ETV Bharat / bharat

କଂଗ୍ରେସଙ୍କୁ ମୋଦିଙ୍କ ନିଶାନା, 'ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କୁ କାଳ୍ପନିକ କହୁଥିଲେ, ଆଜି ରାମ ନାମ ଜପୁଛନ୍ତି'

author img

By ETV Bharat Odisha Team

Published : Feb 16, 2024, 5:02 PM IST

PM Modi slams Congress
PM Modi slams Congress

PM Modi slams Congress: ହରିୟାଣାରୁ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କୁ କାଳ୍ପନିକ କହୁଥିଲେ, ଆଜି ରାମ ନାମ ଜପୁଛନ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ଲାଗି ସେ କଂଗ୍ରେସକୁ ଦାୟୀ କରିଛନ୍ତି । କଂଗ୍ରେସର ନେତା, ଯେଉଁମାନେ ଦିନେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ କାଳ୍ପନିକ ବୋଲି କହୁଥିଲେ, ଆଜି ସେ ମଧ୍ୟ 'ଜୟ ଶ୍ରୀରାମ' ନାରା ଦେଉଥିବା ବେଳେ ରାମନାମ ଜପୁଛନ୍ତି ବୋଲି କହିଛନ୍ତି ମୋଦି । ଆଜି (ଶୁକ୍ରବାର) ହରିୟାଣା ରେୱାରି ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଆହୁରି କହିଛନ୍ତି, "ଦେଶ ଚାହୁଁଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ନିର୍ମାଣ କରାଯାଉ । ଆଜି ସାରା ଦେଶ ଦେଖୁଛି ରାମଲାଲା ନିଜ ଭବ୍ୟ ମନ୍ଦିରରେ ବିରାଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କଂଗ୍ରେସ ନେତାମାନେ ଦିନେ ପ୍ରଭୁ ରାମଚନ୍ଦ୍ରଙ୍କୁ କାଳ୍ପନିକ ବୋଲି କହିବା ସହ ରାମ ମନ୍ଦିର ନିର୍ମାଣ ଲାଗି କେବେ ବି ଚାହୁଁନଥିଲେ । ହେଲେ ଆଜି ସେମାନେ 'ଜୟ ଶ୍ରୀରାମ' ନାମ ଜପୁଛନ୍ତି । ଭାରତର ବିଶ୍ବସନୀୟତା ସାରା ବିଶ୍ବସ୍ତରରେ ପହଞ୍ଚୁ ବୋଲି ଦେଶ ଚାହୁଁଥିଲା । ଯାହାକୁ ଆମ ସରକାର ଆଜି ପୂରଣ କରିଛନ୍ତି ।" ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଗତ ଜାନୁଆରୀ ୨୨ ତାରିଖରେ ମହା ଆଡମ୍ବରରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତା ଭାବେ ଏହି ମହୋତ୍ସବରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- କଂଗ୍ରେସ ପାଖରେ ନାହିଁ ଭବିଷ୍ୟତ ରୋଡ୍ ମ୍ୟାପ୍: ପ୍ରଧାନମନ୍ତ୍ରୀ

ଅନ୍ୟପଟେ ମୋଦି ହରିୟାଣାର ବିକାଶଧାରାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, " ୨୦୧୪ ମସିହା ପୂର୍ବରୁ ହରିୟାଣାରେ ରେଳର ଭିତ୍ତିଭୂମି ଲାଗି ମାତ୍ର ୩୦୦ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା । ହେଲେ ଚଳିତ ବର୍ଷ ରେଳ ବିଭାଗ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ଏହା କେବଳ ୧୦ ବର୍ଷ ମଧ୍ୟରେ ସମ୍ଭବ ହୋଇପାରିଛି ।" ଏମ୍ସ ରେୱାରି ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ମୋଦି କହିଛନ୍ତି, " ଆଜି ଏମ୍ସ ରେୱାରି ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ନୂଆ ଏମ୍ସ ନିର୍ମାଣ ପରେ ରାଜ୍ୟବାସୀ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ । ଏହାସହ ଯୁବପିଢି ମଧ୍ୟ ଡାକ୍ତର ଭାବେ ଏଠାରେ ନିଯୁକ୍ତି ପାଇପାରିବେ । ଏହି ହସ୍ପିଟାଲ ଦ୍ବାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"

ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ହରିୟାଣାରେ ପ୍ରାୟ ୯୭୫୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସଭାରେ ପୁଣି ଥରେ ପ୍ରଧାନମନ୍ତ୍ରୀ 'ଅବ୍‌ କି ବାର୍‌ ୪୦୦ ପାର୍‌'ର ନାରା ଦେଇଥିଲେ । ତେବେ ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ମୋଦିଙ୍କ ଏହି ଗସ୍ତ ସ୍ଥାନୀୟ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.