍ର, ନିଟ୍‌ ପାଇଁ ଚଳାଇଥିଲେ ପ୍ରସ୍ତୁତି - SUICIDE IN KOTA

author img

By ETV Bharat Odisha Team

Published : Mar 28, 2024, 10:03 AM IST

Etv Bharat
Etv Bharat

Suicide In Kota: କୋଟାରେ ଜୀବନ ହାରିଲେ ଆଉ ଜଣେ ନିଟ୍ ଛାତ୍ର । ଗତ ୩ ଦିନରେ ଏହା ତୃତୀୟ ଆତ୍ମହତ୍ୟା ଜନିତ ଘଟଣା । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥାନ): ଦେଶର କୋଚିଂ ହବ୍ ପରିଚୟ ପାଇଥିବା କୋଟା ଏବେ ସୁଇସାଇଡ୍ ହବ୍ ପାଲଟିଛି । ଏଠାରେ ଛାତ୍ର ଆତ୍ମହତ୍ୟାରେ ଲାଗୁନି ବ୍ରେକ । ଏବେ ପୁଣିଥରେ ଆଉ ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ମୃତ ଛାତ୍ରଙ୍କ ଘର ଉତ୍ତରପ୍ରଦେଶରେ । ସେ କୋଟାରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ମଙ୍ଗଳବାର ଦିନ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ଯାହାକି ଗତ ୩ ଦିନରେ ତୃତୀୟ ଘଟଣା ।

ଛାତ୍ର ଜଣକ ମହାବୀର ନଗର ପ୍ରଥମ ଅଞ୍ଚଳରେ ପିଜିରେ ରହୁଥିଲେ । ତାଙ୍କର ଆତ୍ମହତ୍ୟା ସୂଚନା ମିଳିବା ପରେ ଫରେନସିକ ଟିମ୍ ସହିତ ସ୍ଥାନୀୟ ଜବାହର ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଜବାହର ନଗର ଥାନା ଅଧିକାରୀ କମଲେଶ କୁମାର ଶର୍ମା କହିଛନ୍ତି, ''ମୃତ ଛାତ୍ରଙ୍କ ଘର ଲକ୍ଷ୍ନୌରେ । କୋଚିଂ ପାଇଁ ସେ ଗତବର୍ଷ କୋଟା ଆସିଥିଲେ ଏବଂ ନିଟ୍ ପ୍ରସ୍ତୁତି କରୁଥିଲେ । ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ । ସେତେ ପର୍ଯ୍ୟନ୍ତ ମୃତଦେହ ଶବାଗାରରେ ରଖାଯିବ ।''

ଏହା ମଧ୍ୟ ପଢନ୍ତୁ: କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, ଚଳିତ ବର୍ଷର ଷଷ୍ଠ ଘଟଣା - KOTA STUDENT SUICIDE

କହିରଖୁଛୁ କି, ଚଳିତ ବର୍ଷ କୋଟାରେ ଆତ୍ମହତ୍ୟାର ଏହା ସପ୍ତମ ମାମଲା । ବର୍ଷ ଆରମ୍ଭରୁ ୩ ମାସ ଭିତରେ ୭ ଜଣ ଛାତ୍ର ଏଠାରେ ନିଜ ଜୀବନ ହାରି ସାରିଲେଣି । ଗତ ୨୬ ତାରିଖରେ କୋଟାର ବିଜ୍ଞାନ ନଗର ଥାନା ଅଞ୍ଚଳରେ ଉତ୍ତରପ୍ରଦେଶ କନୌଜର ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ସେ ମଧ୍ୟ କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ତେବେ କୋଟାରେ ଛାତ୍ର ଆତ୍ମହତ୍ୟା ଏବେ ସବୁଠୁ ଉଦବେଗଜନକ ବିଷୟ ଭାବେ ଉଭା ହୋଇଛି । ଆତ୍ମହତ୍ୟା ରୋକିବା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସୁଫଳ ମିଳୁନି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଆସନ୍ତା ୫ ତାରିଖରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ କରିବ । ଚଳିତ ଥର ପ୍ରାୟ ୨୫.୬ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷାକୁ ମାତ୍ର ଆଉ ୧୦ ଦିନ ସମୟ ବାକିଥିବା ବେଳେ ଏଥିପାଇଁ ଛାତ୍ରଛାତ୍ରୀ ଖୁବ୍ ଚାପରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.