ETV Bharat / bharat

ମୋଦିଙ୍କ ଆଗରେ ଓଡ଼ିଶାର ପ୍ରଶଂସା କଲେ ବିଲ ଗେଟ୍ସ - Bill Gates praises Odisha

author img

By ETV Bharat Odisha Team

Published : Mar 29, 2024, 7:19 PM IST

Updated : Mar 29, 2024, 7:29 PM IST

Bill Gates praises Odisha
Bill Gates praises Odisha

Bill Gates praises Odisha: ମୋଦିଙ୍କ ଆଗରେ ଓଡ଼ିଶାର ପ୍ରଶଂସା କଲେ ବିଶିଷ୍ଟ ପୁଞ୍ଜିପତି ତଥା ମାଇକ୍ରୋସଫ୍ଟର ପୂର୍ବତନ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଏମିତି କିଛି ଥିଲା ଓଡ଼ିଶା ମିଲେଟକୁ ନେଇ ମୋଦି ଓ ବିଲ ଗେଟ୍ସଙ୍କ ମଧ୍ୟରେ ଆଲୋଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ମୋଦିଙ୍କ ଆଗରେ ଓଡ଼ିଶାର ପ୍ରଶଂସା କଲେ ବିଲ ଗେଟ୍ସ

ନୂଆଦିଲ୍ଲୀ: ମିଲେଟକୁ ନେଇ ଓଡ଼ିଶାର ପ୍ରଶଂସା କରୁଥିଲେ ବିଶିଷ୍ଟ ପୁଞ୍ଜିପତି ତଥା ମାଇକ୍ରୋସଫ୍ଟର ପୂର୍ବତନ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଆଉ ଶୁଣୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଓ ବିଲ ଗେଟ୍ସଙ୍କ ମଧ୍ୟରେ ଏକ ସାକ୍ଷାତକାର ଭିଡିଓ ଆଜି ସାମ୍ନାକୁ ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ଉଭୟେ ଆଲୋଚନା କରିଛନ୍ତି । ବିଶେଷକରି AIର ବ୍ୟବହାର, କୃଷି ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶାର ମିଲେଟ ମିଶନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ବିଲ ଗେଟ୍ସ ।

ଓଡ଼ିଶାର ମିଲେଟକୁ ନେଇ ଆଲୋଚନା ଏମିତି କିଛି ଥିଲା । ବିଲ ଗେଟ୍ସ କହିଥିଲେ, "ବହୁ ବର୍ଷ ପୂର୍ବରୁ ମିଲେଟ ଏକ ଲୋକପ୍ରିୟ ଖାଦ୍ୟ ଥିଲା । ମୁଁ ଯେତେବେଳେ ଓଡ଼ିଶା ଯାଇଥିଲି, ଏକଥା ଜାଣିବାକୁ ପାଇଲି । ବିଭିନ୍ନ ଫାଉଣ୍ଡେସନ ଓ ସରକାରଙ୍କ ମିଳିତ ଉଦ୍ୟମରେ ଏବେ ଏହା ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଓଡ଼ିଶା ଗସ୍ତ ବେଳେ ବିଭିନ୍ନ ଦୋକାନରେ ମହିଳାମାନେ ମୋତେ ପୌଷ୍ଟିକ ଓ ସ୍ବାଦିଷ୍ଟ ମିଲେଟରେ ତିଆରି ଖାଦ୍ୟ ଟେଷ୍ଟ କରାଇଥିଲେ । ବିଶ୍ବ ପାଇଁ ଏହା ଏକ ଭଲ ସନ୍ଦେଶ ।"

ଏହା ବି ପଢନ୍ତୁ- ମିଶନ ଶକ୍ତି ବଜାର ବୁଲି ଦେଖିଲେ ବିଲ୍ ଗେଟ୍ସ, ସାଙ୍ଗରେ ନେଲେ ଢ଼ିଙ୍କି କୁଟା ଚାଉଳ, ହଳଦୀ ଓ ମସଲା

ସେପଟେ ମୋଦି କହିଥିଲେ, ମିଲେଟ କ୍ଷେତ୍ରରେ ଏବେ ବହୁତ ଭଲ ଉତ୍ପାଦନ ଆରମ୍ଭ ହୋଇଛି । ବହୁ କମ୍ପାନୀ ମିଲେଟ ଉତ୍ପାଦନ କରିବାକୁ ଆଗେଇ ଆସିଲେଣି । ମିଲେଟର ଗୁଣାତ୍ମକ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆମ ଏଠି ପଞ୍ଚତାରକା ହୋଟେଲଗୁଡ଼ିକରେ ମଧ୍ୟ ମିଲେଟ ମେନ୍ୟୁ ପୃଥକ ଭାବେ ଏବେ ଦିଆଯାଉଛି । ଏପରିକି ମିଲେଟ ଯୋଗୁଁ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ଜଳ ସଞ୍ଚୟ କ୍ଷେତ୍ରରେ ମଧ୍ୟ ଏହା ଯଥେଷ୍ଟ ସହାୟକ ହେଉଥିବା ବିଲ ଗେଟ୍ସଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ- ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଉଭୟ ମୋଦି ଓ ବିଲ ଗେଟ୍ସ ଯେତେବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ, ସେତେବେଳେ ଓଡ଼ିଶାର ମିଲେଟ କଥା ଗୁରୁତ୍ବ ବହନ କରିଥିଲା । ବିଲ ଗେଟ୍ସ ଯେତେବେଳେ ଓଡ଼ିଶାର ମିଲେଟ ସମ୍ପର୍କରେ କହୁଥିଲେ, ମୋଦି ଖୁସି ବ୍ୟକ୍ତ କରି ସ୍ମିତହାସ୍ୟ ଦେଉଥିଲେ ।

ସୂଚନା ଥାଉ କି, କିଛି ଦିନ ପୂର୍ବରୁ ବିଲ ଗେଟ୍ସ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଓଡ଼ିଶାର ମିଲେଟ ମିଶନ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ମିଶନ ଶକ୍ତି ବଜାରରେ ବୁଲିବା ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀ ସବୁକୁ ଦେଖିଥିଲେ । ପ୍ରଥମେ ସେ ଏହି ବଜାରକୁ ପ୍ରବେଶ କରି କୋରାପୁଟ କଫି ପିଇଥିଲେ । ପରେ ମିଶନ ଶକ୍ତି ବଜାରରେ ପ୍ରଦର୍ଶିତ ସାମଗ୍ରୀକୁ ବୁଲି ଦେଖିବା ସହ ମହିଳା ଉଦ୍ୟୋଗୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଆଉ ସାଥୀରେ ନେଇ ଯାଇଥିଲେ ଢିଙ୍କି କୁଟା ଚାଉଳ, ହଳଦୀ ମସଲା, ଝୋଟ ବ୍ୟାଗ, ମୁଡକି, ଡାଲି ଓ ମିକ୍ସଚର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 29, 2024, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.