ETV Bharat / bharat

ଫାରୁକ ଅବଦୁଲ୍ଲାଙ୍କୁ ପୁଣି ଇଡି ସମନ, ଆସନ୍ତାକାଲି ହେବେ ହାଜର

author img

By ETV Bharat Odisha Team

Published : Feb 12, 2024, 8:13 PM IST

ଫାରୁକ ଅବଦୁଲ୍ଲାଙ୍କୁ ପଣି ଇଡି ସମନ
ଫାରୁକ ଅବଦୁଲ୍ଲାଙ୍କୁ ପଣି ଇଡି ସମନ

Farooq Abdullah Summoned For Questioning In Money Laundering Case: ଆସନ୍ତାକାଲି ଇଡିରେ ହାଜର ହେବେ ଫାରୁକ ଅବଦୁଲ୍ଲା । କ୍ରିକେଟ ଆସୋସିଏସନ ଘୋଟାଲା ମାମଲାରେ ହେବେ ଜେରା । ଅଧିକ ପଢନ୍ତୁ

ଶ୍ରୀନଗର: ଦେଶରେ ଏବେ ଚର୍ଚ୍ଚାରେ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥାର ବ୍ୟାପକ କାର୍ଯ୍ୟାନୁଷ୍ଠାନ । ପ୍ରତ୍ୟେକ ଦିନ ବିଭିନ୍ନ ଦଳର ରାଜନେତାମାନେ ଘୋଟାଲା ମାମଲାରେ ନିୟମିତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରା ପାଇଁ ସମନ ପାଇବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କୁ ଇଡି ଜେରା ପାଇଁ ସମନ ଜାରି କରିଛି । ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ଆର୍ଥିକ ହେରଫେର ମାମଲାରେ ଫାରୁକ ତଦନ୍ତ ପରିସରରେ ଅଛନ୍ତି ।

ଏହି ମାମଲାରେ ପୂର୍ବରୁ ମଧ୍ୟ ଫାରୁକ କେନ୍ଦ୍ରୀୟ ସଂସ୍ଥା ନିକଟରେ ହାଜର ହୋଇସାରିଛନ୍ତି । ଗତମାସରେ ତାଙ୍କୁ ଶେଷ ଥର ପାଇଁ କେନ୍ଦ୍ରୀୟ ସଂସ୍ଥା ସମନ ଜାରି କରିଥିଲା । ଫାରୁକ କ୍ରିକେଟ ଆସୋସିଏଏସନ ଦାୟିତ୍ବରେ ଥିବା ବେଳେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଆସନ୍ତାକାଲି ତାଙ୍କୁ ପୁଣି ହାଜର ହେବା ପାଇଁ ସମନରେ କୁହାଯାଇଛି । 2022ରେ ଏହି ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫାରୁକଙ୍କ ବିରୋଧରେ ଏକ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ମଧ୍ୟ କୋର୍ଟରେ ଦାଖଲ କରିସାରିଛି । ତେବେ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧୀମାନେ ରାଜନୀତି ସହ ଯୋଡି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବାରେ ଲଗିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଜମି ଘୋଟାଲା ମାମଲାରେ ଇଡି ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ଦିଲ୍ଲୀରେ ମଧ୍ୟ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସୋସୋଦିଆ ଓ ଦଳୀୟ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଗିରଫ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥାର ସ୍କାନରରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ଯିବେ ସୋନିଆ, ରାଏ ବରେଲୀରୁ ନିର୍ବାଚନରେ ଡେବ୍ୟୁ କରିବେ ପ୍ରିୟଙ୍କା !

ବିହାର କଥା କହିବାକୁ ଗଲେ, ବହୁଚର୍ଚ୍ଚିତ ରେଳବାଇ ଚାକିରି ଘୋଟାଲାରେ ଲାଲୁ ଯାଦବ ଓ ତାଙ୍କ ପରିବାର କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ଅଛନ୍ତି । ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମହାଦେବ ବେଟିଂ ଆପ ମାମଲାରେ କେନ୍ଦ୍ରୀୟ ତଦନ୍ତ ପରିସରରେ ରହିଛନ୍ତି । ବିରୋଧୀମାନେ ଏହାକୁ ମୋଦି ସରକାରର କ୍ଷମତାର ଅପବ୍ୟବହାର ବୋଲି ଅଭିଯୋଗ କରୁଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିବାକୁ ପ୍ରୟାସ କରୁଛନ୍ତି ବୋଲି ବିରୋଧୀ କହୁଛନ୍ତି । ହେଲେ ଆଇନ ତା ବାଟରେ ଯିବ ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତ କେହି ବି ନେତା କାର୍ଯ୍ୟାନୁଷ୍ଠାନରୁ ନିସ୍ତାର ପାଇବେ ନାହିଁ ବୋଲି ବିଜେପି କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.