ETV Bharat / bharat

ରାଜ୍ୟସଭା ଯିବେ ସୋନିଆ, ରାଏ ବରେଲୀରୁ ନିର୍ବାଚନରେ ଡେବ୍ୟୁ କରିବେ ପ୍ରିୟଙ୍କା !

author img

By ETV Bharat Odisha Team

Published : Feb 12, 2024, 7:46 PM IST

Sonia Gandhi To Rajya Sabha, Priyanka Poll Debut From Rae Bareli: ରାଜ୍ୟସଭା ଯାଇ ଝିଅକୁ ପାରମ୍ପରିକ ଆସନ ଛାଡିପାରନ୍ତି ସୋନିଆ । ଅଧିକ ପଢନ୍ତୁ

ରାଜ୍ୟସଭା ଯିବେ ସୋନିଆ, ରାଏ ବରେଲୀରୁ ନିର୍ବାଚନରେ ଡେବ୍ୟୁ କରିବେ ପ୍ରିୟଙ୍କା !
ରାଜ୍ୟସଭା ଯିବେ ସୋନିଆ, ରାଏ ବରେଲୀରୁ ନିର୍ବାଚନରେ ଡେବ୍ୟୁ କରିବେ ପ୍ରିୟଙ୍କା !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢିନପାରନ୍ତି କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ । ସୋନିଆ ରାଜ୍ୟସଭାକୁ ମନୋନିତ ହେବା ସହ ତାଙ୍କ ପାରମ୍ପରିକ ସଂସଦୀୟ ଆସନ ଉତ୍ତର ପ୍ରଦେଶର ରାଏ ବରେଲିରୁ ଝିଅ ପ୍ରିୟଙ୍କା ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଥିବା ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସର ଏହି ହେଭିଓ୍ବେଟ ତଥା ପୂର୍ବତନ ଅଧ୍ୟକ୍ଷା ରାଜସ୍ଥାନର କୌଣସି ଆସନରୁ ଉଚ୍ଚସଦନକୁ ମନୋନିତ ହୋଇପାରନ୍ତି । ପ୍ରିୟଙ୍କା ପ୍ରଥମ ଥର ନିଜ ମା’ଙ୍କ ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

2019 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀ ଲଢିଥିଲେ । ସୋନିଆ ନିଜ ପାରମ୍ପରିକ ଆସନରୁ କଡା ଟକ୍କର ମଧ୍ୟରେ ବିଜୟୀ ହୋଇଥିଲେ । ହେଲେ ରାହୁଲଙ୍କୁ ପରାଜିତ ହେବାକୁ ପଡିଥିଲା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଠୀ ଆସନରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରଥିଲେ । ରାହୁଲ ସେଥର ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ । କେରଳର ଓ୍ବାୟନାଡ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତି ରାହୁଲ ଲୋକସଭାରେ ପହଞ୍ଚିଥିଲେ । ଚଳିତ ନିର୍ବାଚନରେ ରାହୁଲ ପୁଣି ଦକ୍ଷିଣରୁ ଲଢିବେ ନା ଆମେଠିରେ ଶକ୍ତି ପରୀକ୍ଷା ଦେବେ, ସେ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳୁନି ।

ହେଲେ ସୋନିଆ ଲୋକସଭା ନିର୍ବାଚନ ଲଢିବା ପରିବର୍ତ୍ତେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ସୂତ୍ର କହୁଛି । ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି । କିଛି ବର୍ଷ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ ପ୍ରିୟଙ୍କା । ତାଙ୍କୁ ଦଳର ସାଧାରଣ ସମ୍ପାଦିକା ଦାୟିତ୍ବ ମିଳିଛି । ହେଲେ ଯଦି ପ୍ରିୟଙ୍କା ନିର୍ବାଚନୀ ମୈଦାନକୁ ଓହ୍ଲାନ୍ତି, ତେବେ ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ‘କତାରରୁ ଭାରତୀୟ ନୌଅଧିକାରୀଙ୍କ ମୁକ୍ତି ମାମଲାର ପ୍ରତ୍ୟେକ୍ଷ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ’

ଅନ୍ୟପଟେ ସୂଚନା ଅନୁସାରେ, ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ସୋନିଆଙ୍କୁ ରାଜ୍ୟରୁ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ଅନୁରୋଧ ମଧ୍ୟ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କମଲନାଥ କିଛି ଦିନ ପୂର୍ବେ ଏହି ସୂଚନା ଦେଇଥିଲେ । ସୋନିଆ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ଯାଆନ୍ତୁ ବୋଲି ଦଳର ସମସ୍ତ ନେତା ଏହି ସଙ୍କଳ୍ପ ପାରିତ କରିଛନ୍ତି । 27 ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ 56 ଆସନ ମଧ୍ୟରୁ ମଧ୍ୟ ପ୍ରଦେଶରେ କଂଗ୍ରେସ ଜଣେ ସଦସ୍ୟଙ୍କୁ ରାଜ୍ୟସଭା ପଠାଇବ । ଅନ୍ୟପଟେ କଂଗ୍ରେସ ସଦ୍ୟତମ ସରକାର ଗଢିଥିବା ତେଲେଙ୍ଗାନାରେ ମଧ୍ୟ ସୋନିଆଙ୍କୁ ଲୋକସଭା ନିର୍ବାଚନ ଲଢିବାକୁ ଅନୁରୋଧ ମିଳିଛି । ଇନ୍ଦିରା ଗାନ୍ଧୀ ତେଲେଙ୍ଗାନାରୁ ଲଢିଥିଲେ, ସୋନିଆ ମଧ୍ୟ ରାଜ୍ୟରୁ ଲଢନ୍ତୁ ବୋଲି ଦଳ ଏକ ପ୍ରସ୍ତାବ ପାରି ସୋନିଆଙ୍କୁ ଅନୁରୋଧ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.