ETV Bharat / bharat

କ୍ୟାସ ଫର କ୍ବାରୀ ମାମଲା: ମହୁଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାଏର କଲା ED - ED files case against Mahua Moitra

author img

By ETV Bharat Odisha Team

Published : Apr 2, 2024, 10:05 PM IST

କ୍ୟାସ ଫର କ୍ବାରୀ ମାମଲା: ମହୁଆଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଦାଏର କଲା ED
କ୍ୟାସ ଫର କ୍ବାରୀ ମାମଲା: ମହୁଆଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଦାଏର କଲା ED

Cash for query row case: ନିର୍ବାଚନ ସମୟରେ ବଢିଲା ମହୁଆଙ୍କ ଅଡୁଆ । ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘କ୍ୟାସ ଫର କ୍ବାରୀ’ (ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ) ମାମଲାରେ ପୂର୍ବତନ ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାଏର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ହେଉଛି ମୋଇତ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରିଥିବା ଦ୍ୱିତୀୟ ମାମଲା । ପ୍ରଥମଟି ବିଦେଶୀ ପାଣ୍ଠି ଉଲ୍ଲଂଘନ ମାମଲାରେ ଥିଲା । ଯେଉଁଥିରେ ଇଡି ମୋଇତ୍ରାଙ୍କୁ ତିନିଥର ସମନ ଜାରି କରିସାରିଛି । ମାତ୍ର ଏପର୍ଯ୍ୟନ୍ତ ମୋଇତ୍ରା ଥରେ ମଧ୍ୟ ହାଜର ହୋଇନାହାନ୍ତି । ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ଲୋକପାଳଙ୍କ ନିର୍ଦ୍ଦେଶରେ ମୋଇତ୍ରାଙ୍କ ବିରୋଧରେ ଏତଲା ଦାଏର କରିଥିଲା । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ପ୍ରାଥମିକ ତଦନ୍ତରେ ମୋଇତ୍ରା ଏଥିରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ଲୋକପାଳ ଏହି ମାମଲାର ତଦନ୍ତ କରିବା ପାଇଁ ସିବିଆଇକୁ ନିଜଆଡୁ ନିର୍ଦ୍ଦେଶ ଦେଇଥିଲେ ।

ଗତବର୍ଷ ଶେଷ ଭାଗରେ ଏହି ଚର୍ଚ୍ଚିତ ପ୍ରସଙ୍ଗ ଦେଶର ରାଜନୀତିକୁ ସରଗରମ କରିଥିଲା । ତୃଣମୂଳ କଂଗ୍ରେସର ଏହି ଚର୍ଚ୍ଚିତ ନେତ୍ରୀ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଅର୍ଥ ଗ୍ରହଣ କରି ସଂସଦରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଏହି ମାମଲାର ତଦନ୍ତ ଲୋକସଭା ସଦାଚାର କମିଟିକୁ ହସ୍ତାନ୍ତର କରାଯାଇଥିଲା । ମହୁଆ ନିଜ ସଂସଦ ଲଗ-ଇନ ଡିଟେଲ୍ସ ଏକାଧିକ ବ୍ୟକ୍ତିଙ୍କ ସହ ସେୟାର କରିଥିବା ତଦନ୍ତରେ ଏଥିକ୍ସ କମିଟି ସ୍ପଷ୍ଟ କରିବା ସହ ଲୋକସଭା ସଦସ୍ୟ ପଦ ରଦ୍ଦ କରିବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ସୁପାରିଶ ମଧ୍ୟ କରିଥିଲା । ପରେ ସଂସଦରେ ଭୋଟିଂ ମାମଲାରେ ମହୁଆଙ୍କ ସଭ୍ୟପଦ ରଦ୍ଦ ମଧ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ପୂର୍ବରୁ ଅଧିକାରୀଙ୍କୁ ECIଙ୍କ ଛାଟ, ବଦଳିଲେ 5 ରାଜ୍ୟର 8 ମାଜିଷ୍ଟ୍ରେଟ ଓ 12 ଏସପି - ECI transfers officers

ସଂସଦୀୟ କାର୍ଯ୍ୟାନୁଷ୍ଠାନରେ ପଦ ହରାଇଥିବା ମହୁଆ ଏବେ ତଦନ୍ତକାରୀ ସଂସ୍ଥାର ତଦନ୍ତ ମଧ୍ୟ ସାମ୍ନା କରିବାକୁ ଯାଉଛନ୍ତି । ତେବେ ଟିଏମସି ଏଥର ମଧ୍ୟ ତାଙ୍କୁ ଟିକେଟ ଦେଇଛି । ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ କରୁଛନ୍ତି । ନିର୍ବାଚନ ସମୟରେ ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅଭିଯୋଗରେ ମହୁଆ ନିର୍ବାଚନ କମିଶନଙ୍କୁ ମଧ୍ୟ ଚିଠି ଲେଖି ସାରିଛନ୍ତି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରିବା ପରେ ମହୁଆଙ୍କ ଅଡୁଆ ଆହୁରି ବଢିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.