ETV Bharat / bharat

ଆଜି ପିଏମ ସ୍ବନିଧି ହିତାଧିକାରୀଙ୍କୁ ଋଣ ଦେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 14, 2024, 7:43 AM IST

PM SVANidhi Scheme: ଆଜି ପିଏମ ସ୍ବନିଧି ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏକ ଲକ୍ଷ ଉଠାଦୋକାନୀଙ୍କୁ ଋଣ ପ୍ରଦାନ କରିବେ । ଅଧିକ ପଢନ୍ତୁ

PM SVANidhi  Scheme
PM SVANidhi Scheme

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଜେଏଲଏନ ଷ୍ଟାଡିୟମରେ ପିଏମ ସ୍ବନିଧି ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଏକ ଲକ୍ଷ ଉଠାଦୋକାନୀଙ୍କୁ ଋଣ ପ୍ରଦାନ କରିବେ ମୋଦି । ଏଥିରେ ଦିଲ୍ଲୀର 5 ହଜାର ହିତାଧିକାରୀ ସାମିଲ ରହିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଫେଜ 4ର ଦୁଇଟି ଅତିରିକ୍ତ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ମହାମାରୀ କୋରୋନା ସମୟରେ ଦେଶରେ ଲକଡାଉନ ଘୋଷଣା ହୋଇଥିଲା । ଏହି ସମୟରେ ଲକ୍ଷ ଲକ୍ଷ ଉଠାଦୋକାନୀ ରୋଜଗାର ହରାଇଥିଲେ । ଏହି ରାସ୍ତାକଡ଼ ବ୍ୟବସାୟୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପିଏମ ସ୍ବନିଧି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ମହାମାରୀ ସମୟରେ ବିଶ୍ବ ଅର୍ଥନୀତି ସଙ୍କଟ ମଧ୍ୟରେ ଥିବାବେଳେ 2020 ଜୁନ 1ରେ ସ୍ବନିଧି ଯୋଜନାର ଶୁଭାରମ୍ଭ ହୋଇଥିଲା । ଯାହା ଏବେ ରାସ୍ତାକଡର ଉଠା ଦୋକାନୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 62 ଲକ୍ଷରୁ ଅଧିକ ରାସ୍ତାକଡ଼ ଦୋକାନୀଙ୍କୁ 10 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଦିଲ୍ଲୀରେ 2 ଲକ୍ଷ ହିତାଧିକାରୀଙ୍କୁ 232 କୋଟି ଟଙ୍କା ଋଣ ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛୋଟ ଦୋକାନୀଙ୍କୁ ବ୍ୟବସାୟ ପାଇଁ ସ୍ବଳ୍ପ ଋଣ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

ଏହା ମଧ୍ୟ ପଢନ୍ତୁ-ସ୍ବାବଲମ୍ବୀ କଲା ପିଏମ୍‌ ସ୍ୱନିଧି ଯୋଜନା, ଆତ୍ମନିର୍ଭରଶୀଳ ହେଲେ ଦୁଇ କିନ୍ନର

ଦିଲ୍ଲୀ ମେଟ୍ରୋର ଦୁଇଟି କରିଡରର ଭିତ୍ତିପ୍ରସ୍ତର ସ୍ଥାପନ: ଲଜପତ ନଗର-ସାକେତ-ଜି ବ୍ଲକ ଏବଂ ଇନ୍ଦରଲୋକ-ଇନ୍ଦ୍ରପ୍ରସ୍ଥ କରିଡରର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ । ଏହି ଦୁଇ କରିଡରର ଲମ୍ବ 20 କିଲୋମିଟରରୁ ଅଧିକ ରହିଛି । ମେଟ୍ରୋ ଯୋଗାଯୋଗକୁ ଉନ୍ନତ କରିବା ଏବଂ ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବାରେ ଏହି କରିଡର ସହାୟକ ହେବ । ଲଜପତ ନଗରରୁ ସାକେତ-ଜି ବ୍ଲକ ଥିବା ଷ୍ଟେସନଗୁଡ଼ିକ ହେଉଛି, ଲଜପତ ନଗର, ଆଣ୍ଡ୍ରିୟୁ ଗଞ୍ଜ, ଗ୍ରେଟର କୈଲାଶ-୧, ଚିରାଗ ଦିଲ୍ଲୀ, ପୁଷ୍ପା ଭବନ, ସାକେତ ଜି ବ୍ଲକ । ଇନ୍ଦରଲୋକ - ଇନ୍ଦ୍ରପ୍ରସ୍ଥ କରିଡରରେ ଥିବା ଷ୍ଟେସନ ଗୁଡ଼ିକ ହେଉଛି ଇନ୍ଦ୍ରଲୋକ, ଦୟା ବସ୍ତି, ସରାଇ ରୋହିଲା, ଅଜମଲ ଖାନ ପାର୍କ, ନବୀ କରିମ, ନୂଆଦିଲ୍ଲୀ, ଏଲଏନଜେପି ହସ୍ପିଟାଲ, ଦିଲ୍ଲୀ ଗେଟ, ଦିଲ୍ଲୀ ସଚ୍ଚିବାଳୟ, ଇନ୍ଦ୍ରପ୍ରଷ୍ଠା ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.