ETV Bharat / bharat

ମଣିପୁରରେ ପୁଣି ହିଂସା: ଏସପି ଅଫିସକୁ ପଥର ମାଡ଼, ଚୁରାଚାନ୍ଦପୁରରେ 144 ଧାରା ଜାରି

author img

By ETV Bharat Odisha Team

Published : Feb 16, 2024, 9:47 AM IST

Manipur Violence: ପୁଣି ଅଶାନ୍ତ ମଣିପୁର । ଚୁରାଚାନ୍ଦପୁର ଏସପି କାର୍ଯ୍ୟାଳୟରେ ଉତ୍ତେଜନା । ସମଗ୍ର ଜିଲ୍ଲାରେ 144 ଧାରା ଜାରି । 5 ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ । ଅଧିକ ପଢନ୍ତୁ

Manipur Violence
ମଣିପୁରରେ ପୁଣି ହିଂସା

ଇମ୍ଫାଲ: କିଛି ଦିନର ବ୍ୟବଧାନ ପରେ ପୁଣି ମଣିପୁରରେ ହିଂସାକାଣ୍ଡ ଘଟିଛି । ଗୁରୁବାର ରାତିରେ ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଥିବା ପୋଲିସ ଅଧୀକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ଉପରେ ଶତାଧିକ ଲୋକେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ପକ୍ଷରୁ ଆରଏଏଫ ଯବାନ ମୁତୟନ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଏହାପରେ ଜିଲ୍ଲାରେ 144 ଧାରା ଜାରି କରାଯାଇଛି ଏବଂ 5 ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

ସୋସିଆଲ ମିଡିଆ ଏକ୍ସରେ ଏନେଇ ମଣିପୁର ପୋଲିସ ସୂଚନା ଦେଇଛି, "ଗୁରୁବାର ଦିନ ପାଖାପାଖି 300ରୁ 400 ଲୋକେ ଚୁରାଚାନ୍ଦପୁର ଜିଲ୍ଲା ଏସପି କାର୍ଯ୍ୟାଳୟରେ ପଥର ମାଡ କରିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ଏହାକୁ ଅଟକାଇବାକୁ ଯାଇ ଘଟଣାସ୍ଥଳରେ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) ମୁତୟନ କରାଯାଇଥିଲା । ସ୍ଥିତିକୁ ଆୟତ୍ତ କରିବାକୁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ତେବେ ଘଟଣା ଉପରେ ନଜର ରଖାଯାଇଛି ଓ ତଦନ୍ତ ଜାରି ରହିଛି ।''

ଏହାମଧ୍ୟ ପଢନ୍ତୁ.. ମଣିପୁରରେ ସେନାକୁ ଆକ୍ରମଣ ପଛରେ ମିଆଁମାର ଆତଙ୍କବାଦୀ !

ଅନ୍ୟପଟେ ଉତ୍ତେଜନାକୁ ନଜରରେ ରଖି ମଣିପୁର ସରକାର ଚୁରାଚନ୍ଦପୁର ଜିଲ୍ଲାରେ 144 ଧାରା ଜାରି କରିଛନ୍ତି । ଗୁରୁବାର ବିଳମ୍ବିତ ରାତି 1ଟା 40ରୁ 5 ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହିଂସାକୁ ଉସକାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ କିଛି ଫଟୋ, ପୋଷ୍ଟ କିମ୍ବା ଭିଡିଓ ବାର୍ତ୍ତା ପ୍ରସାରଣ କରିବାର ଆଶଙ୍କା ରହିଛି । ଯାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇପାରେ । ଜୀବନ ଯିବା ଏବଂ କିମ୍ବା ସାର୍ବଜନୀନ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବାର ମଧ୍ୟ ବିପଦ ରହିଛି । ସାଧାରଣ ଲୋକଙ୍କ ଶାନ୍ତିପୂର୍ଣ୍ଣ ଜୀବନଯାପନ ତଥା ସାମ୍ପ୍ରଦାୟିକ ସଦଭାବରେ ମଧ୍ୟ ବ୍ୟାଘାତ ଘଟିପାରେ । ଏହି ମିଥ୍ୟା ଅପପ୍ରଚାର ତଥା ଗୁଜବକୁ ସୋସିଆଲ ମିଡିଆରେ ପ୍ରସାରଣକୁ ରୋକିବା ପାଇଁ ମୋବାଇଲ ସେବା, ମେସେଜ ସେବା, ଡଙ୍ଗଲ ସେବା ବନ୍ଦ କରାଯାଉଛି ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ।

ସୂଚନାଯୋଗ୍ୟ, ସିଆମଲାଲପଲ ଥାନାର ପୋଲିସ ହେଡ୍ କନେଷ୍ଟବଳ ନିଲମ୍ବିତ ହେବାର କିଛି ଘଣ୍ଟା ପରେ ଏହି ହିଂସାକାଣ୍ଡ ଘଟିଥିଲା । ଫେବୃଆରୀ 14 ତାରିଖ ଦିନ ଅସ୍ତ୍ରଶସ୍ତ୍ର ଧରିଥିବା କିଛି ଲୋକଙ୍କ ସହ କନେଷ୍ଟବଳଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯାହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାକୁ ବିରୋଧ କରି ଲୋକମାନେ ଏସପି କାର୍ଯ୍ୟାଳୟରେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.