ETV Bharat / bharat

ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ

author img

By ETV Bharat Odisha Team

Published : Mar 18, 2024, 8:29 PM IST

NDA alliance seat shearing in Bihar: ଏନ୍‌ଡିଏ ମେଣ୍ଟର ଆସନ ଭାଗବଣ୍ଟାରେ ବିଜେପିକୁ 17, ଜେଡିୟୁକୁ 16 ସହ ଚିରାଗଙ୍କ ଦଳକୁ ମିଳିଲା 5 ଆସନ । ପଶୁପତି ପାରସ ନିରାଶ । ଅଧିକ ପଢନ୍ତୁ

NDA alliance seat shearing in Bihar
NDA alliance seat shearing in Bihar

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିହାରରେ ଆଜି ‘ଏନଡିଏ’ ମେଣ୍ଟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଛି । ମୋଟ 40 ସଂସଦୀୟ ଆସନ ମଧ୍ୟରୁ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢିବ । ସେହିପରି ନୀତିଶଙ୍କ ଜେଡି-ୟୁ 16 ଆସନରେ ଓ ଚିରାଗ ପାସଓ୍ବାନଙ୍କ ଦଳ 5ଟି ଆସନରେ ପ୍ରାର୍ଥୀ ଦେବ । ଅବଶିଷ୍ଟ 2 ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଓ ଉପେନ୍ଦ୍ର କୁଶଓ୍ବାଙ୍କ ‘ଆରଏଲଏମ’ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି । ଚିରାଗଙ୍କ ପାର୍ଟିକୁ ବିଜେପି 5 ଆସନ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 3 ବର୍ଷ ପୂର୍ବେ ‘ଏନଡିଏ’ ମେଣ୍ଟରେ ସାମିଲ ହୋଇଥିବା ଚିରାଗଙ୍କ ଦାଦା ପଶୁପତି ପାରସଙ୍କୁ ଏଥର ନିରାଶ ହେବାକୁ ପଡିଛି । LJP-ପାରସ ଗୋଷ୍ଠୀ କୌଣସି ଆସନ ନପାଇ ଅନୌପଚାରିକ ଭାବେ ‘ଏନଡିଏ’ ମେଣ୍ଟରୁ ପୃଥକ ହୋଇଛି ।

ପୂର୍ବ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ପାଇନଥିବା ନୀତିଶ କୁମାର ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ 2022ରେ ସେ ‘ଏନଡିଏ’ ମେଣ୍ଟ ସହ ସମ୍ପର୍କ ଛିନ୍ନ କରି କଂଗ୍ରେସ-ଆରଜେଡି ସମର୍ଥିତ ମହାମେଣ୍ଟ ସମର୍ଥନରେ ପୁଣି ସରକାର ଗଠନ କରିଥିଲେ । ଏହାପରେ ଜାତୀୟ ରାଜନୀତିରେ ମଧ୍ୟ ବିଜେପି ବିରୋଧରେ ତାମାମ ବିରୋଧୀଙ୍କୁ ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ଏକାଠି କରିବାରେ ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିଲେ ନୀତିଶ । ମାତ୍ର ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ସବୁ ଅଙ୍କକୁ ଭୁଲ ପ୍ରମାଣିତ କରି ପଲିଟିକାଲ ପଲଟି ମାରିଥିଲେ ନୀତିଶ । ମହାମେଣ୍ଟକୁ ବାଏ ବାଏ କରି ବିଜେପି କ୍ୟାମ୍ପକୁ ଫେରିଥିଲେ ନୀତିଶ । ଏବେ ନୀତିଶଙ୍କ ଦଳକୁ ଲୋକସଭା ପାଇଁ 16 ଆସନ ଛାଡିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP, ବଦଳିଲେ 6 ରାଜ୍ୟର ଗୃହସଚିବ

ଜାତୀୟ ରାଜନୀତିରେ ଉତ୍ତର ପ୍ରଦେଶ ପରେ ଆସନ ଦୃଷ୍ଟିରୁ ବିହାରର ପ୍ରମୁଖ ଭୂମିକା ରହିଛି । 2019 ସାଧାରଣ ନିର୍ବାଚନରେ ବିଜେପି 17 ଓ ଜେଡିୟୁ 16 ଆସନରେ ଜିତିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସଓ୍ବାନଙ୍କ ଦଳ ‘ଲୋକ ଜନଶକ୍ତି ପାର୍ଟି’ 6 ଆସନରେ ଜିତିଥିଲା । ଅବଶିଷ୍ଟ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଥିଲା । ବିଜେପି ଏଥର ଦେଶରେ ଏକାକୀ 370 ଆସନ ଓ ‘ଏନଡିଏ’ ସହଯୋଗୀ ଦଳଙ୍କ ସମର୍ଥନରେ 400 ପାର କରିବା ସହ କେନ୍ଦ୍ରରେ କ୍ଷମତାର ତୃତୀୟ ପାଳି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.