ETV Bharat / bharat

ସ୍ବାବଲମ୍ବୀ କଲା ପିଏମ୍‌ ସ୍ୱନିଧି ଯୋଜନା, ଆତ୍ମନିର୍ଭରଶୀଳ ହେଲେ ଦୁଇ କିନ୍ନର

author img

By ETV Bharat Odisha Team

Published : Dec 22, 2023, 6:31 AM IST

Third Gender Empowerment: ପିଏମ୍ ସ୍ୱନିଧି ଯୋଜନା ଦେଶର ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ସହାୟକ ହୋଇଛି । ଅଧିକ ପଢ଼ନ୍ତୁ

ପିଏମ୍ ସ୍ୱନିଧି ଯୋଜନା
ପିଏମ୍ ସ୍ୱନିଧି ଯୋଜନା

ଦିଲ୍ଲୀ: ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଦେଶରେ ଆଶାର ଏକ ରଙ୍ଗୀନ ଚିତ୍ର ବୁଣିଛି । ଏଥିରେ କୋଟି କୋଟି ଲୋକ ଯୋଗ ଦେଇ ବିକାଶର ଚେତନାକୁ ଆଗକୁ ବଢ଼ାଉଛନ୍ତି । ଦେଶର ବିବିଧ କ୍ଷେତ୍ରରେ ଅଗଣିତ ଜନତା ଏକ ସମ୍ମିଳିତ ସ୍ୱପ୍ନ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛନ୍ତି । ପିଏମ୍ ସ୍ୱନିଧି ଯୋଜନା ଦେଶର ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ସହାୟକ ହୋଇଛି । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ଆର୍ଥିକ ଦୃଷ୍ଟିରୁ ଉପରକୁ ଉଠିବାକୁ ନୂଆ ବାଟ ପାଇଛନ୍ତି । ୨୦୨୩ ଡିସେମ୍ବର ୨୦ତାରିଖ ସୁଦ୍ଧା ଦେଶର ୫୭ ଲକ୍ଷ ଲୋକ ପିଏମ୍ ସ୍ୱନିଧି ଯୋଜନାରେ ଉପକୃତ ହୋଇଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଯେ ପ୍ରଗତି କେବଳ ସଂଖ୍ୟାଗତ ମାଇଲଖୁଣ୍ଟ ନୁହେଁ, ଏହା ମଧ୍ୟ ଦେଶର ବିକାଶରେ ସମଭାଗୀ ହୋଇ ନିଜର ଦକ୍ଷତା ପ୍ରତିପାଦନ ପୂର୍ବକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସମର୍ଥ ହେବାର ଏକ ମାଧ୍ୟମ । ତେବେ ସେହି ସଫଳ ଯାତ୍ରାରେ ତୃତୀୟ ଲିଙ୍ଗର ବ୍ୟକ୍ତି ବା ଟ୍ରାସ୍ନଜେଣ୍ଡର ଅବା କେମିତି ପଛରେ ରହିବେ ।

ନୀଳେଶଙ୍କ କାହାଣୀ

ନୀଳେଶ ଜଣେ କିନ୍ନର । ତେବେ କ୍ୟାଟରିଙ୍ଗ ଜଗତରେ ସେ ନିଜ ପାଇଁ ଏକ ସଫଳ ମାର୍ଗ ତିଆରି କରିପାରିଛନ୍ତି । ପିଏମ୍ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି(ପିଏମ୍ ସ୍ୱନିଧି) ଯୋଜନାରେ ମହାରାଷ୍ଟ୍ରର ୱାର୍ଦ୍ଧା ନିବାସୀ ନୀଳେଶ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ଏହି ଋଣ ଅର୍ଥ ତାଙ୍କ ସଫଳ ଉଦ୍ୟୋଗ ଜୀବନର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଶୀଳ ପୁଞ୍ଜି ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ଅବସ୍ଥାରେ ନୀଳେଶ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହେଲେ ତାଙ୍କର ଦୃଢ ସଂକଳ୍ପ, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନିକଟରେ ସବୁ ଅସୁବିଧା ତୁଚ୍ଛ ପ୍ରମାଣିତ ହୋଇଥିଲା । ସେ ସଫଳତାର ସହିତ ନିଜର ଏକ ଖାଦ୍ୟ ପରିବେଷଣ ସଂସ୍ଥା ବା କ୍ୟାଟରିଙ୍ଗ ୟୁନିଟ୍ ସ୍ଥାପନ କରିଥିଲେ । ଏହି ବ୍ୟବସାୟ କେବଳ ଭଲ ଚାଲି ନ ଥିଲା; ଏହା ନୀଲେଶଙ୍କୁ ଉତ୍ତମ ରୋଜଗାର ଓ ପ୍ରତିଷ୍ଠା ଦେଇଥିଲା । ତାଙ୍କୁ ଦେଖି ଅନେକ ଅନୁପ୍ରାଣିତ ହୋଇଥିଲେ । ଶେଷରେ ଅନେକ ମିଶି ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ ଯାହାର ନାମ ଥିଲା ‘ମୋହିନୀ ବଚତ୍ ଗୋଷ୍ଠୀ ।’ ଏହି ଗୋଷ୍ଠୀର ମହିଳା ଓ ତୃତୀୟ ଲିଙ୍ଗୀମାନେ ଏକତ୍ର ହୋଇ ନିଜକୁ ଆର୍ଥିକ ଦୃଷ୍ଟିରୁ ‘ସଶକ୍ତ’ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅଳ୍ପ ଦିନରେ ସେମାନଙ୍କ ଉଦ୍ୟମ ସଫଳ ମଧ୍ୟ ହୋଇଥିଲା । ଏହି ସଫଳତା ପାଇଁ ନୀଳେଶ ‘ପିଏମ୍ ସ୍ୱନିଧି’ ଯୋଜନାକୁ ଶ୍ରେୟ ଦିଅନ୍ତି ।

