ETV Bharat / bharat

ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ଶହୀଦ - Manipur violance

author img

By ETV Bharat Odisha Team

Published : Apr 27, 2024, 8:31 AM IST

ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ମୃତ
ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ମୃତ

Manipur Violance: ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ କୁକି ଉଗ୍ରବାଦୀଙ୍କ ଆକ୍ରମଣ । ଏଥିରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଇମ୍ଫାଲ: ପୁଣି ଅଶାନ୍ତ ହେଲା ମଣିପୁର । କିଛି ଦିନର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଉଗ୍ରବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଶୁକ୍ରବାର ଏଠାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିବା ସୂଚନା ମିଳଛି । ମୃତ ଯବାନ ବିଷ୍ଣୁପୁର ଜିଲ୍ଲାର ନାରନସେନାରେ ମୁତୟନ ହୋଇଥିଲେ ।

ପୋଲିସର ସୂଚନା ମୁତାବକ, ଶୁକ୍ରବାର ମଧ୍ୟରାତି ପ୍ରାୟ ୨ଟା ୧୫ ସମୟରେ ଏହି ଆକ୍ରମଣ ହୋଇଛି । ନାରନସେନା ଅଞ୍ଚଳରେ ସିଆରପିଏଫ ୧୨୮ ବାଟାଲିୟନର ଯବାନ ମୁତୟନ ହୋଇଥିଲେ । ଏହି ସମୟରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ରାତି ୨ଟା ୧୫ ପର୍ଯ୍ୟନ୍ତ ଏହି ଆକ୍ରମଣ ଚାଲିଥିଲା । ଏଥିରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅଧିକ ସୂଚନା ହସ୍ତଗତ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ: ମଣିପୁରରେ ପୁଣି ହିଂସା: ଏସପି ଅଫିସକୁ ପଥର ମାଡ଼, ଚୁରାଚାନ୍ଦପୁରରେ 144 ଧାରା ଜାରି

ଶୁକ୍ରବାର ଆଉଟର ମଣିପୁରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ଏନେଇ ମଣିପୁରର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା କହିଛନ୍ତି ଯେ, ନିର୍ବାଚନରେ ସର୍ବାଧିକ ମତଦାନ ହୋଇଥିବା ବେଳେ ହିଂସା ମାମଲା କମ୍ ରହିଥିଲା । ମଣିପୁରରେ ୭୬.୧ ପ୍ରତିଶତ ମତଦାନ ହୋଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ବହୁ ସଂଖ୍ୟାରେ ଭୋଟର ମତଦାନ କରିଛନ୍ତି । ଆଉଟର ମଣିପୁର ଆସନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଛି । କେବେ ଗୋଟିଏ-ଦୁଇଟି ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । କୌଣସି ବଡ ହିଂସାକାଣ୍ଡ ଘଟିବାର ସୂଚନା ନାହିଁ ।ହେଲେ ଏପ୍ରିଲ ୧୯ରେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଏକାଧିକ ହିଂସାକାଣ୍ଡ ଘଟିଥିଲା । ତେଣୁ ଗତ ୨୨ ତାରିଖରେ ୧୧ଟି ବୁଥରେ ସାନି ମତଦାନ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ମେ' ୩ରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିଲା । ଚୁରଚାନ୍ଦପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚୀତ ଜନଜାତି ମାନ୍ୟତା ଦେବା ବିରୋଧରେ କୁକି ସମ୍ପ୍ରଦାୟ ଶୋଭାଯାତ୍ରା କରିଥିଲେ । ସେଇଠୁ ହିଁ ହିଂସା ସୃଷ୍ଟି ହୋଇଥିଲା । ସାରା ରାଜ୍ୟରେ ନିଆଁ ଭଳି ହିଂସା ବ୍ୟାପୀ ଯାଇଥିଲା । ଏଥିରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.