ETV Bharat / bharat

ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ବିମାନ ସମ୍ମୁଖରେ ବୁଲିଲା ନିଶାସକ୍ତ ଯୁବକ

author img

By ETV Bharat Odisha Team

Published : Jan 28, 2024, 10:32 PM IST

ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ଏୟାରଫିଲ୍ଡରେ ପଶିଲା ଅନୁପ୍ରବେଶକାରୀ
ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ଏୟାରଫିଲ୍ଡରେ ପଶିଲା ଅନୁପ୍ରବେଶକାରୀ

Delhi airport security breach: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାରେ ବଡ ତ୍ରୁଟି । ଲ୍ୟାଣ୍ଡିଂ ବେଳେ ବିମାନ ସମ୍ମୁଖରେ ବୁଲିଲା ନିଶାସକ୍ତ ଯୁବକ । ପାଇଲଟଙ୍କ ସୂଚନା ପରେ ଗିରଫ ହେଲା ସିଆଇଏସଏଫ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ମାତ୍ର ଗୋଟିଏ ଦିନ ପରେ ଦେଶର ସର୍ବାଧିକ ବ୍ୟସ୍ତବହୁଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାରେ ବଡଧରଣର ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଅନୁପ୍ରବେଶକାରୀ ନିଶାସକ୍ତ ଯୁବକ ବିମାନ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ପ୍ରବେଶ କରିଥିବା ଜଣାପଡିଛି । ବିମାନ ଲ୍ୟାଣ୍ଡିଂ କରିବା ସମୟରେ ଏହି ଅଜ୍ଞାତ ଅନୁପ୍ରବେଶକାରୀକୁ ଏୟାର ଇଣ୍ଡିଆର ପାଇଲଟ ଦେଖିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ସୂଚନା ଦେଇଥିଲେ । ପରେ ସିଆଇଏସଏଫର କାର୍ଯ୍ୟାନୁଷ୍ଠାନରେ ଏହି ନିଶାସକ୍ତ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି । ତାକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଗତକାଲି (27 ତାରିଖ) ରାତି ପ୍ରାୟ ସାଢେ 11ଟା ବେଳେ ଘଟିଛି । ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବା ପରେ ରନ-ଓ୍ବେରୁ ପାର୍କିଂ ଆଡକୁ ବଢୁଥିଲା । ଏହି ସମୟରେ କେହି ଜଣେ ବ୍ୟକ୍ତି ବିମାନ ସମ୍ମୁଖରେ ଅତିକ୍ରମ କରୁଥିବା ପାଇଲଟ ଜଣକ ଦେଖିବାକୁ ପାଇଥିଲେ । ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ଥିବା ବେଳେ ସେପିରି କିଛି ହୋଇନଥିଲା । ତୁରନ୍ତ ବିମାନର ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ନିୟନ୍ତ୍ରଣ ରୁମରୁ ନିର୍ଦ୍ଦେଶ ମିଳିବା ପରେ ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସଏଫର ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ସେଠାରୁ ଜଣେ ନିଶାସକ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- 'ବିଜେପିର ଷଡଯନ୍ତ୍ର, ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀରେ ସୀମିତ ରଖାଗଲା'

ପ୍ରାଥମିକ ତଦନ୍ତ ଅନୁସାରେ, ଏହି ଅଭିଯୁକ୍ତଜଣକ ହରିୟାଣାର ନୁହ ଜିଲ୍ଲାର ବାସିନ୍ଦା । ତେବେ ସେ ଜଣେ ଅଭ୍ୟାସଗତ ନିଶାଖୋର ମଧ୍ୟ । ଘଟଣା ଦିନ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ଥିଲା । ସିଆଇଏସଏଫ ତାକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିବା ପରେ ଆଜି ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାକୁ ଜେଲକୁ ପଠାଇଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବା ପାଇଁ ବହୁ ବିଦେଶୀ ଅତିଥି ଭାରତ ଗସ୍ତରେ ଆସିଥିଲେ । ସେହି କାରଣରୁ ବିମାନ ବନ୍ଦରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ ଜଣେ ନିଶାସକ୍ତ ବ୍ୟକ୍ତି ରାତିରେ ବିମାନ ବନ୍ଦର ପାର୍କିଂ ନିକଟ ପର୍ଯ୍ୟନ୍ତ ପହଞ୍ଚିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.