ମୋନାଙ୍କ କାହାଣୀ

ସେହିଭଳି ସୁଶ୍ରୀ ମୋନା ମଧ୍ୟ ଆଉ ଏକ ସଫଳ କାହାଣୀ କହନ୍ତି । ସେ ବି ଜଣେ ଉଦ୍ୟମୀ କିନ୍ନର । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ମୋନା ତାଙ୍କ ଅଭିଜ୍ଞତା ଓ କାହାଣୀ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ବର୍ଣ୍ଣନା କରିଛନ୍ତି । ସେ କହନ୍ତି ଯେ ତିନିବର୍ଷ ପୂର୍ବେ ସେ ସରକାରଙ୍କଠାରୁ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ସେହି ଟଙ୍କାରେ ସେ ନିଜର ଏକ ଚା ଦୋକାନ ଆରମ୍ଭ କରିଥିଲେ । ଏହା ପରେ ତାଙ୍କର ବେପାର ବଢିବାରୁ ସେ ଦ୍ୱିତୀୟ ଥର ୨୦ହଜାର ଓ ତୃତୀୟ ଥର ୫୦ ହଜାର ଟଙ୍କାର ଋଣ ପାଇଥିଲେ । ପିଏମ୍ ସ୍ୱନିଧି ଯୋଜନାରେ ମିଳିଥିବା ଏହି ଋଣ ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ମୋନାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଚଣ୍ଡିଗଡରୁ । ସେଠାରେ ସେ ପ୍ରଥମ ନିଜର ଏକ ଛୋଟ ଚା ଦୋକାନ ଖୋଲି ନିଜ ସଂକଳ୍ପ ଓ ଶ୍ରମର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏବେ ସେ ଏହି ପିଏମ୍ ସ୍ୱନିଧି ଯୋଜନାରେ ଏକାଧିକ ବାର ଋଣ ନେଇ ନିଜର ବ୍ୟବସାୟକୁ ବଢାଇଛନ୍ତି ଏବଂ ଠିକ୍ ସମୟରେ ଋଣ ମଧ୍ୟ ପରିଶୋଧ କରିଛନ୍ତି । ସବୁ ସାମାଜିକ ପ୍ରତିବନ୍ଧକକୁ ଦୂର କରି ସେ ଏବେ ଜଣେ ସଫଳ ଉଦ୍ୟୋଗୀ ହେବା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ... ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ, ଖର୍ଚ୍ଚ ହେବ ୩୧୬୦ କୋଟି

ନୀଳେଶ ଓ ମୋନାଙ୍କ ପରିବର୍ତ୍ତନ ଯାତ୍ରା କେବଳ ବ୍ୟକ୍ତିଗତ ସଫଳତା ବା ବିଜୟ ନଥିଲା । ଏଭଳି ବ୍ୟକ୍ତିତ୍ୱଙ୍କ ପ୍ରତି ସମାଜର ଯେଉଁ ବାଛବିଚାର ଅପୂର୍ଣ୍ଣ ଓ ନକାରାତ୍ମକ ଧାରଣା ରହିଛି ତାହାକୁ ଭାଙ୍ଗି ଉଭୟ ଏହି କିନ୍ନର ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହା ସଶକ୍ତିକରଣ ଓ ପ୍ରଗତିର ଏକ ନୂଆ ପ୍ରତିମାନ ସୃଷ୍ଟି କରିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇ ନିଜର ଅଭିଜ୍ଞତା ଓ ସଫଳତାର କାହାଣୀ ବର୍ଣ୍ଣନା କରିବା ବେଳେ ପିଏମ୍ ସ୍ୱନିଧି ଯୋଜନା ସେମାନଙ୍କ ଜୀବନରେ କିଭଳି ନିର୍ଣ୍ଣାୟାତ୍ମକ ପରିବର୍ତ୍ତନ ଆଣିଛି ତାହା ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.