ETV Bharat / bharat

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ନକ୍ସଲ, ୧୦ବର୍ଷ ତଳେ ପୁଅକୁ ମାରି ଦେଇଥିଲେ - Naxalites kills Congress leader

author img

By ETV Bharat Odisha Team

Published : Apr 27, 2024, 10:53 AM IST

Etv Bharat
Etv Bharat

Naxalites killed Congress leader: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ଛତିଶଗଡରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ନକ୍ସଲ । ୧୦ ବର୍ଷ ତଳେ ତାଙ୍କ ପୁଅକୁ ମାରି ଦେଇଥିଲେ । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡରେ ଲାଲବାହିନୀଙ୍କ ନାରକୀୟ କାଣ୍ଡ । ଘରୁ ଉଠାଇନେଇ କଂଗ୍ରେସ ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ନକ୍ସଲ । ମୃତକଙ୍କ ନାମ ଜୋଗା ପୋଡିୟାମ । ଗତକାଲି ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଏଥିରେ ମତଦାନ କରିବା ନେଇ ନକ୍ସଲମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଛତିଶଗଡ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ନକ୍ସଲମାନେ ସମ୍ପୃକ୍ତ କଂଗ୍ରେସ ନେତାଙ୍କୁ ଅନେକ ଧର ହତ୍ୟା ଧମକ ଦେଇଥିଲେ ।

ସୂଚନା ଅନୁଯାୟୀ, ଦନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ପୋଟାଲି ଗାଁରେ ଘଟିଛି ଏହି ଘଟଣା । ରାତି ପ୍ରାୟ ୧୧ଟା ବେଳେ ହତ୍ୟାକାଣ୍ଡ ହୋଇଥିଲା । ମୃତ କଂଗ୍ରେସ ନେତା ପୂର୍ବତନ ଜନପଦ ସଦସ୍ୟ ଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ଜନପଦ ସଦସ୍ୟ ରହିଛନ୍ତି । କାଲି ରାତିରେ କଂଗ୍ରେସ ନେତା ଖାଇ ପିଇ ସାରି ନିଜ ଘରେ ଶୋଇଥିଲେ । ଏହି ସମୟରେ ୨୦ରୁ ୩୦ ନକ୍ସଲ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ । ଗାଁ ଠାରୁ କିଛି ଦୂରକୁ ନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ଶହୀଦ - Manipur Violance


ତେବେ ୧୦ ବର୍ଷ ତଳେ ନକ୍ସଲମାନେ ଏହି କଂଗ୍ରେସ ନେତାଙ୍କ ପୁଅକୁ ମଧ୍ୟ ହତ୍ୟା କରିଥିଲେ । ୨୦୨୩ ବିଧାନସଭା ନିର୍ବାଚନ ସମୟରେ ସେମାନେ ତାଙ୍କୁ ଜୀବନରୁ ଧମକ ଦେଇଥିଲେ । କାରଣ ନକ୍ସଲମାନେ ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ପୋଟାଲି ଗ୍ରାମବାସୀଙ୍କୁ ଚେତାବନୀ ଦେଇଥିଲେ । ହେଲେ ଜୋଗା ଲୋକମାନଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିଥିଲେ । ତାଙ୍କର ପ୍ରୋତ୍ସାହନରେ ଗ୍ରାମବାସୀ ଭୋଟ ଦେଇଥିଲେ । ଏହାକୁ ନେଇ ଉତ୍ୟକ୍ତ ଥିଲେ ଲାଲବାହିନୀ ।

ଏପ୍ରିଲ ୧୯ରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଭୋଟର ନିଜ ମତଦାନ କରିଥିଲେ । ଏହାପରେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ତେଣୁ ଏଥିରେ ରାଗିଯାଇ ନକ୍ସଲମାନେ ଜୋଗା ପୋଡିୟାମଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.