ETV Bharat / bharat

ଆମେରିକା-ଜର୍ମାନୀକୁ ଉପରାଷ୍ଟ୍ରପତିଙ୍କ କଡା ଜବାବ, ଆମକୁ କାହାର ପରାମର୍ଶ ଲୋଡା ନାହିଁ - Vice President on US Germany

author img

By ETV Bharat Odisha Team

Published : Mar 30, 2024, 2:15 PM IST

Etv Bharat
Etv Bharat

Vice President on US Germany remarks: କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ଆମେରିକା-ଜର୍ମାନୀର ବୟାନ ପରେ କଡା ଜବାବ ରଖିଲେ ଉପରାଷ୍ଟ୍ରପତି । କହିଲେ ଆଇନ ଶାସନ ନେଇ ଆମକୁ କାହାର ପରାମର୍ଶ ଲୋଡା ନାହିଁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀ ଓ ଆମେରିକା ଭାରତକୁ ପରୋକ୍ଷରେ ସମାଲୋଚନା କରିଥିଲେ । ଭାରତର ନ୍ୟାୟ ପ୍ରଣାଳୀ ଉପରେ ଦୁଇ ବିଦେଶୀ ରାଷ୍ଟ୍ର ଏଭଳି ଆଙ୍ଗୁଳି ଉଠାଇବା ପ୍ରସଙ୍ଗରେ କଡ଼ା ଜବାବ ଦେଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଭାରତୀୟ ନ୍ୟାୟପାଳିକା ନିରପେକ୍ଷ ଏବଂ ସ୍ବତନ୍ତ୍ର ଅଟେ । ନ୍ୟାୟିକ ପ୍ରକ୍ରିୟା ଉପରେ ଆମକୁ ଅନ୍ୟ କାହାର ପରାମର୍ଶ ଦରକାର ନାହିଁ ବୋଲି ଧନଖଡ କହିଛନ୍ତି ।

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଆମେରିକା ଓ ଜର୍ମାନୀ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଭାରତର ଏକ ସୁଦୃଢ ନ୍ୟାୟିକ ପ୍ରଣାଳୀ ସମ୍ପନ୍ନ ଗଣତନ୍ତ୍ର ଅଟେ । କୌଣସି ବ୍ୟକ୍ତି କିମ୍ବା ସମୁଦାୟ ସହ ସାଲିସ୍ କରେନି । ଆଇନ ଆଗରେ ସମାନତା ଆଜି ଭାରତରେ 'ନୂଆ ଆଦର୍ଶ' । ଯେଉଁମାନେ ନିଜକୁ ଆଇନଠୁ ଊର୍ଦ୍ଧ୍ବରେ ଭାବୁଛନ୍ତି, ସେମାନେ ଉତ୍ତରଦାୟୀ ରହିବେ । ଯେତେବେଳେ ଆଇନ ତା' ବାଟରେ ଯାଏ, ଲୋକମାନେ ରାଜରାସ୍ତା ଓହ୍ଲାଇ ପଡନ୍ତି । ନାରା ଲଗାନ୍ତି । ମାନବାଧିକାର ସବୁଠୁ ଖରାପ ପ୍ରକୃତି ହେଉଛି ଦୋଷୀକୁ ଲୁଚାଇବା । ଦିଲ୍ଲୀ ଆଇଆଇପିଏର ୭୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଧନଖଡ ଏପରି ପ୍ରତିକ୍ରିୟା ଦେଇଛନ୍ତି ।

ଏଥିସହ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ, ଜନସମର୍ଥକ ଏବଂ ସ୍ବତନ୍ତ୍ର ବୋଲି ବର୍ଣ୍ଣାନ କରି ଉପରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି, ଆଇନ ତା' କାମ କଲେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ରାସ୍ତାକୁ ଓହ୍ଲାଇ କ'ଣ ଉଚିତ୍ ? ଆଇନର ଉଲ୍ଲଘଂନ କରିଥିବା କୌଣସି ବ୍ୟକ୍ତି କ'ଣ ପୀଡିତ କାର୍ଡ ଖେଳିବା ଠିକ୍ ? ଦୁର୍ନୀତି ଆଉ ପୁରସ୍କାରଯୋଗ୍ୟ ହୋଇ ରହିନାହିଁ । ଦୁର୍ନୀତି ଏବେ ଅବସର, ରୋଜଗାରର ମାର୍ଗ ନୁହେଁ । ଏବେ ଏହା ଜେଲର ମାର୍ଗ । ଆଉ ସିଷ୍ଟମ ଏହି ମାର୍ଗକୁ ସୁରକ୍ଷିତ କରୁଛି ।

ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ରଖିଥିବା ଲୋକମାନଙ୍କ ପ୍ରଶଂସା କରି ସେ ଆହୁରି କହିଛନ୍ତି ଯେ, ନ୍ୟାୟପାଳିକା ଏପରି ଏକ ସଂସ୍ଥା, ଯାହା ରାତିଅଧରେ ଏବଂ ଛୁଟି ଦିନରେ ମଧ୍ୟ କାର୍ଯ୍ୟ କରିଛି । ସଂସ୍ଥା ଗୁଡିକୁ ଟାର୍ଗେଟ କରାଯାଉଥିବା ପ୍ରବୃତ୍ତି ଉପରେ ଉପରାଷ୍ଟ୍ରପତି କହିଛନ୍ତି, ଯଦି ବିନା ପଞ୍ଜିକୃୃତ ଅଥବା ମାନ୍ୟତା ପ୍ରାପ୍ତ ପାର୍ଟିର ଲୋକଙ୍କ ଏକ ସମୂହ ରାଜନୈତିକ ଦଳ ରୂପେ କାର୍ଯ୍ୟ କରେ, ତାହେଲେ ଆମକୁ ଏସବୁରୁ ଉର୍ଦ୍ଧ୍ବରେ ରହିବା ଦରକାର ।

ଏହା ମଧ୍ୟ ପଢନ୍ତୁ: ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ, କେଜ୍ରିୱାଲଙ୍କ ପରେ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଉପରେ ମନ୍ତବ୍ୟ - US On Congress Frozen Bank Accounts

ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥାରେ ହସ୍ତକ୍ଷେପ କରୁଥିବା ବିଦେଶୀ ରାଷ୍ଟ୍ରକୁ ପରୋକ୍ଷରେ ସମାଲୋଚନା କରି ଧନଖଡ କହିଛନ୍ତି ଯେ, ଭାରତର ଅଭିବୃଦ୍ଧି କେତେକ ମହଲରେ ହଜମ ହୋଇପାରୁନି । ନିଜର ସଭ୍ୟତା, ଅର୍ଥବ୍ୟବସ୍ଥା, ଜନସଂଖ୍ୟାର ଆକାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଭାରତକୁ ବୈଶ୍ବିକ ନିଷ୍ପତ୍ତି ନେବାର କ୍ଷମତା ମିଳିବା ଉଚିତ୍ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ଯୋଗ୍ୟ ଦାବିଦାର ଦର୍ଶାଇ ଧନଖଡ କହିଛନ୍ତି, ମିଳିତ ଜାତିସଂଘର ସଂସ୍ଥା ସେପର୍ଯ୍ୟନ୍ତ ସକରାତ୍ମକ ଓ ପ୍ରଭାବୀ ହୋଇପାରିବ ନାହିଁ, ଯେଉଁ ପର୍ଯ୍ୟନ୍ତ ସେଠି ଭାରତ ଭଳି ଦେଶର ପ୍ରତିନିଧିତ୍ବ ନଥିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.