ETV Bharat / bharat

IPL ବେଟିଂରେ ସ୍ବାମୀ ହରାଇଲା 1 କୋଟି, ଜୀବନ ହାରିଲା ସ୍ତ୍ରୀ - Karnataka IPL Betting

author img

By ETV Bharat Odisha Team

Published : Mar 26, 2024, 7:34 PM IST

Updated : Mar 26, 2024, 8:02 PM IST

Karnataka IPL Betting
Karnataka IPL Betting

Karnataka IPL Betting: ଆଇପିଏଲ ବେଟିଂରେ 1 କୋଟି ହରାଇଲେ ସ୍ବାମୀ । ଖବର ପାଇଁ ପତ୍ନୀଙ୍କ ଉଡିଲା ହୋସ । ହାରିଲେ ଜୀବନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଭାରତର ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବା ମାତ୍ରେ ବେଟିଂ ମଧ୍ୟ ବୃଦ୍ଧି ପାଏ । ଏହି ଟୁର୍ଣ୍ଣାମେଣ୍ଟ ଦେଶରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବାରୁ ଲୋକେ ବାଜି ମାରି ଅନେକ ଅର୍ଥ ଉପାର୍ଜନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଏହା ବେଆଇନ ହୋଇଥିବାରୁ ପୋଲିସ ହାବୁଡ଼ରେ ପଡ଼ିଲେ ଗିରଫ ହୋଇଥାନ୍ତି । ତେବେ ଏହି ଆଇପିଏଲ ବେଟିଂକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟର ଆଇପିଏଲ ବେଟିଂରେ 1 କୋଟି ହରାଇବା ପରେ ପତ୍ନୀ ଜୀବନ ହାରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁର ଜଣେ ଯୁବ ଇଞ୍ଜିନିୟର ଦର୍ଶନ ବାବୁ କ୍ରିକେଟ ବେଟିଂ ପ୍ରତି ବେଶ ରୁଚି ରଖନ୍ତି । ଗତ 2021 ମସିହା ପରଠାରୁ ସେ କ୍ରମାଗତ ଭାବେ ଆଇପିଏଲ ମ୍ୟାଚରେ ବେଟିଂ ଲଗାଇ ଆସୁଛନ୍ତି । ଏପରିକି ବାଜି ମାରିବା ପାଇଁ ସେ ଅର୍ଥ ଧାର ଉଧାର ମଧ୍ୟ କରିଥାନ୍ତି । ନିକଟରେ ଦର୍ଶନ ବେଟିଂରେ 1 କୋଟି କ୍ଷତି ସହିବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ 23 ବର୍ଷର ପତ୍ନୀ ରଞ୍ଜିତା । ସେ କର୍ଣ୍ଣାଟକ ଚିତ୍ରଦୁର୍ଗା ସ୍ଥିତ ବାସଭବନରେ ଗତ ମାର୍ଚ୍ଚ 18 ତାରିଖରେ ଜୀବନ ହାରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସ୍ବାମୀ ଦର୍ଶନ ହୋସାଦୁର୍ଗା ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ପରିବାରର କହିବାନୁସାରେ ଦର୍ଶନ ମୋଟା ଅଙ୍କର ଟଙ୍କା ହରାଇବା ପରେ ଧାର ଦେଇଥିବା ଲୋକଙ୍କ ନିର୍ଯାତନାକୁ ସହ୍ୟ କରିନପାରି ରଞ୍ଜିତା ଜୀବନ ହାରିଛନ୍ତି ।

ଏହା ବି ପଢନ୍ତୁ- World Cup 2023: ଅନଲାଇନ ବେଟିଂ ବିଜ୍ଞାପନ ବ୍ୟାନ, କଡା ନଜର ରଖିଛି ପୋଲିସ

ଦର୍ଶନ 1 କୋଟି ଟଙ୍କା ବେଟିଂରେ ଲଗାଇବା ଲାଗି 1.5 କୋଟି ଟଙ୍କା ଉଧାର କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ 1 କୋଟି ଟଙ୍କା ବେଟିଂରେ ହାରିଛନ୍ତି । ପୋଲିସର କହିବାନୁସାରେ ଦର୍ଶନ 1 କୋଟି ଟଙ୍କା ଫେରାଇଥିବା ସତ୍ତ୍ବେ ତାଙ୍କ ଉପରେ ଆହୁରି 84 ଲକ୍ଷ ଟଙ୍କାର ଋଣ ଅଛି । ମୃତ ମହିଳା ରଞ୍ଜିତା ଗତ 2020 ମସିହାରେ ଦର୍ଶନଙ୍କୁ ବିବାହ କରିଥିଲେ । ଦର୍ଶନଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସେ 2021ରେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଅନେକ ସମୟରେ ଚିନ୍ତିତ ରହୁଥିଲେ । ରଞ୍ଜିତାଙ୍କ ପିତା ଭେଙ୍କଟେଶ ଏ ନେଇ କହିଛନ୍ତି, "ଋଣ ଦେଇଥିବା ବ୍ୟକ୍ତି ଜଣକ ଲଗାତାର ଭାବେ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏଥିଲାଗି ଝିଅ ଏଭଳି ଚରମ ନିଷ୍ପତ୍ତି ନେଇଛି ।"

ଭେଙ୍କଟେଶ ଆହୁରି କହିଛନ୍ତି ଯେ ତାଙ୍କ ଜ୍ବାଇଁ ବେଟିଂରେ ଅର୍ଥ ଲଗାଇବାକୁ ଆଦୌ ଚାହୁଁନଥିଲେ । ହେଲେ କିଛି ବ୍ୟକ୍ତି ତାଙ୍କୁ ଏଥିଲାଗି ବାଧ୍ୟ କରାଉଥିଲେ । ଏପରି ଟଙ୍କା ଲଗାଇଲେ ଜଣେ ବ୍ୟକ୍ତି ଖୁବଶୀଘ୍ର ଧନୀ ହୋଇଯିବ ବୋଲି ଲୋଭ ଦେଖାଉଥିଲେ । ଏହାସହିତ ମୋଟା ଅଙ୍କର ଅର୍ଥ ଧାରରେ ଦେବାକୁ କହୁଥିଲେ । ଏଥିଲାଗି ଭେଙ୍କଟେଶ 13 ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ସମୟରେ ଏକ ସୁଇସାଇଡ ନୋଟ ଠାବ କରିଛି । ଯେଉଁଥିରେ ରଞ୍ଜିତା ଋଣ ଦେଉଥିବା ବ୍ୟକ୍ତିଙ୍କ ଦ୍ବାରା ନିର୍ଯାତିତ ହେଉଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସୂଚନା ଥାଉ କି ରଞ୍ଜିତା ଓ ଦର୍ଶନଙ୍କ ଏକ 2 ବର୍ଷର ଶିଶୁପୁତ୍ର ରହିଛି ।

Last Updated :Mar 26, 2024, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.